ଭୁବନେଶ୍ବର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଆଜି ଶେଷ ହୋଇଛି। ଆସନ୍ତା ୨୦ ତାରିଖରେ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୫ଟି ସଂସଦୀୟ କ୍ଷେତ୍ର (ଲୋକସଭା ଆସନ) ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କନ୍ଧମାଳ, ଆସ୍କା ଏବଂ ଏହା ଅଧୀନସ୍ଥ ୩୫ଟି ବିଧାନସଭା ଆସନରେ ମତଦାନ ହେବ। ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୫ଟି ଲୋକସଭା, ୩୫ଟି ବିଧାନସଭା ଆସନରେ ମୋଟ୍ ୩୦୫ଜଣ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ହେଲେ ୨୦୧୯ର ନିର୍ବାଚନୀ ଫଳ ଦେଖିଲେ ଏଥିରେ ବିଜେଡି ବାଜିମାତ୍ କରିଥିଲା। ମୋଟ୍ ୩୫ଟି ବିଧାନସଭା ଆସନରୁ ବିଜେଡି ଏକାକୀ ୨୬ଟି ଆସନ ଜିତିଥିବା ବେଳେ କଂଗ୍ରେସ ଓ ବିଜେପି ୪ଟି ଲେଖାଏଁ ଆସନ ଜିତିଥିଲେ। କଂଗ୍ରେସ ରାଜଗାଙ୍ଗପୁର, ବଲାଙ୍ଗୀର, କଣ୍ଟାବାଞ୍ଜି, ସାନଖେମୁଣ୍ଡିରେ ଜିତିଥିବା ବେଳେ ବିଜେପି ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ଲୋଇସିଂହା ଆସନ ହାତେଇଥିଲା। ସିପିଆଇ(ଏମ୍) ବଣେଇ ଆସନଟି ବାଜି ମାରିନେଇଥିଲା। ବାକି ୨୬ଟି ଆସନ ବିଜେଡି ଦଖଲରେ ଥିଲା। ସେହିପରି ୫ଟି ଲୋକସଭା ଆସନରୁ ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼ ବିଜେପି ଜିତିଥିବା ବଳେ ବିଜେଡି କନ୍ଧମାଳ, ଆସିକା ଆସନ ଜିତିଥିଲା। ଏହି ପର୍ଯ୍ୟାୟରେ ବହୁ ଭେଟେରାନ୍ ନେତା ନିଜର ଭାଗ୍ୟ ପରୀକ୍ଷା କରୁଥିଲେ ହେଁ ୧୩ଜଣ ହେଭିୱେଟ୍ଙ୍କ ଉପରେ ସମସ୍ତଙ୍କ ନଜର ଅଛି।
ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜିରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ହିଞ୍ଜିଳି ସଦାବେଳେ ନବୀନଙ୍କ ପ୍ରଥମ ପସନ୍ଦର ଆସନ ହୋଇଥିବା ବେଳେ ଏଥର ସେ କଣ୍ଟାବାଞ୍ଜିରୁ ମଧ୍ୟ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏଠାରେ ନବୀନଙ୍କୁ ଟକ୍କର ଦେବାକୁ ମଇଦାନରେ ଅଛନ୍ତି କଂଗ୍ରେସର ଭେଟେରାନ୍ ନେତା ସନ୍ତୋଷ ସିଂହ ସାଲୁଜା ଏବଂ ବିଜେପିର ଲକ୍ଷ୍ମଣ ବାଗ୍। ସାଲୁଜା ଓ ଲକ୍ଷ୍ମଣ କ’ଣ ନବୀନଙ୍କୁ ମାତ୍ େଦଇପାରିବେ?
୧୦ବର୍ଷ ପରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଦିଲୀପ ରାୟ। ସେ ରାଉରକେଲାରେ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ଦିଲୀପଙ୍କ ଲଢ଼େଇ ହେଉଛି ବିଜେଡିର ଟାଣୁଆ ସଂଗଠକ ସାରଦା ପ୍ରସାଦ ନାୟକ ଏବଂ ସ୍ବାଧୀନ ପ୍ରାର୍ଥୀ ନିହାର ରାୟଙ୍କ ସହ। ନିହାର ପୂର୍ବରୁ ବିଜେପିରୁ ଲଢ଼ିଥିବା ବେଳେ ଏଥର ସ୍ବାଧୀନ ପ୍ରାର୍ଥୀ। ଦିଲୀପ ନିର୍ବାଚନ ବୈତରଣୀ ପାର୍ ହୋଇପାରିବେ ତ! ସୁନ୍ଦରଗଡ଼ ଆସନରେ ବିଜେପିର ଭେଟେରାନ୍ ଜୁଏଲ୍ ଓରାମ ନିଜର ଗଡ଼ ବଜାୟ ରଖିବାକୁ ୨୦୧୪ର ପୁରୁଣା ପ୍ରତିଦ୍ବନ୍ଦ୍ବୀ ଦିଲ୍ଲୀପ ତିର୍କୀଙ୍କୁ ମୁକାବିଲା କରୁଛନ୍ତି। ହକି ପଡ଼ିଆର ଦକ୍ଷ ଡିଫେଣ୍ଡର ଦିଲ୍ଲୀପ ଜୁଏଲଙ୍କୁ ଡିଫେଣ୍ଡ କରିପାରିବେ ନା ଜୁଏଲ ତାଙ୍କ ବିଜୟଧାରା ଜାରି ରଖିବେ?
କନ୍ଧମାଳରେ ପ୍ରଥମ ଥରରେ ସହଜ ବିଜୟ ହାସଲ କରି ସଂସଦରେ ପହଞ୍ଚିଥିବା ଅଚ୍ୟୁତ ସାମନ୍ତ ଏଥର ବି ସହଜ ବିଜୟ ଲକ୍ଷ୍ୟରେ ଅଛନ୍ତି। ହେଲେ ବିଜେପିର ଫୋକସ୍ରେ ଥିବା ଏହି ଆସନକୁ ଅଚ୍ୟୁତ ରଖିପାରିବେ ତ! ଟିଟିଲାଗଡ଼ ବିଧାନସଭା ଆସନରେ ପୁଣି ପ୍ରାର୍ଥୀ ହୋଇଛନ୍ତି ଟୁକୁନି ସାହୁ। ଲଗାତାର ଏହି ଆସନରୁ ଜିତି ଆସୁଥିବା ଟୁକୁନିଙ୍କ ବଡ଼ ପ୍ରତିଦ୍ବନ୍ଦ୍ବୀ ସୁରେନ୍ଦ୍ର ସିଂହ ଭୋଇ ଏଥର ବଲାଙ୍ଗୀର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଟୁକୁନିଙ୍କ ଲଢ଼େଇ ଏଥର କଂଗ୍ରେସ ନୁହେଁ ବିଜେପି ପ୍ରାର୍ଥୀଙ୍କ ସହ ହେବାକୁ ଯାଉଛି। ଏପଟେ ସୁରେନ୍ଦ୍ରଙ୍କ ଲଢ଼େଇ ଏଥର ବିଜେଡି ନୁହେଁ ପାଟଣାଗଡ଼ ରାଣୀ ତଥା ବଲାଙ୍ଗୀର ଜିଲ୍ଲାରେ ବିଜେପି ଗଡ଼ ସମ୍ଭାଳିଥିବା ସଂଗୀତା ସିଂହଦେଓଙ୍କ ସହ ହେଉଛି।
ବରଗଡ଼ରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସାଂସଦ ପ୍ରାର୍ଥୀ ହୋଇଛନ୍ତି। ସେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ବିଜେପି ଗଡ଼ ବଞ୍ଚାଇ ପାରିବେ ନା ବିଜେଡି ୨୦୧୯ରେ କରିଥିବା ଭୁଲ୍କୁ ଆଉ ଦୋହରାଇବନି? ବରଗଡ଼ ଆସନ ଛାଡ଼ି ବ୍ରଜରାଜନଗର ମୁହାଁ ହୋଇଥିବା ସୁରେଶ ପୂଜାରୀ ବିଜେଡିର ଏହି ଗଡ଼କୁ ଭାଙ୍ଗି ପାରିବେ ତ! ଦୀର୍ଘ ବର୍ଷ ହେଲା ସୋନପୁରରେ ଜିତି ଆସୁଥିବା ବେିଜେଡିର ନିରଞ୍ଜନ ପୂଜାରୀ ତାଙ୍କ ବିଜୟ ଧାରା ଜାରି ରଖିବେ ନା କଂଗ୍ରେସ/ବିଜେପି କିଏ ବାଟ ଓଗାଳିବ। ବିଜେପିର ନିର୍ବାଚନୀ ପ୍ରଚାର ଅମିତ ଶାହ ଏହିଠାରୁ ଆରମ୍ଭ କରିଥିବାରୁ ବିଜେପି ଫୋକସ୍ରେ ବି ଏହି ଆସନ ରହିଛି। ସାନଖେମୁଣ୍ଡିରେ ବହୁ ପ୍ରତିବନ୍ଧକ ସତ୍ତ୍ବେ ବିଜୟ ହାସଲ କରୁଥିବା କଂଗ୍ରେସର ରମେଶ ଜେନା ନିଜ ଗଡ଼ ବଞ୍ଚାଇ ପାରିବେ ତ! ନା ବିଜେଡି ତା’ ରଣନୀତିରେ ସଫଳ ହେବ।
ଭଞ୍ଜନଗରରୁ ଲଗାତର ଜିତି ଆସୁଥିବା ବିଜେଡିର ବିକ୍ରମ କେଶରୀ ଆରୁଖଙ୍କ ପାଇଁ ଗତ ନିର୍ବାଚନ ଯେତିକି ଚାଲେଞ୍ଜିଂ ହୋଇଥିଲା ଏଥର ତାହା ବଢ଼ିବ ନା କମିବ? ବିଜେପି କଡ଼ା ଟକ୍କର ଦେଇପାରିବ ତ!