ଭୁବନେଶ୍ବର: ଚଳିତ ନିର୍ବାଚନର ଶେଷ ଲଢ଼େଇ ଶନିବାର ହେବ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ଆସନ ସମେତ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ୯୯ଲକ୍ଷ ୬୧ହଜାର ମତଦାତା ନିଜ ମନପସନ୍ଦର ନେତା ବାଛିବେ। ଏଥିପାଇଁ ଆଜି ପ୍ରଚାର ଶେଷ ହୋଇଛି। ଶେଷ ପର୍ଯ୍ୟାୟରେ ଏବେ ବିଜେଡି-ବିଜେପିକୁ ନିଜ ଗଡ଼ ସମ୍ଭାଳିବା ଚିନ୍ତା ଘାରିଥିବା କୁହାଯାଉଛି। ଦୁଇ ଦଳ ବିଜେଡି-ବିଜେପି ଏବେ ସରକାର ଗଢ଼ିବାକୁ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା କହୁଥିଲେ ହେଁ ବାସ୍ତବରେ ଏହି ପର୍ଯ୍ୟାୟରେ ହାସଲ କରିବାକୁ ଥିବା ସିଟ୍ ହିଁ ରାଜ୍ୟରେ କିଏ ସରକାର ଗଢ଼ିବ ସେନେଇ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଛି ବୋଲି କୁହାଯାଉଛି। ୨୦୧୯ର ଫଳାଫଳ ଦେଖିଲେ ଶେଷ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪୨ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ଭାଗରେ ଗୋଟିଏ ବି ଆସନ ପଡ଼ିନଥିଲା। ବିଜେଡି ୩୩ଟି ଆସନ ଜିତି ଏକପାଖିଆ ବିଜୟ ହାସଲ କରିଥିଲା। ଆଉ ବିଜେପି ମାତ୍ର ୯ଟି ଆସନ ଜିତିଥିଲା। ତେବେ ବିଜେଡି ଗଡ଼ରେ ବିଜେପି ତା’ର ରଣନୀତିରେ ସଫଳ ହେବ ନା ବିଜେଡି ତା’ର ପୂର୍ବ ରଣନୀତି ଭଳି ଏଥର ବି ବିଜେପିକୁ ଚିତ୍‌ପଟାଙ୍ଗ ମାରିବାକୁ ବାଧ୍ୟ କରିବ ତାହା ଏହି ୪୨ଟି ଆସନର ମତଦାତା ନିଷ୍ପତ୍ତି ନେବାକୁ ଯାଉଛନ୍ତି।

Advertisment

୨୦୧୯ରେ ମୟୂରଭଞ୍ଜ ଲୋକସଭା ଆସନ ବିଜେପି ଜିତିଥିଲା। ୭ରୁ ୫ଟି ବିଧାନସଭା ଆସନ ବି ଜିତିଥିଲା। ହେଲେ ଏଠାରେ ବିଜେପି ତା’ର ଗଡ଼ ରକ୍ଷା କରିପାରିବ ତ? ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ଏଠାରେ ଭଲ ପ୍ରଦର୍ଶନ କରିଥିବାରୁ ସେହି ଧାରା ବଜାୟ ରଖିବ ନା ଫଳାଫଳ ଭିନ୍ନ ହେବ?
ବାଲେଶ୍ବରରେ ବି ବିଜେପି ଲୋକସଭା ଆସନ ଜିତିଥିଲା। ଆଉ ୩ଟି ବିଧାନସଭା ଆସନ ବି ଜିତିଥିଲା। କିନ୍ତୁ ୨୦୨୦ ଉପନିର୍ବାଚନରେ ବିଜେପି ବାଲେଶ୍ବର ବିଧାନସଭା ଆସନଟିକୁ ରଖିପାରିଲାନି। ହେଲେ ଏଥର କେତେକ ଆସନରେ ପ୍ରାର୍ଥୀ ଅଦଳବଦଳ ଦୁଇ ଦଳ ପାଇଁ କିଛି ମାତ୍ରାରେ ଚିନ୍ତାର କାରଣ ପାଲଟିଛି।
ଭଦ୍ରକରେ ବିଜେଡି ଲୋକସଭା ଆସନ ଜିତିବା ସହ ୬ଟି ଯାକ ବିଧାନସଭା ଆସନ ହାତେଇଥିଲା। ହେଲେ ଧାମନଗରରେ ବିଜେପି ଗଡ଼କୁ ବିଜେଡି ଭାଙ୍ଗି ପାରିନଥିଲା। ଏପରିକି ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ହୋଇଥିବା ଉପନିର୍ବାଚନରେ ବି ବିଜେଡି ଏହି ଆସନ ହାତେଇ ପାରିନଥିଲା। ୨୦୧୯ରୁ ୨୦୨୩ ମଧ୍ୟରେ ସବୁ ଉପନିର୍ବାଚନ ଜିତିଥିବା ବିଜେଡି ଏହି ଗୋଟିଏ ଆସନରେ ହିଁ ବିଜେପି ରଣନୀତି ଆଗରେ ଆଣ୍ଠେଇ ପଡ଼ିଥିଲା। ଏଥର ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ସିମୁଳିଆ ଭଳି ଆସନରେ ପ୍ରାର୍ଥୀ ବଦଳାଇଥିବା ବିଜେଡିକୁ ଉଭୟ କଂଗ୍ରେସ ଓ ବିଜେପି କଡ଼ା ଟକ୍କର ଦେଉଛନ୍ତି। କଂଗ୍ରେସର ଭେଟେରାନ୍ ନେତା ନିରଞ୍ଜନ ପଟ୍ଟନାୟକ ଏଥର ନିଜର ଶେଷ ନିର୍ବାଚନ ଲଢ଼ୁଥିବା କହୁଥିବାବେଳେ ତାଙ୍କ ଉପରେ ସମସ୍ତଙ୍କ ନଜର ଅଛି।

ଗଡ଼ ଭାଙ୍ଗିବାକୁ ବିଜେଡି-ବିଜେପିର ରଣନୀତି
ବିଜେପିର ଉତ୍ତର ଗଡ଼, ବିଜେଡିର ଉପକୂଳ ଗଡ଼ ଭାଙ୍ଗିବାକୁ ପ୍ରସ୍ତୁତି ଶେଷ
ପ୍ରାର୍ଥୀ ବଦଳ ବିଜେପି,ବିଜେଡିର ମୁଣ୍ଡବଥା

୨୦୧୯ରେ କେନ୍ଦ୍ରାପଡ଼ା‌, ଯାଜପୁର, ଜଗତସିଂହପୁର ଲୋକସଭା ଆସନକୁ ବିଜେଡି ସହଜରେ ଜିତିବା ସହ ଏହା ଅଧୀନସ୍ଥ ସମସ୍ତ ୨୧ଟି ଯାକ ଆସନକୁ ପୋଛି ନେଇଥିଲା। ବିଜେଡିର ଏହି ଅଭେଦ୍ୟ ଗଡ଼କୁ ଭାଙ୍ଗିବାକୁ ବିଜେପି ଜୋର୍ କସରତ ଚଳାଇଛି। କେତେକ ସ୍ଥାନରେ ପ୍ରାର୍ଥୀ ବଦଳ ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କିନ୍ତୁ ବିଜେଡିର ଭୋଟ୍‌ ବ୍ୟାଙ୍କ ଥିବା ଏହି ନିର୍ବାଚନମଣ୍ଡଳୀଗୁଡ଼ିକରେ ବିଜେପି କେଉଁ ରଣନୀତିରେ ଏହାକୁ ଭାଙ୍ଗୁଛି ତାହା ଉପରେ ସମସ୍ତଙ୍କ ନଜର। ଏହି ପର୍ଯ୍ୟାୟରେ ମୁଖ୍ୟତଃ ୫ ଜଣ ହେଭିୱେଟ୍‌ଙ୍କ ଉପରେ ସମସ୍ତ ନଜର ଅଛି। ଏଥିରେ ଅଛନ୍ତି ଚାନ୍ଦବାଲିରୁ ପ୍ରାର୍ଥୀ ହୋଇଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଗତ ତିନି ପାଳି ହେଲା ହାରି ଆସୁଥିବା ମନମୋହନ ଏଥର ଜିତୁଛନ୍ତି ନା ନାହିଁ ତାହା ଉପରେ ସବୁ ଦଳର ନଜର ଅଛି। ସେହିପରି କେନ୍ଦ୍ରାପଡ଼ାରେ ବିଜେଡିରୁ ଦୁଇ ଥର ଜିତିଥିବା ବୈଜୟନ୍ତ ଗତ ନିର୍ବାଚନରେ ବିଜେପିରୁ ଭାଗ୍ୟ ପରୀକ୍ଷା କରିଥିଲେ ବି ନିର୍ବାଚନ ଜିତି ପାରିନଥିଲେ। ଏଥର ‌ବୈଜୟନ୍ତ ବିଜୟ ନେଇ ଆଶାବାଦୀ ଅଛନ୍ତି ହେଲେ ବିଜେଡି ଏହି ରାସ୍ତାକୁ ଅତ୍ୟନ୍ତ କଠିନ କରିଦେଇଛି।

ବିଜେଡି ମୟୂରଭଞ୍ଜରେ ଭଲ ପ୍ରଦର୍ଶନ କରିବା ଆଶାରେ ସୁଦାମ ମାର୍ଣ୍ଡିଙ୍କୁ ସାଂସଦ ପ୍ରାର୍ଥୀ କରିଛି। ଏପଟେ ବିଜେପି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁଙ୍କୁ ଟିକେଟ ନଦେଇ ବିଧାୟକ ନବ ମାଝୀଙ୍କୁ ସାଂସଦ ପ୍ରାର୍ଥୀ କରିଛି। ୨୦୧୯ ଭଳି ଏଥର ବିଜେପି ଏକତରଫା ଜିତିବ ନା ବିଜେଡି ବାଜି ମାରିନେବ? ବାଲେଶ୍ବର ଲୋକସଭା ଆସନ ହାତେଇବାକୁ ବିଜେପି ପ୍ରତାପ ଷଡ଼ଙ୍ଗୀଙ୍କୁ ରିପିଟ୍ କରିଛି। ବିଜେଡି ବି ବିଜେପିରୁ ଆସିଥିବା ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିଛି। ହେଲେ ଦୁଇ ଦଳର ଅଙ୍କ ବିଗାଡ଼ିବାକୁ ମଇଦାନରେ ଅଛନ୍ତି କଂଗ୍ରେସର ହେଭିୱେଟ୍ ଶ୍ରୀକାନ୍ତ ଜେନା। ଶ୍ରୀକାନ୍ତୁ ବାଲେଶ୍ବରରେ ପୂର୍ବରୁ ଭାଗ୍ୟ ପରୀକ୍ଷା କରି ଜିତିଥିବାରୁ ଏଥର ସେ କିଛି କରିସ୍ମା ଦେଖାଇବା ଅାଶାରେ ଅଛନ୍ତି।