ଅନୁଗୁଳ: ସମସ୍ୟାର ଅଭାବ ନାହିଁ। ହେଲେ ଏହି ସମସ୍ୟାକୁ ପ୍ରସଙ୍ଗ କରି ଆଗକୁ ବଢ଼ିବା ପାଇଁ ନେତାଙ୍କ ଅଭାବ ରହିଛି। ଏଥିପାଇଁ ପ୍ରଦୂଷଣରୁ ବିସ୍ଥାପନ ପର୍ଯ୍ୟନ୍ତ ହଜାରେ ସମସ୍ୟାରେ ସନ୍ତୁଳି ହେଉଥିଲେ ବି ଏହାର ସମାଧାନ ହୋଇପାରୁନି। ପାନୀୟଜଳ, ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ପରି ମୌଳିକ ସେବା ବି ଲୋକଙ୍କୁ ଠିକ୍ ଭାବେ ମିଳୁନି। ଏହା ସବୁ ଆସନ୍ତା ନିର୍ବାଚନରେ ପ୍ରସଙ୍ଗ ପାଲଟୁଛି କି ନାହିଁ ତାହା ଉପରେ ଏବେ ଭୋଟରଙ୍କ ନଜର। ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ୬ ବର୍ଷ ହେଲା ସରୁନି। କେବେ ସରିବ ଜଣାନାହିଁ। ଅନ୍ୟ ଦୁଇ ରାଜପଥ ବି ଶୋଚନୀୟ। ଏଥିପାଇଁ ଅନୁଗୁଳରେ ସଡ଼କ ଦୁର୍ଘଟଣା ନିତିଦିନିଆ ଘଟଣା ହୋଇଥିଲାବେଳେ ବର୍ଷକୁ ୨ଶହରୁ ଅଧିକ ଜୀବନ ଯାଉଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେତାମାନେ ନିର୍ବାଚନ ପ୍ରସଙ୍ଗ କରୁଛନ୍ତି କି ନାହିଁ ଲୋକେ ଜଗି ବସିଛନ୍ତି। ଏପରିକି ରାସ୍ତା ନାହିଁ ତ ଭୋଟ୍‌ ନାହିଁ ‌ବୋଲି ପ୍ରଭାବିତ ପରିବାର ମନସ୍ଥ କରିସାରିଲେଣି। ଏପଟେ ଶିଳ୍ପ ବହୁଳ ଅନୁଗୁଳ ଜିଲ୍ଲାରେ କଳକାରଖାନା ଓ ଖଣିଖାଦାନ ପାଇଁ ବିସ୍ଥାପନ ଏକ ବଡ଼ ସମସ୍ୟା ଭାବେ ଦୀର୍ଘ ଦିନ ହେଲା ଛିଡ଼ା ହୋଇଛି। ତାଳଚେର ଓ ଛେଣ୍ଡିପଦାରେ କୋଇଲା ଖଣି ପାଇଁ ବହୁ ଲୋକ ସେମାନଙ୍କ ଭିଟାମାଟି ହରାଇଛନ୍ତି।

Advertisment

କଲବଲ କରୁଛି ଜାତୀୟ ରାଜପଥ
ସ୍ବପ୍ନ ପାଲଟିଛି ମେଡିକାଲ କଲେଜ
ଧୂଳିଧୂଆଁରେ ଆକ୍ତାମାକ୍ତା ଅନୁଗୁଳ
ପାଣି ମିଳୁନି, ଜଳସେଚନ ନାହିଁ

ନାଲକୋ, ଏନ୍‌ଟିପିସି, ଜେଏସ୍‌ପିଏଲ ଓ ଅନ୍ୟ ଶିଳ୍ପାନୁଷ୍ଠାନ ପାଇଁ ଲୋକମାନଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ରେଙ୍ଗାଳି ଜଳଭଣ୍ଡାର ଓ ସମଲ ବ୍ୟାରେଜ୍‌ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ ସମସ୍ୟାର ଏ ପର୍ଯ୍ୟନ୍ତ ସମାଧାନ ହୋଇପାରିନି। ଏହି ବିସ୍ଥାପନ ସମସ୍ୟା ସହ ଅନୁଗୁଳବାସୀଙ୍କ ପୁରୁଣା ସମ୍ପର୍କ ରହିଥିଲେ ମଧ୍ୟ ଏହା ନୂଆ ପ୍ରସଙ୍ଗ ହେଉଛି କି ନାହିଁ ତାହା ଏହି ନିର୍ବାଚନ ହିଁ କହିବ। କିଛି ବର୍ଷ ହେଲା ଅନୁଗୁଳ ଜିଲ୍ଲାରେ ପ୍ରଦୂଷଣ ଭୟାନକ ରୂପ ନେବାରେ ଲାଗିଛି। ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ସହ ମୃତ୍ତିକା ବି ପ୍ରଦୂଷିତ ହେଉଛି। ଜିଲ୍ଲାବାସୀ ନାନା ରୋଗର ଶିକାର ହେଉଥିଲାବେଳେ ଅକାଳରେ ଅନେକ ଜୀବନ ଯାଉଛି। ଏପଟେ ପ୍ରଦୂଷଣ ଓ ଦୂଷିତ ପାନୀୟ ଜଳ ପାଇଁ ଜିଲ୍ଲାର ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ଜିଲ୍ଲାର ଡାକ୍ତରଖାନାଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ଓ ଡାକ୍ତର ନାହାନ୍ତି। ଦୀର୍ଘବର୍ଷ ଧରି ଲୋକେ ଦାବି କରି ଆସୁଥିବା ମେଡିକାଲ କଲେଜ ଅଧପନ୍ତରିଆ ହୋଇ ପଡ଼ିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିବାଦ ଭିତରେ ଏହା ନିର୍ମାଣ ସରିଥିଲେ ବି ଲୋକଙ୍କୁ ସେବା ମିଳୁନି।

ଅନୁଗୁଳରେ ଗୋଟିଏ ହେଲେ ବି ଜାତୀୟ ସ୍ତରର ଶିକ୍ଷାନୁ‌ଷ୍ଠାନ ନାହିଁ। କଲେଜଗୁଡ଼ିକରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ଏପଟେ ଜିଲ୍ଲାସାରା ଭୂତଳ ଜଳର ମାନ ଖରାପ ଥିଲାବେଳେ ମେଗା ପାନୀୟଜଳ ପ୍ରକଳ୍ପଗୁଡ଼ିକ ଶେଷ ହେଉନି। ଅଧିକାଂଶ ଗାଁରେ ଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିଛି। ତେଣୁ ଭଲ ପାଣି ମୁନ୍ଦେ ପାଇଁ ଲୋକେ ଛଟପଟ ହେଉଛନ୍ତି। ଜଳସେଚନ ସୁବିଧା ନ ଥିବାରୁ ବର୍ଷା ନ ହେଲେ ଚାଷବାସ ବନ୍ଦ। ଚକବନ୍ଦୀ ସମସ୍ୟାରେ ଜିଲ୍ଲାର ୯୨ ଖଣ୍ଡ ଗାଁର ଚାଷୀ ସନ୍ତୁଳି ହୋଇଗଲେଣି। ତେଣୁ ଚାଷୀଙ୍କ ଭିତରେ ବି ଅସନ୍ତୋଷ ଦାନା ବାନ୍ଧିଛି।