ବାଲେଶ୍ୱର/ ଜଗତସିଂହପୁର/ଟାଉନ : ରାଜ୍ୟରେ ୨ଟି ଉପନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି। ସନ୍ଧ୍ୟା ସୁଦ୍ଧା ବାଲେଶ୍ବର ସଦର ଆସନରେ ୭୧ ପ୍ରତିଶତ ମତଦାନ ହୋଇଥିବାବେଳେ ତିର୍ତ୍ତୋଲରେ ୬୯.୬୯ ପ୍ରତିଶତ ମତଦାନ ହୋଇଛି। ସବୁଠୁ ବଡ଼ କଥା ହେଲା, କୋଭିଡ୍‌ ଭୟ ଦୂର ହୋଇନଥିଲେ ବି ଏହି ନିର୍ବାଚନକୁ ନେଇ ମତଦାତାଙ୍କ ମଧ୍ୟରେ ଭରପୂର ଉତ୍ସାହ ଦେଖିବାକୁ ମିଳିଥିଲା। କୌଣସି ସ୍ଥାନରେ ଗଣ୍ଡଗୋଳ ହୋଇନଥିବା ଜଣାପଡ଼ିଛି।

Advertisment

ବାଲେଶ୍ବର ମ୍ୟୁନିସିପାଲିଟିର ୩୧ଟି ୱାର୍ଡ ସମେତ ସଦର ବ୍ଲକର ୨୬ ପଞ୍ଚାୟତରେ ୨ ଲକ୍ଷ ୩୦ ହଜାର ୨୯୭ ଭୋଟର ରହିଥିବାବେଳେ ସେମାନେ ଆଜି ୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ। ଭୋଟଗ୍ରହଣ ପାଇଁ ୩୪୬ଟି ବୁଥ୍‌କେନ୍ଦ୍ର କରାଯାଇଥିଲା। ପର୍ଯ୍ୟାୟକ୍ରମେ ମତଦାନ ହାର ସକାଳ ୯ଟା ସୁଦ୍ଧା ୧୨.୧୧ ପ୍ରତିଶତରେ ପହଞ୍ଚି ପୂର୍ବାହ୍ନ ୧୧ଟାରେ ୨୭.୬, ଦିନ ଗୋଟାଏରେ ୪୧.୩୬, ଅପରାହ୍‌ଣ ୩ଟାରେ ୫୪.୮୫, ସଂଧ୍ୟା ୫ଟାରେ ୬୮.୧୯ ପ୍ରତିଶତ ରହିଥିବାବେଳେ ସଂଧ୍ୟା ୭ଟା ସୁଦ୍ଧା ୭୧ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏହାବାଦ୍‌ ୩୦ଟି ବୁଥ୍‌ରେ ମତଦାନ ଜାରି ରହିଥିବାରୁ ଭୋଟ୍‌ହାର ଆହୁରି ବଢ଼ିବ ବୋଲି ଆକଳନ କରାଯାଇଛି। ସକାଳେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ଗୋପାଳଗାଁସ୍ଥିତ ସାବିତ୍ରୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ମତଦାନ କରିଥିଲେ। ପରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଆଜିମାବାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭୋଟ୍ ଦେଇଥିଲେ। ବିଜେପି ପ୍ରାର୍ଥୀ ମାନସ ଦତ୍ତ ମଧ୍ୟ ଗୋଳାପୋଖରୀସ୍ଥିତ ହାଜିନାସିରୁଦ୍ଦିନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ। ଏହାଛଡ଼ା ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ବି ତାଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ। ସମୟ ଅବଧି ପରେ ଯେଉଁମାନେ ବୁଥ୍‌ ପରିସରରେ ରହିଯାଇଛନ୍ତି ସେମାନଙ୍କ ଭୋଟଗ୍ରହଣ ଚାଲିଥିବାରୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିପାରିନାହିଁ। ଆସନ୍ତାକାଲି ସକାଳ ସୁଦ୍ଧା ଏହା ଜଣାପଡ଼ିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମୌଳିକ ସମସ୍ୟା ପୂରଣ କରାଯାଇନଥିବାରୁ ସଦର ବ୍ଲକ ପରିଖି ପଞ୍ଚାୟତ ଜଙ୍ଘଲଘେରୀ ଗ୍ରାମର ୯ ନମ୍ବର ୱାର୍ଡବାସୀ ଭୋଟ୍‌ବର୍ଜନ କରିଥିବା ସୂଚନା ମିଳିଛି।

