ବିଜେପୁର: ବିଜେପୁରରେ ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ । ମଧ୍ୟାହ୍ଣ ୧ଟା ସୁଦ୍ଧା ୩୭ ଦଶମିକ ୧ ପ୍ରତିଶତ ମତଦାନ ହୋଇଛି । ଯଦିଓ ଭୋଟ ଦେବା ପାଇଁ ସକାଳୁ ସକାଳୁ ବୁଥମାନଙ୍କରେ ଭିଡ ପରିଲକ୍ଷିତ ହୋଇ ନ ଥିଲା, କିନ୍ତୁ ପରେ ବୁଥକୁ ମତଦାତାଙ୍କ ଭିଡ ବଢ଼ିବାରେ ଲାଗିଥିଲା । ବିଶେଷ କରି ମହିଳା ଭୋଟରମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି, ସେମାନେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ଭୋଟ୍ ଦେଉଛନ୍ତି । ଅନ୍ୟପଟେ ସାଧାରଣ ଭୋଟରଙ୍କ ସହିତ ଧାଡ଼ିରେ ଛିଡା ହୋଇ ନିଜ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି ଜିଲ୍ଲାର ଜଣାଶୁଣା ନେତା।
ପ୍ରଥମେ ବିଜେପୁରର ବିଜେଡି ପ୍ରାର୍ଥୀ ରୀତା ସାହୁ ନିଜ ବୁଥରେ ମତଦାନ ସାବ୍ୟସ୍ତ କରିବା ସହ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ଭୋଟରଙ୍କୁ ଆହ୍ୱାନ ଦେଇଥିଲେ। ଏହା ସହିତ ବିଜେପୁରବାସୀ ବିଜେପୁରର ବିକାଶ ପାଇଁ ଭଲ ପ୍ରତିନିଧି ବାଛିବେ ବୋଲି କହିଛନ୍ତିି ବିଜେପୁର ବିଜେଡି ପ୍ରାର୍ଥୀ ରୀତା ସାହୁ । ଏହା ସହିତ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି । ସେହିଭଳି ବିଜେପି ପ୍ରାର୍ଥୀ ସନତ ଗଡତିଆ ୧୦୫ ନମ୍ବର ବୁଥରେ ମତଦାନ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ନିଜ ବୁଥରେ ଭୋଟ ଦାନ କରିଛନ୍ତି ।
ବିଜେପୁର ଉପନିର୍ବାଚନରେ ମୋଟ ୨ ଲକ୍ଷ ୩୨ ହଜାର ୫୫ ଜଣ ଭୋଟର ସେମାନଙ୍କ ମତ ଅଧିକାର ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରେ ୧ଲକ୍ଷ ୧୯ ହଜାର ୯୩୯ ଜଣ ପୁରୁଷ ଓ ୧ ଲକ୍ଷ ୧୨ ହଜାର ୧୦୧ ମହିଳା ଏବଂ ୧୫ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ତେବେ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦିବ୍ୟଙ୍ଗମାନଙ୍କୁ ମତଦାନ କେନ୍ଦ୍ର ଯାଏଁ ଆଣିବା ପାଇଁ ମୋଟ ୨୩୨୧ଟି ଗାଡିର ବ୍ୟବସ୍ଥା କରାଯାଇଛି । ଭୋଟ କେନ୍ଦ୍ର ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୮ଟି ବୁଥରେ ୱେବକାଷ୍ଟିଂ, ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ମତାଦାନର ଭିଡିଓଗ୍ରାଫି କରାଯାଉଛି । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ନା’ କଂଗ୍ରେସର ଦିଲ୍ଲୀପ ପଣ୍ଡା କାହାକୁ ଭରସା କରିବେ ଲୋକେ । ଏହି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏହାକୁ କବଜା କରିବା ପାଇଁ ଲାଗିପଡିଛନ୍ତି ବିଜେପି ଓ କଂଗ୍ରେସ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Vote-Casted-of-Heavy-Weight-in-Bijepur-Bypoll_Thumbnail.jpg)