ଉତ୍ତର ଓଡ଼ିଶାରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ମତଦାନ, ଦିନ ୧୦ଟା ସୁଦ୍ଧା ହୋଇଛି ୪୪ପ୍ରତିଶତ ମତଦାନ

ବାଲେଶ୍ଵର: ପ୍ରଥମ ପର୍ଯ୍ୟାୟରେ ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ଓ ଭୋଗରାଇର ୧୧୩୬ଟି ବୁଥରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଛି। ପୂର୍ବାହ୍ନ ୭ ଟାରୁ ମତଦାନ କରୁଛନ୍ତି ଭୋଟର। ଦିନ ୧୦ ଟା ସୁଦ୍ଧା ଏହି ଦୁଇ ବ୍ଲକରେ ୪୪ ପ୍ରତିଶତ ମତଦାନ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଉପରୋକ୍ତ ଦୁଇ ବ୍ଲକରେ ୧୦୯ ଟି ସମ୍ବେଦନଶୀଳ ବୁଥ୍ ଥିବାବେଳେ ସେସବୁ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତି ଶୃଙ୍ଖଳା ଦାୟିତ୍ଵରେ ବାଲେଶ୍ଵର ଆଡିସନାଲ୍ ଏସ୍ପି ଗୋବିନ୍ଦ ସେଠୀ, ହେଡକ୍ବାର୍ଟର ଡିଏସ୍ପି ଏଆର ରାୟ ଓ ଜଳେଶ୍ଵର ଏସ୍ଡିପିଓ ଅଙ୍କିତା କୁମ୍ଭାର ରହିଛନ୍ତି। ବିଭିନ୍ନ ବୁଥରେ ୫୦୦ରୁ ଅଧିକ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି।

ପ୍ରକାଶଯୋଗ୍ୟ ଯେ, ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଜଳେଶ୍ଵର ବ୍ଲକରେ ୪ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୩୪ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୪୪୬ଟି ଓ୍ବାର୍ଡର ଓ୍ବାର୍ଡସଭ୍ୟ ଏବଂ ଭୋଗରାଇ ବ୍ଲକରେ ୬ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ,୫୦ଟି ଗ୍ରାମ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ଓ ୬୯୦ ଟି ଓ୍ବାର୍ଡରେ ଓ୍ବାର୍ଡସଭ୍ୟ ପଦବୀ ପାଇଁ ମତଦାନ ହେଉଛି।

ସେହିପରି ଆଜି ବାଲେଶ୍ବର ଜିଲ୍ଲାର ଭୋଗରାଇ ଓ ଜଳେଶ୍ବର ସହ ମୟୂରଭଞ୍ଜ ଜିଲ୍ଲାର ୭ଟି ବ୍ଲକ୍; ବାଙ୍ଗିରିପୋଷି, ମୋରଡ଼ା, ଖୁଣ୍ଟା, ଜିବି ନଗର, କୁଳିଅଣା, ରାସଗୋବିନ୍ଦପୁର, ଚିତ୍ରଡ଼ା, ଶ୍ୟାମାଖୁଣ୍ଟା ଏବଂ ଭଦ୍ରକ ଜିଲ୍ଲାର ୨ଟି ବ୍ଲକ୍; ଭଦ୍ରକ ଓ ବନ୍ତରେ ମତଦାନ କରାଯାଉଛି। ତେବେ କାଁଭାଁ ପାଟିତୁଣ୍ଡ ଓ ଯୁକ୍ତିତର୍କକୁ ଛାଡି ଦେଲେ କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ।

ସମ୍ବନ୍ଧିତ ଖବର