ମାଲକାନଗିରି: କେବେ ଅପବାଦ ମୁଣ୍ଡାଇଥିଲା। ଏବେ ନୂଆ ନୂଆ ରେକର୍ଡ କରୁଛି ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ। ସଦ୍ୟ ଶେଷ ହୋଇଥିବା ନିର୍ବାଚନ ପୁଣି ଗୋଟିଏ ରେକର୍ଡ କରିଛି। ୭୧ପ୍ରତିଶତ ଭୋଟର ଏଥର ନିର୍ବାଚନରେ ନିଜ ଅଧିକାର ସାବ୍ୟସ୍ତ କରିଛନ୍ତି। ଯଦି ୭ବର୍ଷ ପଛକୁ ଫେରିବା ତେବେ ସ୍ବାଭିମାନ ଅଞ୍ଚଳରେ ନକ୍ସଲଙ୍କ ଶାସନ ଚାଲିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ୨୦୧୭ ମସିହାରେ ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇଥିଲା। କେବଳ ଚିତ୍ରକୋଣ୍ଡା ବ୍ଲକରେ ନିର୍ବାଚନ କରାଇ ପାରିନଥିଲେ ସରକାର। ଭୋଟ ଦେଲେ ଅଙ୍ଗୁଳି କାଟିବାର ଚେତାବନୀ ଦେଇଥିଲେ ମାଓବାଦୀ। ପୋଲିଂ ପାର୍ଟିକୁ ଅପହରଣ କଲେ। ତେଣୁ ନିର୍ବାଚନ ପରିଚାଳନା ନିମନ୍ତେ କୌଣସି ପୋଲିଂ କର୍ମଚାରୀ ରାଜି ହୋଇନଥିଲେ। ମାଓବାଦୀଙ୍କ ଭୟ କେବଳ ଭୋଟରଙ୍କୁ ନଥିଲା, ସରକାର ମଧ୍ୟ ମାଓବାଦୀଙ୍କୁ ସେହି ସମୟରେ ଏକପ୍ରକାର ଭୟ କରିଥିଲେ। ଯାହାଫଳରେ ଜନପ୍ରତିନିଧି ପାଇବାରୁ ବଞ୍ଚିତ ହେଲା ସଂପୂର୍ଣ୍ଣ ବ୍ଲକ। ବିନା ଜନପ୍ରତିନିଧିରେ ଉନ୍ନୟନ କାର୍ଯ୍ୟ ପ୍ରାୟ ଠପ୍ ହୋଇଗଲା। ଏଥିପାଇଁ ସରକାର ତୀବ୍ର ସମାଲୋଚିତ ହୋଇଥିଲେ। ୨୦୧୮ ମସିହା ବେଳକୁ ସ୍ବାଭିମାନ ଅଞ୍ଚଳରେ ବଡ଼ ପରିବର୍ତ୍ତନ ହେଲା। ଅଞ୍ଚଳ ସହ ନୂଆ ସଂପର୍କ ଯୋଡ଼ିଲା ଗୁରୁପ୍ରିୟା ସେତୁ।
ନୂଆ ବିଏସ୍ଏଫ୍ କ୍ୟାମ୍ପ ସ୍ଥାପନ ସହ ପ୍ରତି ଗାଁକୁ ରାସ୍ତା କାମ ଗତିଶୀଳ ହେଲା। ଲୋକଙ୍କୁ ନିଜ ଘର ପାଖରେ ସରକାରୀ ସୁବିଧା ତଥା ସୁଯୋଗ ମିଳିଲା। ଘନଘନ କମ୍ବିଂ ଅପରେସନ ଏବଂ କିଛି ବଡ଼ ଏନ୍କାଉଣ୍ଟର ଯୋଗୁଁ ମାଓବାଦୀ ପଛଘୁଞ୍ଚା ଦେଲେ। ପରିସ୍ଥିତି ଏମିତି ହେଲା