ଝାରସୁଗୁଡ଼ାରେ ଭୋଟ୍ ଆଜି: ୯ ଜଣଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ୨.୨୧ ଲକ୍ଷ ଭୋଟର

ଝାରସୁଗୁଡ଼ା: ରାତି ପାହିଲେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଏଥିପାଇଁ ବୁଥ, ପୁଲିଂ ଅଫିସର ସବୁ ପ୍ରସ୍ତୁତ ହୋଇ ରହିଛନ୍ତି। ଉପନିର୍ବାଚନରେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ମତଦାନ କରିବେ। ଏଥିପ‌ାଇଁ ଝାରସୁଗୁଡ଼ା ପୌରପରିଷଦ ସହ ଝାରସୁଗୁଡ଼ା, କୋଲାବିରା, ଲଇକେରା ଓ କିର୍ମିରା ବ୍ଲକ୍‌ରେ ମୋଟ୍‌ ୨୫୩ଟି ବୁଥ୍‌ ପ୍ରତିଷ୍ଠା କରାଯାଇଛି। ଆଦର୍ଶ ଓ ପିଙ୍କ ବୁଥଗୁଡ଼ିକରେ ଭୋଟରଙ୍କ ପାଇଁ ସ୍କ୍ବାସ୍‌ ପାଣି, ସରବତ, ତରଭୁଜର ବି ବ୍ୟବସ୍ଥା କରାଯାଇଛି। କିଛି ସ୍ଥାନରେ ଭୋଟରଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯିବା ନେଇ ମଧ୍ୟ ପ୍ରସ୍ତୁତି ଜାରି ରହିଛି। ବୁଥ୍‌କୁ ଆସିବାକୁ ସକ୍ଷମ ନଥିବା ୩୨୧ ଜଣ ବରିଷ୍ଠ ନାଗରିକଙ୍କ ଘରୁ ପୋଷ୍ଟାଲ ବ୍ୟାଲଟ୍‌ ଯୋଗେ ଭୋଟ୍‌ ଗ୍ରହଣ ହୋଇଛି। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ବୁଥରେ ହ୍ବିଲ ଚେୟାରର ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶହେରୁ ଅଧିକ ଅଟୋ‌ ମଧ୍ୟ ପ୍ରଦାନ କରାଯାଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୁଲିଂ ବୁଥ ପରିସରରେ ସେଲ୍‌ଫି ପଏଣ୍ଟ ମଧ୍ୟ କରାଯାଇଛି।

ନିର୍ବାଚନ ପରିଚାଳନା ପାଇଁ ମୋଟ୍‌ ୧୦୧୨ ଜଣ ପୁଲିଂ ଅଫିସର୍‌, ୧୦୮ ରିଜର୍ଭ ପୁଲିଂ ଅଫିସର୍‌, ୧୦୪ ଜଣ ମହିଳା ପୁଲିଂ ଅଫିସର୍‌ ଓ ୭୪ ଜଣ ମାଇକ୍ରୋ ଅବଜରଭର୍‌ ରହିଛନ୍ତି। ସମସ୍ତ ୨୫୩ଟି ବୁଥରେ ୱେବକାଷ୍ଟିଂ ହେବ। ବୁଥରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରାର ଲାଇଭ୍‌ ଫିଡ୍‌ ଏସ୍‌ପି ଓ ଡିଇଓଙ୍କ କାର୍ଯ୍ୟାଳୟରେ ନିରୀକ୍ଷଣରେ ରହିବ। ସେପଟେ, ସମ୍ବେଦନଶୀଳ ୨୯ଟି ବୁଥ ଉପରେ ନିରୀକ୍ଷଣ ପାଇଁ ଡ୍ରୋନ୍‌ ମଧ୍ୟ ନିୟୋଜିତ କରାଯିବ ବୋଲି ମଙ୍ଗଳବାର ଏସ୍‌ପି ସ୍ମିଥ ପି. ପରମାର ସୂଚନା ଦେଇଛନ୍ତି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସମସ୍ତ ବୁଥକୁ ଇଭିଏମ୍‌ ଓ ଭିଭିପିଏଟି ମେସିନ୍‌ ମଧ୍ୟ ପହଞ୍ଚି ସାରିଛି। ପୁଲିଂ ବୁଥଗୁଡ଼ିକୁ ପୁଲିସ୍‌ ଛାଉଣିରେ ରଖାଯାଇଥିବା ବେଳେ ଭୋଟିଂ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ତାକୁ ମୁକାବିଲା ପାଇଁ ପୁଲିସ୍‌ ପକ୍ଷରୁ ୨୫ଟି ମୋବାଇଲ୍‌ ଟିମ୍‌ ନିୟୋଜିତ କରାଯାଇଛି।

ସମ୍ବନ୍ଧିତ ଖବର