୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ, ୧୭ ହଜାର ବୁଥରେ ଚାଲିଛି ଭୋଟଗ୍ରହଣ

ଭୁବନେଶ୍ବର : ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୧୨୫୪ଟି ପଞ୍ଚାୟତରେ ଭୋଟ ଗ୍ରହଣ ଚାଲିଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ୪ର୍ଥ ପର୍ଯ୍ୟାୟରେ ମୋଟ ୧୭,୦୮୯ଟି ବୁଥରେ ପ୍ରାୟ ୫୧.୩୧ ଲକ୍ଷ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ ।

ପୂର୍ବରୁ ଶେଷ ହୋଇଥିବା ୩ଟି ପର୍ଯ୍ୟାୟ ନିର୍ବାଚନରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିବାରୁ ୪ର୍ଥ ପର୍ଯ୍ୟାୟ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଛି । ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ୨୫୭ ପ୍ଲାଟୁନ ଫୋର୍ସ ଓ ୧୪୭୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟିକୁ ନିୟୋଜିତ କରାଯାଇଛି । ତିନିଟି ଯାକ ପର୍ଯ୍ୟା‌ୟରେ ୨୪୦ ପ୍ଲାଟୁନ୍ ଲେଖାଏଁ ପୁଲିସ ଫୋର୍ସ ମୁତୟନ ହେଉଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ ୨୫୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ କଡ଼ା ଚେକିଂ କରାଯିବା ସହ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ହେବନି ତାହା ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି। ଅଧିକ ଉତ୍ତେଜନାପ୍ରବଣ ବୁଥ୍‌ଗୁଡ଼ିକରେ ଅଧିକ ପୁଲିସ ମୁତୟନ କରାଯିବା ସହ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଗତ ରବିବାର ସମାପ୍ତ ୩ୟ ପର୍ଯ୍ୟାୟ ନିର୍ବାଚନରେ ୭୮.୬ ପ୍ରତିଶତ ମତଦାନ ହୋଇଥିଲା । ନବରଙ୍ଗପୁରରେ ସର୍ବାଧିକ ୮୬.୩୩ ପ୍ରତିଶତ ଭୋଟ ଓ ଗଞ୍ଜାମକେ ସର୍ବନିମ୍ନ ୬୬.୭୫ ପ୍ରତିଶତ ମତଦାନ ହୋଇଥିଲା ।

ଅନ୍ୟପକ୍ଷରେ ପୂର୍ବରୁ ସମାପ୍ତ ହୋଇଥିବା ୩ଟି ପର୍ଯ୍ୟାୟରେ ହିଂସାକାଣ୍ଡ ଓ ବିଶୃଙ୍ଖଳା ପାଇଁ ଏପର୍ଯ୍ୟନ୍ତ ମୋଟ ୮୨ ଜଣ ଲୋକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ କେବଳ ଯାଜପୁର ଜିଲ୍ଲାରୁ ୪୩ ଜଣ ଅନ୍ତର୍ଭୁକ୍ତ । ସେହିପରି ଢେଙ୍କାନାଳ ଜିଲ୍ଲାରୁ ୯ ଜଣ, ଜଗତସିଂହପୁରରୁ ୬ ଜଣ ଓ ପୁରୀ ଜିଲ୍ଲାରୁ ୨୪ ଜଣ ଅନ୍ତର୍ଭୁକ୍ତ ବୋଲି ରାଜ୍ୟ ପୁଲିସ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର