ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନ ଲାଗି ଆରମ୍ଭ ହେଲା ମତଦାନ। ଆଜି ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।  ଏହି ନିର୍ବାଚନମଣ୍ଡଳୀ‌ର ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର୍‌ ମତଦାନ କରିବେ। ଆଜି ସକାଳ ୭ ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିବ। ଏହି ନିର୍ବାଚନମଣ୍ଡଳୀ‌ର ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା ଏବଂ କଂଗ୍ରେସର କିଶୋର ପଟେଲ। ୩ ତାରିଖରେ ଭୋଟ ଗଣତି ହେବ।

Advertisment

ଭୋଟରମାନେ କିଭଳି ଶୃଙ୍ଖଳିତ ଓ ସୁବିଧାରେ ମତଦାନ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟସ୍ଥା କରାଯାଇଛି। ଲଖନପୁର ବ୍ଲକର ସମସ୍ତ ୩୩ଟି ପଞ୍ଚାୟତ, ଝାରସୁଗୁଡ଼ା ବ୍ଲକର ୫ଟି ପଞ୍ଚାୟତ, ବେଲପାହାଡ଼ ଓ ବ୍ରଜରାଜନଗର ପୌରାଞ୍ଚଳକୁ ନେଇ ଗଠିତ ହୋଇଛି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ। ଭୋଟରଙ୍କ ଅପେକ୍ଷା ପାଇଁ ଭୋଟ୍‌ ଗ୍ରହଣ‌ କେନ୍ଦ୍ରଗୁଡ଼ିକରେ ଛଉଣୀ, ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ୩୦ଟି ମୋଡେଲ ବୁଥ୍‌ ଓ ୫ଟି ପିଙ୍କ ବୁଥ୍‌ କରାଯାଇଛି। ୧୪୫ଟି ବୁଥ୍‌କୁ ୱେବ କାଷ୍ଟିଂ କରାଯାଇଥିବାରୁ ଏଠାରେ କ୍ୟାମେରା ଖଞ୍ଜା ଯାଇଛି। ଏହାର ଭିଡିଓ ସାଟେଲାଇଟ ଦ୍ବାରା ନିର୍ବାଚନ କମିସନ ପର୍ଯ୍ୟନ୍ତ ସିଧାସଳଖ ପ୍ରସାରଣ ହେବ।

publive-image Image Courtesy of NDTV

ଶାନ୍ତିପୂର୍ଣ୍ଣ ଭୋଟ୍‌ଗ୍ରହଣ ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ୬୦ଟି ବୁଥ୍‌କୁ ସମ୍ବେଦନଶୀଳ ଘୋଷଣା କରାଯାଇ ଏହା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ ସରୋଜ କୁମାର ସାମାଲ ଓ ଏସ୍‌ପି ରାହୁଲ ଜୈନ ସୋମବାର ବିଭିନ୍ନ ବୁଥ ବୁଲି ଅନୁଧ୍ୟାନ କରିଛନ୍ତି। ସାଧାରଣ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ସହିତ ମାଇକ୍ରୋ ପର୍ଯ୍ୟବେକ୍ଷକ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ରାଜ୍ୟ ସଶସ୍ତ୍ର ପୁଲିସ ବାହିନୀର ଏକାଧିକ କମ୍ପାନିଙ୍କୁ ମୁତୟନ କରାଯାଇଛି।