ବାଲେଶ୍ୱର, ତିର୍ତ୍ତୋଲରେ ଭୋଟ୍ ଆଜି; ସକାଳ ୭ଟାରେ ଭୋଟଗ୍ରହଣ ଆରମ୍ଭ, ସନ୍ଧ୍ୟା ୬ଟାରେ ସରିବ

୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ସାଢ଼େ ୪ ଲକ୍ଷ ଭୋଟର

କୋଭିଡ୍ କଟକଣା କଡ଼ାକଡ଼ି, ତାପମାତ୍ରା ମପାଯିବା ପରେ ମତଦାନ
ଗ୍ଲୋବ୍‌ସ ଦିଆଯିବ, ପ୍ରତି ୧୦୦୦ ଭୋଟରରେ ଗୋଟିଏ ବୁଥ୍

ଭୁବନେଶ୍ୱର : ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଆସନ୍ତାକାଲି ଭୋଟଗ୍ରହଣ ହେବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ୪ଲକ୍ଷ ୬୯ ହଜାର ୪୫୦ ଭୋଟର ୧୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ବାଲେଶ୍ବରରେ ୨ଲକ୍ଷ ୩୦ ହଜାର୨୯୭ ଭୋଟର ୬ଜଣ ପ୍ରାର୍ଥୀଙ୍କ ସଂପର୍କରେ ତାଙ୍କ ରାୟ ଦେବେ। ସେହିଭଳି ତିର୍ତ୍ତୋଲରେ ୨ଲକ୍ଷ ୩୯ ହଜାର ୧୫୩ ଭୋଟର ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ୯ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଧାନସଭାକୁ ଯିବାକୁ କିଏ ଯୋଗ୍ୟ, ତାହା ବାଛିବେ। ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଯେ କୋଭିଡ୍ କଟକଣା ଭିତରେ ଉପନିର୍ବାଚନ ପ୍ରସ୍ତୁତି ଆପାତତଃ ସରିଛି।

ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଲୋହାନୀ କହିଛନ୍ତି ଯେ ଆସନ୍ତାକାଲି ଗୋଟିଏ ଗୋଟିଏ ବୁଥରେ ସର୍ବାଧିକ ହଜାରେ ଜଣ ମତଦାନ କରିପାରିବେ। ଏଣୁ ବାଲେଶ୍ବରରେ ବୁଥ୍‌ ସଂଖ୍ୟା ୧୯୮ରୁ ବୃଦ୍ଧି ପାଇ ୩୪୬ ହୋଇଛି। ଠିକ୍ ସେହିଭଳି ତିର୍ତ୍ତୋଲରେ ୨୬୫ ବୁଥ୍ ପରିବର୍ତେ ୩୭୩ଟି ସ୍ଥାନରେ ମତଦାନ କେନ୍ଦ୍ର କରାଯାଇଛି। ଏ ସମସ୍ତ ବୁଥ୍‌କୁ ସାନିଟାଇଜ୍ କରାଯାଇଛି ଓ ଆସନ୍ତାକାଲି ମଧ୍ୟ ନିୟମିତ ବ୍ୟବଧାନରେ ଏହି ପ୍ରକ୍ରିୟା ଜାରି ରହିବ।

ସୁସ୍ଥ ଥିବା ସମସ୍ତ ଅଧିକାରୀ ହିଁ ନିର୍ବାଚନ ଡ୍ୟୁଟିରେ ଅଛନ୍ତି। ତା ସତ୍ତ୍ବେ ନିର୍ବାଚନ ଅଧିକାରୀଙ୍କୁ ପିପିଇ କିଟ୍ ଦିଆଯାଇଛି ଏବଂ ଭୋଟରଙ୍କୁ ଗ୍ଲୋଭ୍‌ସ ଦିଆଯିବ। ସେମାନେ ଡାହାଣ ହାତରେ ପିନ୍ଧିବେ ଓ ମତଦାନ ପରେ ପାଖରେ ଥିବା ଡଷ୍ଟବିନ୍‌ରେ ପକାଇବେ। ଯେହେତୁ ବୁଥ୍ ସଂଖ୍ୟା ବୃଦ୍ଧି ପାଇଛି, ଏଣୁ ଭୋଟରଙ୍କ ମଧ୍ୟରେ ଦ୍ବନ୍ଦ୍ବ ବଢିପାରେ। ଏଣୁ ବିଏଲ୍‌ଓଙ୍କ ମାଧ୍ୟମରେ ସ୍ଲିପ୍ ଦିଆଯାଇଛି, ଯେଉଁଥିରେ କେଉଁ ବୁଥକୁ ଯିବାକୁ େହବ ତାହା ଭୋଟର ଜାଣିପାରିବେ ବୋଲି ଶ୍ରୀ ଲୋହାନୀ କହିଛନ୍ତି। ତିର୍ତ୍ତୋଲରେ ୫ଟି ଏବଂ ବାଲେଶ୍ବରରେ ୧୨ଟି ବୁଥ୍‌କୁ ବାଦ୍ ଦେଲେ ବାକି ସମସ୍ତ ମତଦାନ କେନ୍ଦ୍ର ଗୋଟିଏ କ୍ୟାମ୍ପସରେ ହିଁ ରହିଛି ବୋଲି ସୂଚନା ଦେଇ ଶ୍ରୀ ଲୋହାନୀ କହିଛନ୍ତି ଯେ ଯାହା ପାଖରେ ଭୋଟର କାର୍ଡ ନାହିଁ, ସେମାନେ ବାକି ୧୧ଟି ପରିଚୟପତ୍ର ମଧ୍ୟରୁ ଯେ କୌଣସି ବ୍ୟବହାର କରିପାରିବେ। ତେବେ େଭାଟର ସ୍ଲିପ୍ ପରିଚୟ ପତ୍ର ଭାବେ କାମ କରିବ ନାହିଁ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ବାଲେଶ୍ବରରେ ୮୬ଟି ଓ ତିର୍ତ୍ତୋଲରେ ୧୫୫ଟି ବୁଥ୍‌କୁ ସମ୍ବେଦନଶୀଳ ବୋଲି ଘୋଷଣା କରାଯାଇଛି। ସମୁଦାୟ ୬ କଂପାନି ସିଆର୍‌ପିଏଫ୍, ୯୦ ପ୍ଲାଟୁନ୍ ପୁଲିସ ଫୋର୍ସ, ୨୫୧ ପୁଲିସ ଅଫିସରଙ୍କୁ ନିୟୋଜିତ କରାଯାଇଛି। ସବୁ ମତଦାନ କେନ୍ଦ୍ର ସିସିଟିଭି ନଜରରେ ରହିବ। ଭୋଟର ୬ଫୁଟ ସାମାଜିକ ଦୂରତା ରକ୍ଷା କରିବେ। ପ୍ରଥମେ ତାଙ୍କର ତାପମାତ୍ରା ମପାଯିବ। ଯାହାର ତାପମାତ୍ରା ଅଧିକ ଥିବ, ତାଙ୍କୁ ଗୋଟିଏ ଟୋକନ ଦିଆଯିବ। ସେମାନେ ଶେଷ ସମୟରେ ଭୋଟ ଦେବେ। ଡାକ୍ତର ଯଦି କୋଭିଡ୍ ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି, ତେେବସେମାନେ ପିପିଇ କିଟ୍ ପିନ୍ଧି ଆସି ଭୋଟ ଦେଇପାରିବେ। ତେବେ ନ ଆସିଲେ ଭଲ।

ସମ୍ବନ୍ଧିତ ଖବର