ଅନ୍ୟପଟେ ଆଜି କାଁଭାଁ ଗଣ୍ତଗୋଳକୁ ବାଦ୍‌ ଦେଲେ ତିର୍ତ୍ତୋଲ ଆସନ ପାଇଁ ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ରାସ୍ତା, ପାଣି ଓ ଡ୍ରେନେଜ ଭଳି ସମସ୍ୟାକୁ ନେଇ ତିର୍ତ୍ତୋଲ ବ୍ଲକ କଟରା ପଂଚାୟତ ହାଜିନଗର, ଗୋପାଳପୁର ପଂଚାୟତର ମଇନପୁର (ଲହଣ), ଖର୍ଦ୍ଦା ସାହି, କଣ୍ଟିଗଡିଆ, ହୁରା ସାହି ଗ୍ରାମର ପ୍ରାୟ ୧୫ଶହ ଭୋଟର ଭୋଟ ବର୍ଜନ କରିଛନ୍ତି। ସେହିଭଳି ତିର୍ତ୍ତୋଲର ବିରିତୋଳ ପଂଚାୟତ ସଲମପୁରରେ ଜଣେ ବୃଦ୍ଧାଙ୍କ ପାଇଁ କେହି ପୋଷ୍ଟାଲ ଭୋଟର‌ ଦେଇ ଦେଇଥିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥି‌ଲା। ଆଜି ସକାଳ ବେ‌ଳା ପ୍ରଥମ ଦୁଇ ଘଣ୍ଟା ଅର୍ଥାତ ଦିନ ୯ଟା ସୁଦ୍ଧା ମାତ୍ର ୭.୫୮% ହାରରେ ୧୭,୯୯୮ ଭୋଟର ଭୋଟ୍ ଦେଇଥିଲେ। ଦିନ ୧୧ଟା ବେଳକୁ ୨୪.୯୩% ହାରରେ ୫୯,୧୬୧ ଜଣ, ଅପରାହ୍ନରେ ୩୯.୬୮% ହାରରେ ୯୪,୧୭୪ ଜଣ ଭୋଟ୍ ଦେଇଥିଲେ। ତେବେ ଅପରାହ୍ନ ୩ଟା ପରେ ମତଦାନ ହାର ବୃଦ୍ଧି ପାଇ ୫୫.୨୩% ହାରରେ ୧,୩୧,୦୫୮ ଜଣ ଭୋଟ୍ ଦେଇଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୭.୯୭ ହାରରେ ୧,୬୧,୨୯୬ ଜଣ ମତଦାନ ସାବ୍ୟସ୍ତ କରିଥିଲେ। ଅପରାହ୍ନ ୫ଟା ପରେ କୋଭିଡ୍ ଆକ୍ରାନ୍ତ ଭୋଟ୍ ଦେବା ପାଇଁ ଆସିଥିଲେ। ସନ୍ଧ୍ୟା ୬ଟା ପରେ ବି ପ୍ରାୟ ୧୩୦ଟି ବୁଥ୍‌ରେ ମତଦାତା ଧାଡ଼ିରେ ରହିଥିଲେ। ରାତି ୮ଟାରେ ଭୋଟ ଗ୍ରହଣ ଏହି ସବୁ ବୁଥରେ ଶେଷ ହୋଇଥି‌ଲା। ତିର୍ତୋଲ ବ୍ଲକ୍‌ରେ ସର୍ବାଧିକ ମତଦାନ ହୋଇଥିବା ବେଳେ ପରକୁ ପର ବିରିଡି ଓ ରଘୁନାଥପୁର ବ୍ଲକ୍‌ ରହିଛନ୍ତି।

ଅନ୍ୟପକ୍ଷରେ, ତିର୍ତୋଲ ନିର୍ବାଚନମଣ୍ଡଳୀରେ ନିଜ ଭୋଟର ପରିଚୟପତ୍ର ନ ଥିବାରୁ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଓ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଭୋଟ ଦେଇପାରି ନଥିଲେ। ସେମାନଙ୍କ ନାମ ଜଗତସିଂହପୁର ନିର୍ବାଚନମଣ୍ଡଳୀ ଭୋଟର ତାଲିକାରେ ରହିଛି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ନିଜ ପଂଚାୟତ ଗରାମରେ ଥିବା ୨୪୫ ନମ୍ବର ବୁଥ୍‌ରେ ମତଦାନ କରିଥିଲେ। ଆସନ୍ତା ୧୦ ତାରିଖରେ ଭୋଟଗଣତି ହୋଇ ଫଳାଫଳ ଘୋଷଣା କରାଯିବ।