ରାତି ପାହିଲେ ପିପିଲି ଉପନିର୍ବାଚନ ପାଇଁ ମତଦାନ, ନେତା ବାଛିବେ ଜନତା

ଭୁବନେଶ୍ୱର: ରାତି ପାହିଲେ ପିପିଲି ଉପନିର୍ବାଚନ ପାଇଁ ମତଗ୍ରହଣ କରାଯିବ। କରୋନାକୁ ଆଖି ଆଗରେ ରଖି ବୁଥ ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସମ୍ବେଦନଶୀଳ ବୁଥ ଗୁଡ଼ିକରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ପୂରା ବ୍ୟବସ୍ଥାକୁ ସିସିଟିଭିର ନଜରରେ ରଖାଯାଇଛି। ହେଲେ ଏସବୁ ଭିତରେ କିନ୍ତୁ ରାଜନୀତି ଥମି ନାହିଁ। କେନ୍ଦ୍ରୀୟ ଫୋର୍ସ ମୁତୟନ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି।

ମତଦାନ ଜରିଆରେ ଜନସାଧାରଣ ପିପିଲି ପାଇଁ ବିଧାୟକ ବାଛିବେ। ନିର୍ବାଚନ ପାଇଁ ପୋଲିଂ ବୁଥରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ଇଭିଏମ ମେସିନ ସହ ଭୋଟ ଗ୍ରହଣ ପାଇଁ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ କରି ରଖିଛନ୍ତି। ନେତା ବାଛିବେ ପିପିଲିର ୨ଲକ୍ଷ ୨୯ ହଜାର ଭୋଟର। ସକାଳ ୭ଟାରୁ ଆରମ୍ଭ ହେବ ମତଦାନ। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ୨୦ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି।

ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ୩୪୮ରୁ ୧୭୫ ସମ୍ବେଦନଶୀଳ ବୁଥ୍‌। ଉପର୍ନିବାଚନ ପାଇଁ ମୋଟ ୩୪୮ଟି ବୁଥରେ ମତଦାନ ହେବ। ସେଥିରୁ ୧୭୫ଟି ସମ୍ବେଦନଶୀଳ ତାଲିକାରେ ରହିଛ। ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ତାଲିକାରେ ରହିଛି। ୧୭୫ ବୁଥରୁ ମତଦାନର ସିଧାପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ସେହିପରି ପୋଲିଂ ବୁଥ୍‌ ଗୁଡିକରେ ସିସିଟିଭି କ୍ୟାମେରା ଲଗାଯାଇଛି। ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ୧୯୮୩ ସୁରକ୍ଷାକର୍ମୀ ଓ ୩୨ ମୋବାଇଲ୍‌ ଟିମ ନିୟୋଜିତ ହୋଇଛନ୍ତି। ସମ୍ବେଦନଶୀଳ କେନ୍ଦ୍ର ଓ ଅତିସମ୍ବେଦନଶୀଳ କେନ୍ଦ୍ର ଗୁଡିକରେ ଅର୍ଦ୍ଧସାମରିକ ବାହିନୀ ଓ ସଶସ୍ତ୍ର ପୋଲିସ ମୂତୟନ କରାଯାଇଛି।

କେନ୍ଦ୍ରୀୟ ଫୋର୍ସ ମୁତୟନ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି। ପିପିଲି ଉପନିର୍ବାଚନ ସମୟରେ ୯୭ଟି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା ନେଇ ସିଇଓଙ୍କୁ ଭେଟି ଦାବି ଜଣାଇଛି ବିଜେପି। କେନ୍ଦ୍ରୀୟ ଫୋର୍ସ ତଥା ପାରା ମିଲିଟାରୀ ଫୋର୍ସ ମୁତୟନ ଦାବିରେ ଗତକାଲି ବିଜେପିର ୭ ଜଣିଆ ଟିମ୍‌ ସିଇଓଙ୍କୁ ଭେଟି ଦାବି ଜଣାଇଥିଲେ। ସେପଟେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡ଼ି। ବିଜେଡ଼ି କହିଛି ରାଜନୈତିକ ଷ୍ଟଣ୍ଟ ତଥା ଡ୍ରାମା କରୁଛି ବିଜେପି।

ଭୋଟରଙ୍କ ପାଇଁ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମତଦାତା ଭୋଟ ଦେବା ପୂର୍ବରୁ ସେମାନଙ୍କୁ ଗ୍ଲୋବସ ଦିଆଯିବ ଓ ଭୋଟ୍‌ ଦେବା ପରେ ମେସିନର ସାନିଟାଇଜ୍‌ କରାଯିବ। ତାପରେ ଆଉ ଜଣେ ଭୋଟର ଭୋଟ ଦେବେ। ସେହିପରି ଯେଉଁମାନଙ୍କ ନିକଟରେ କରୋନାର କିଛି ଲକ୍ଷଣ ଥିବ ସେମାନେ ଶେଷ ମୂହୂର୍ତ୍ତରେ ଭୋଟ ଦେବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର