ଯାଜପୁର: ପଞ୍ଚାୟତ ନିର୍ବାଚନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭଳି ତୃତୀୟ ପର୍ଯ୍ୟାୟରେ ବି ଯାଜପୁର ଜିଲ୍ଲାରେ ଗଣ୍ଡଗୋଳ ଏବଂ ହିଂସା ପରିଲକ୍ଷିତ ହୋଇଛି। ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ଯାଜପୁର ଜିଲ୍ଲାରେ କେତେକ ସ୍ଥାନରେ ଅଘଟଣ ଘଟିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ଜବରଦଖଲ ଉଦ୍ୟମ ଖବର ପାଇ କୋରେଇ ବିଡିଓ ପହଞ୍ଚିବାରୁ ତାଙ୍କୁ ଠେଲାପେଲା କରାଯିବା ସହ ମତଦାନ କେନ୍ଦ୍ର ଆଗରେ ଆକ୍ରମଣ କରାଯାଇଛି। କିଛି ଦୁର୍ବୃତ୍ତ କୋରେଇ ବିଡିଓଙ୍କୁ ଆକ୍ରମଣ କରିଛନ୍ତି।
ଏହାଫଳରେ କୋରେଇ ବ୍ଲକର ୪ଟି ବୁଥରେ ମତଦାନ ବନ୍ଦ ରହିଥିବା ଜଣାଯାଇଛି। ଏଠାରେ ଥିବା ୮,୯,୧୦ଓ୧୧ ନମ୍ବର ବୁଥରେ ମତଦାନକୁ ବନ୍ଦ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଚେଷ୍ଟା ଚଳାଇଥିବା ଜଣାଯାଇଛି।
ଏଣେ ବିଞ୍ଝାରପୁର ବ୍ଲକର ବାଛୋଳ ପଞ୍ଚାୟତ ୨ ନଂ ବୁଥରେ ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବାର ଅଭିଯୋଗ ହୋଇଛି। କନକ ନିଉଜ୍, ଅର୍ଗସ୍ ନିଉଜ୍ ଓ କଳିଙ୍ଗ ଟିଭିର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଜଣାଯାଇଛି। ଏଠାରେ କେତେକ ଅସାମାଜିକ ଲୋକ ବୁଥରୁ ଭୋଟ ବାକ୍ସ ଲୁଟି ନେଇଯାଇଥିବାର ସୂଚନା ମିଳିଛି। ଦୁର୍ବୃତ୍ତମାନେ ଭୋଟ ବାକ୍ସଟିକୁ ପୋଖରୀରେ ଫିଙ୍ଗି ପଳାଇଥିବା ଜଣାଯାଇଛି। ଅର୍ଗସ୍ ନିଉଜର ସାମ୍ବାଦିକଙ୍କୁ ଅପହରଣ କରି ନେଇଥିଲେ। ଏହି ଖବର ପାଇ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି। ଉକ୍ତ ଗାଁରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏଠାରେ ମତଦାନ କରାଇ ନ ଦେବା ଲାଗି ଗ୍ରାମବାସୀମାନେ ଚାହୁଁଛନ୍ତି। ଏହାପରେ ପୁଲିଂ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳ ଛାଡ଼ି ଚାଲିଯାଇଛନ୍ତି।