ଉତ୍କଳ ସାହିତ୍ୟ ସମାଜ କର୍ମକର୍ତ୍ତା ନିର୍ବାଚନ: ଭୋଟର୍‌ ପହଞ୍ଚିବା ପୂର୍ବରୁ ଭୋଟ୍‌ ଦିଆସରିଛି

କଟକ : ‘ଉତ୍କଳ ସାହିତ୍ୟ ସମାଜ’ର କର୍ମକର୍ତ୍ତା ନିର୍ବାଚନରେ ଜଣେ ଭୋଟର୍‌ ପହଞ୍ଚିବା ପୂର୍ବରୁ ତାଙ୍କ ଭୋଟ୍‌ ଅନ୍ୟ କେହି ଦେଇସାରିବା ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଥିଲା। ଏହାର ପ୍ରତିବାଦରେ ଭୋଟର ଜଣକ ଧାରଣାରେ ବସିବା ଯୋଗୁଁ ସେଠାରେ କିଛି ସମୟ ପାଇଁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ ପ୍ରାୟ ୧ଟା୩୦ ବେଳେ ଆଜୀବନ ସଦସ୍ୟ ଅକ୍ଷୟ କୁମାର ଦାସ (ନମ୍ବର ୩୨୧୩) ମତଦାନ ପାଇଁ କେନ୍ଦ୍ରରେ ପହଞ୍ଚିଥିଲେ। ହେଲେ, ପୋଲିଂ ଅଫିସରଙ୍କ ପାଖରେ ତାଲିକା ଯାଞ୍ଚ କରିବାବେଳକୁ ତାଙ୍କ ନାମରେ କେହି ଦସ୍ତଖତ କରି ଭୋଟ୍‌ ଦେଇସାରିଥିବା ଜାଣିବାକୁ ପାଇଥିଲେ। ସେ ଆସି ନଥିବା ବେଳେ ତାଙ୍କ ଭୋଟ୍‌ କିଏ କେମିତି ଦେଲା ବୋଲି ସେ ପଚାରିବାରୁ ଏହାର ସନ୍ତୋଷଜନକ ଉତ୍ତର ମିଳି ନଥିଲା। ଏହାପରେ ଶ୍ରୀ ଦାସ ନିର୍ବାଚନ ପରିଚାଳନା ଅଧିକାରୀ ନବକିଶୋର ଦାସଙ୍କ ନିକଟରେ ପହଞ୍ଚି ପ୍ରତିବାଦ କରିଥିଲେ ଓ କାର୍ଯ୍ୟାଳୟ ଦୁଆରମୁହଁରେ ଧାରଣା ଦେଇଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏସମ୍ପର୍କରେ ନିର୍ବାଚନ ଅଧିକାରୀ ଶ୍ରୀ ଦାସ କହିଛନ୍ତି, ଧାରଣା ଦେଇଥିବା ବ୍ୟକ୍ତି କେବଳ ସଦସ୍ୟ ହେବାକୁ ଆବେଦନ କରିଛନ୍ତି। ଏଯାବତ୍‌ ସେ ସଦସ୍ୟ ହୋଇନାହାନ୍ତି। ସେଇ ନାମରେ ସଦସ୍ୟ ଥିବା ଅନ୍ୟଜଣେ ବ୍ୟକ୍ତିଙ୍କ ନାମ ପଢ଼ି ସେ ନିଜର ଭାବି ଭୋଟ୍‌ ଦେବାକୁ ଆସିଥିଲେ। ତାଙ୍କୁ ବୁଝାଇ ପଠାଇ ଦିଆଯାଇଛି। ୪ଦିନ ପରେ ସେ ଆସି ସବୁ କାଗଜ ଯାଞ୍ଚ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର