ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାରେ ଥିବା ୮୫ ବର୍ଷ ବୟସରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭୋଟରଙ୍କ ନିମନ୍ତେ ଘରେ ରହି ଭୋଟ୍ ଦେବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଜିଲ୍ଲାରେ ମୋଟ୍ ୧୭୦୪ ଜଣ ଭୋଟର ନିଜର ଘରେ ରହି ମତଦାନ କରିବେ। ସେମାନଙ୍କ ମଧ୍ୟରେ ୧୨୧୮ ଜଣ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ଓ ୪୮୬ ଜଣ ଦିବ୍ୟାଙ୍ଗ ଭୋଟର। ପୁଲିଂ ଅଧିକାରୀମାନେ ସେମାନଙ୍କ ଘରକୁ ଯାଇ ଭୋଟିଂ କରାଇବା ଆରମ୍ଭ କରିଛନ୍ତି।
ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀରେ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ୧୯୮ ଜଣ ଓ ୬୯ ଜଣ ଦିବ୍ୟାଙ୍ଗ ଭୋଟରଙ୍କୁ ମିଶାଇ ୨୬୭, ଭୁବନେଶ୍ୱର (ମଧ୍ୟ)ରେ ୯୩ ଜଣ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ଓ ୨୫ ଜଣ ଦିବ୍ୟାଙ୍ଗଙ୍କୁ ମିଶାଇ ମୋଟ୍ ୧୧୮, ଭୁବନେଶ୍ୱର (ଉତ୍ତର)ରେ ୨୦୨ ଜଣଙ୍କ ମଧ୍ୟରୁ ୧୫୫ ଜଣ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ଓ ୪୭ ଦିବ୍ୟାଙ୍ଗ, ଏକାମ୍ରରେ ୨୦୮ ଜଣଙ୍କ ମଧ୍ୟରୁ ୧୮୫ ଜଣ ୮୫ ବର୍ଷରୁ ଊର୍ଦ୍ଧ୍ବ ବୟସର ଓ ୨୩ ଜଣ ଦିବ୍ୟାଙ୍ଗ, ଜଟଣୀରେ ମୋଟ୍ ୭୪ ଜଣଙ୍କ ମଧ୍ୟରୁ ୪୩ ଜଣ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ଓ ୩୧ ଦିବ୍ୟାଙ୍ଗ ଭୋଟର ନିଜଘରେ ରହି ମତାଧିକାର ସାବ୍ୟସ୍ତ କରୁଛନ୍ତି। ସେହିଭଳି ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୮୪ ଜଣ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ଓ ୪୯ ଜଣ ଦିବ୍ୟାଙ୍ଗ ଭୋଟରଙ୍କ ମିଶାଇ ୨୩୩, ଖୋର୍ଦ୍ଧାରେ ୧୬୪ ଜଣ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ଓ ୧୧୭ ଜଣ ଦିବ୍ୟାଙ୍ଗଙ୍କୁ ମିଶାଇ ମୋଟ୍ ୨୮୧ ଜଣ ଘରେ ରହି ଭୋଟ ଦେଉଥିବାବେଳେ ଚିଲିକା ନିର୍ବାଚନ ମଣ୍ଡଳୀରେ ୧୯୬ ଜଣ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ଓ ୧୨୫ ଜଣ ଦିବ୍ୟାଙ୍ଗ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି।
ଅନ୍ୟ ପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ରାଣ୍ଡମାଇଜେସନ୍ ପରେ ଇଭିଏମ୍ଗୁଡ଼ିକର କମିସନିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଜିଲ୍ଲା ପଣ୍ୟାଗାରରେ ଏହି କମିସନିଂ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୨୩ ତାରିଖରେ ପୁଲିଂ ପାର୍ଟିମାନେ ଇଭିଏମ୍ ଓ ଆବଶ୍ୟକୀୟ ସାମଗ୍ରୀ ନେଇ ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ। ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆସନ୍ତା ୨୫ ତାରିଖରେ ଜିଲ୍ଲାରେ ୧୯୨୩ ମତଦାନ କେନ୍ଦ୍ରରେ ୧୯ ଲକ୍ଷ ୬ ହଜାର ୫୧୭ ଜଣ ମତଦାତା ମତାଧିକାର ସାବ୍ୟସ୍ତ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/vote.jpg)