ଯେ, ଯେଉଁ ମାଓବାଦୀ ପୂର୍ବରୁ ଭୟର ବାତାବରଣ ସୃଷ୍ଟି କରିଥିଲେ ଏବେ ସୁରକ୍ଷା କର୍ମୀଙ୍କୁ ଦେଖି ନିଜେ ଭୟଭୀତ ହେଲେ। ଯାହାଫଳରେ ୨୦୨୨ ମସିହାରେ ପଞ୍ଚାୟତ ନିର୍ବାଚନ ସମ୍ଭବ ହୋଇପାରିଲା। ବିନା ବାଧାରେ ଏବଂ ବିନା ସଂକୋଚରେ ଲୋକେ ନିଜ ପ୍ରତିନିଧିଙ୍କୁ ବାଛିଲେ। ତଥାପି ପୂର୍ବ ସ୍ଥିତିକୁ ଆକଳନ ପରେ ୨୦୨୪ ନିର୍ବାଚନ କେମିତି ହେବ ତାହା ପ୍ରଶାସନ ଏବଂ ପୁଲିସ ପାଇଁ ଚ୍ୟାଲେଞ୍ଜ ଥିଲା।
କାରଣ ୨୦୧୯ ନିର୍ବାଚନରେ ମାତ୍ର ୨୬ ପ୍ରତିଶତ ଭୋଟିଂ ହୋଇଥିଲା। ସ୍ବାଭିମାନ ଅଞ୍ଚଳର ୧୮,୫୨୭ ଭୋଟରଙ୍କୁ ମଧ୍ୟରୁ ମାତ୍ର ୪,୮୩୭ଜଣ ମତଦାନ କରିଥିଲେ। ମୋଟ ୨୩ଟି ବୁଥ୍ ମଧ୍ୟରୁ ୧୨ଟି ବୁଥ୍ରେ ନକ୍ସଲ ଭୟ ଯୋଗୁଁ ଗୋଟିଏ ବି ଭୋଟ୍ ପଡ଼ିନଥିଲା। ଅନ୍ୟ ୧୧ଟି ବୁଥରେ କମ୍ ସଂଖ୍ୟାରେ ମତଦାନ ହୋଇଥିଲା। କିନ୍ତୁ ଗତକାଲିର ଚିତ୍ର ଏବଂ ମତଦାନ ହାର ସବୁ ଆଶଙ୍କା ଏବଂ ଦ୍ବନ୍ଦ୍ବକୁ ଦୂର କରିଛି। ୯ଟି ପଞ୍ଚାୟତର ୧୯,୫୭୭ ଭୋଟରଙ୍କ ମଧ୍ୟରୁ ୧୩,୯୧୩ ଜଣ ମତଦାନ କରିଛନ୍ତି। ମାଓଗଡ଼ ଭାବେ ପରିଚିତ ଯନ୍ତ୍ରୀରେ ୭୫ ପ୍ରତିଶତ ଏବଂ ସନ୍ନ୍ୟାସୀଗୁଡ଼ାରେ ୬୮ ପ୍ରତିଶତ ମତଦାନ ହୋଇଛି। ବଡ଼ କଥା ହେଲା ଯନ୍ତ୍ରୀ ପଞ୍ଚାୟତର ଦୁଇଟି ବୁଥ୍ରେ ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ଲୋକେ ମତଦାନ ପାଇଁ ନିଜ ଘରୁ ବାହାରିଥିଲେ। ସୁରକ୍ଷା ବ୍ୟବସ୍ଥା ବି ଲୋକଙ୍କ ଭୟ ଦୂର କରିବାରେ ସକ୍ଷମ ହୋଇଥିଲା। ମତଦାନର ଏହି ଶ୍ରେୟ ଏବେ ବିଡିଓ ତନ୍ମୟ ପାତ୍ର, ଜିଲ୍ଲାପାଳ ସଚିନ ପାଵାର ଏବଂ ଏସ୍ପି ନୀତୀଶ ଵାଧଵାନୀଙ୍କୁ ଦିଆଯାଉଛି। ସେହିପରି ବିଏସ୍ଏଫ୍ର କଠିନ ପରିଶ୍ରମକୁ ମଧ୍ୟ ପ୍ରଶଂସା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhffhfhtt.jpg)