ଝାରସୁଗୁଡ଼ା: ଗତ ୫ ବର୍ଷ ହେବ ବିସ୍ଥାପନ ପାଇଁ ଦାବି କରିଆସୁଥିବା ଝାରସୁଗୁଡ଼ା ବ୍ଲକ୍‌ କାତିକେଲା ପଞ୍ଚାୟତ ଅନ୍ତର୍ଗତ ଭାଗୀପାଲି ଗ୍ରାମବାସୀ ସୋମବାର ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଭୋଟ୍‌ ବର୍ଜନ କରିଛନ୍ତି। ଭୁର୍କାମୁଣ୍ଡାସ୍ଥିତ ପୋଲିଂ ବୁଥରେ ଭାଗୀପାଲିର ୨୬୦ ଜଣ ଭୋଟର ମତଦାନ କରିବାର ଥିଲା। ‌ହେଲେ, ଭାଗୀପାଲିବାସୀ ଭୋଟ୍‌ ବର୍ଜନ କରିବେ ବୋଲି ରବିବାର ଚେତାବନୀ ଦେଇଥିଲେ। ତଥାପି ପ୍ରଶାସନ ଏହାକୁ ଭ୍ରୂକ୍ଷେପ କରିନଥିଲା। ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ଅର୍ଥାତ୍‌ ମତଦାନ ପ୍ରକ୍ରିୟା ଶେଷ ହେବାର କିଛିସମୟ ପୂର୍ବରୁ ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ ଗାଁ’ରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ଗ୍ରାମବାସୀ ଆସି ଭୋଟ ଦିଅନ୍ତୁ ଓ ନିର୍ବାଚନ ସରିଲେ ଜିଲ୍ଲାପାଳଙ୍କ ସହିତ ଭେଟ କରାଇଦେବେ ବୋଲି କହିଥିଲେ। କିନ୍ତୁ, ଗ୍ରାମବାସୀ ଲିଖିତ ପ୍ରତିଶ୍ରୁତି ମାଗିଥିଲେ ହେଁ ବିଡିଓ ଶ୍ରୀ ଭୋଇ ତାହା ଦେବାକୁ ମନା କରି ଦେଇଥିଲେ। ଏହାପରେ ଗ୍ରାମବାସୀ ଭୋଟ ଦେବାକୁ ଯିବେନି ବୋଲି ରୋକ୍‌ଠୋକ୍‌ ମନା କରି ଦେଇଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ପ୍ରଦୂଷଣରେ ଭାଗୀପାଲିବାସୀ ଅଣନିଃଶ୍ବାସୀ ହୋଇସାରିଲେଣି। ପ୍ରଦୂଷଣ ଯୋଗୁ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି। ନଦୀ ନାଳରେ ବିଷାକ୍ତ ପାଣି ଛାଡ଼ିବା ଯୋଗୁ ତାହା ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ। ବାରମ୍ବାର ଏ ସବୁ ସମସ୍ୟାର ସମାଧାନ ପାଇଁ ଦାବି କରିବା ପରେ ବି ପ୍ରଶାସନ ଏଥିରେ ବିଫଳ ହୋଇଥିବା ବେଳେ ସରକାରୀ ନିୟମାନୁସାରେ ସେମାନଙ୍କୁ ବିସ୍ଥାପିତ ବି କରାଯାଉନି ବୋଲି ଗ୍ରାମବାସୀ ଦାବି କରିଆସୁଛନ୍ତି।

ମୁରିବାହାଲ: ମୋବାଇଲ୍ ନେଟ୍‌ୱର୍କ ରହୁନଥିବାରୁ ଭୋଟ ବର୍ଜନ କରିଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଗୁଡ଼ିଘାଟ ପଞ୍ଚାୟତ ଅନ୍ତର୍ଗତ ବାରବନ୍ଦ, ଶୁକନୀପଦର, ରାଣୀସିଲେଟ, ବେହେରାଖାଇ ଓ କୁଟୁନୀଝରନର ଗ୍ରାମବାସୀ। ଦୁଇବର୍ଷରୁ ଅଧିକ ସମୟ ହେବ ଏହି ଅଞ୍ଚଳରେ ମୋବାଇଲ୍ ନେଟୱର୍କ ରହୁ ନଥିବା ଗ୍ରାମବାସୀମାନେ ପ୍ରଶାସନଠାରୁ ଜନପ୍ରତିନିଧିଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ଅବଗତ କରାଇଥିଲେ। ଏପରିକି ଅନେକଥର ବ୍ଲକ୍‌ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ। ମାତ୍ର, ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ। ପୂର୍ବ ନିଷ୍ପତ୍ତି ଅନୁସାରେ ସମସ୍ତେ ଆଜି ମିଳିତ ଭାବେ ଭୋଟ୍‌ ଦେଇ ନଥିଲେ। ଗିରିଧାରୀ ସାହୁ, ଆଲୋକ ସାହୁ,ସୈତ ବଘାର ବଲମତ ଭୋଇ, ପବିତ୍ର ସାହୁ, ଶଙ୍କର ଧଙ୍ଗଡ଼ାମାଝୀ ସୁରୁତ ବଘାର ବବଲୁ ସାହୁ ତେଜୁ ସାହୁ, ହେମସାଗର ବଘାର, ସୁଶୀଲ ବଘାର, ହରିଶଙ୍କର ଧରୁଆ, ଭକ୍ତ ସାହୁ, ବୁଡୁ ଚିନ୍ଦା,ଗୋପାଳ ଚିନ୍ଦା, ରାମ ପବିତ୍ର ସାହୁ, ନିରଞ୍ଜନ ସାହୁଙ୍କ ସମେତ ଶତାଧିକ ଲୋକ ଏଥିରେ ସାମିଲ ଥିଲେ। ସ୍ଥାନୀୟ ତହସିଲଦାର, ବ୍ଲକ୍‌ ଆକାଉଣ୍ଟସ ଅଫିସର, ବ୍ଲକ୍‌ ଅଧ୍ୟକ୍ଷ ଓ ସରପଞ୍ଚ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ କେହି ଶୁଣିନଥିଲେ।