ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି: ରାଜ୍ୟର ବହୁ ବୁଥ୍‌ରେ ମତଦାନ ବିଳମ୍ବିତ

ଭୁବନେଶ୍ୱର : ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ। ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ଭୋଟଦାନ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ମତଦାନ କେନ୍ଦ୍ରରେ ଇଭିଏମ୍‌ରେ ଦେଖାଦେଇଛି ଯାନ୍ତ୍ରିକ ତ୍ରୁଟି। ଫଳରେ କେତେକ ନିର୍ବାଚନ ମଣ୍ଡଳୀରେ ମତଦାନ ବିଳମ୍ବିତ ହୋଇଛି, ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଆଜି ସକାଳୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ସକାଳୁ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରମାନଙ୍କ ଭିଡ଼ ଦେଖିବାକୁ ମିଳିଛି। କେତେକ ବୁଥ୍‌ରେ ମତଦାନ ସୁରୁଖୁରୁରେ ଚାଲିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି। ଫଳରେ ମତଦାନ ବିଳମ୍ବିତ ହେବାରେ ଲାଗିଛି। ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁରର ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଲିର ବୁଥ୍‌ ନମ୍ବର ୩୮ରେ ଲୋକସଭା ଭିଭିପିଏଟି କାମ କରୁ ନ ଥିବାରୁ ଲୋକେ ଭୋଟ୍‌ ଦେବାକୁ ଧାଡ଼ି ବାନ୍ଧି ଅପେକ୍ଷା କରିଛନ୍ତି। ଝଙ୍କରପାଲିର ବୁଥ୍‌ ନମ୍ବର ୩୬ ଓ ୩୭ରେ ଇଭିଏମ୍‌ କାମ କରୁ ନ ଥିବାରୁ ପୋଲିଙ୍ଗ୍‌ ପାର୍ଟି ଚିନ୍ତିତ ହୋଇ ପଡ଼ିଛନ୍ତି। ରେଢ଼ାଖୋଲର ହୁମା ଠାରେ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ମତଦାନ ହୋଇ ପାରୁ ନାହିଁ। କୁଚିଣ୍ଡାର କତରାପାଲିର ୧୨୨ ନମ୍ବର ବୁଥ୍‌ରେ ବି ଇଭିଏମ୍‌ କାମ କରୁନାହିଁ।

କୁଚିଣ୍ଡାର ବିଧାନସଭା ନିର୍ବାଚନ ମଣ୍ଡଳୀର ଜମନକିରା ଖରସାମାଳ ଗ୍ରାମପଞ୍ଚାୟତର ଟଙ୍ଗାରାପାଲି ବୁଥ୍‌ରେ ଭିଭିପିଏଟି ମେସିନ୍‌ ଖରାପ ହେବାରୁ ୫୩ ମିନିଟ୍‌ ବିଳମ୍ବରେ ଭୋଟ୍‌ ଗ୍ରହଣ ଆରମ୍ଭ ହେଲା। ଦେହେରାପାଲି ସେବାଷ୍ଟିଆନ୍‌ ସ୍କୁଲ୍‌ରେ ଭିଭିପିଏଟି ମେସିନ ଅଚଳ ହୋଇପଡ଼ିଛି। ବୁର୍ଲାର ବୁଥ୍‌ ନମ୍ବର ୧୧, ୧୨ରେ ଇଭିଏମ୍‌ କାମ କରୁନି।

ଭୁବନେଶ୍ୱର ଉତ୍ତର ଅନ୍ତର୍ଗତ ମରିଚିଆର ବୁଥ୍‌ ନମ୍ବର ୧୦ ଇଭିଏମ୍‌ ତ୍ରୁଟି ସଜଡ଼ା ଯିବା ପରେ ସେଠାରେ ପ୍ରାୟ ୪୦ ମିନିଟ୍‌ ବିଳମ୍ବରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି।

କଟକ ସହରର ରାଜାବଗିଚାରେ ବୁଥ୍‌ ନମ୍ବର ୧୭୯ ଏବଂ ବାଦାମବାଡ଼ି ନିଉ କଲୋନିର ୧୬୯ ରେ ଇଭିଏମ୍‌ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ବ।

କରଞ୍ଜିଆ ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୩୬, ଖୋର୍ଦ୍ଧା ଅନ୍ତର୍ଗତ ବେଗୁନିଆର ବୁଥ୍‌ ନମ୍ବର ୩୪ ଓ ୩୬ ଏବଂ ଜଟଣୀର ୮୧, ୮୨, ୮୩ , ଆନନ୍ଦପୁର ଅଞ୍ଚଳର ପୁରୁଣାବାନ୍ଦଗୁଡ଼ାର ବୁଥ୍‌ ନମ୍ବର ୨୮୧, ସରଳା ଅଞ୍ଚଳ ଖପରାଖାଇର ବୁଥ୍‌ ନମ୍ବର ୯୦, କେନ୍ଦୁଝର ମ୍ୟୁନିସିପାଲିଟିର ବୁଥ୍‌ ନମ୍ବର ୨୨୧, ୨୪୩ ଓ ୨୫୫ ବୁଥ୍‌ରେ ଇଲେକ୍‌ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନ୍‌ରେ ତ୍ରୁଟି ଥିବାରୁ ଭୋଟ୍‌ ଗ୍ରହଣ କରି ହେଉ ନ ଥିବା ଖବର ମିଳୁଛି।

ସେହିପରି କାମାକ୍ଷାନଗରର ୧୯ ନଂ ବୁଥ୍, ଚମ୍ପୁଆର ୨୫ ନଂ, ବ୍ରହ୍ମଗିରିର ୧୫୪ ନଂ ଓ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ୬ଟି ବୁଥରେ ଇଭିଏମ ଅଚଳ।

ଏ ପର୍ଯ୍ୟନ୍ତ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ୧୨ଟି ସ୍ଥାନରେ ଇଭିଏମ୍‌ ତ୍ରୁଟି ପରିଲକ୍ଷିତ ହୋଇଛି। ଚମ୍ପୁଆର ମଡେଲ୍‌ ବୁଥ୍‌ରେ ବି ତ୍ରୁଟି। ପାଟଣା ଉଭିଏମ୍‌ରେ ମଧ୍ୟ ତ୍ରୁଟି ଦେଖାଦେଇଛି।

ଇଭିଏମ୍‌ ତ୍ରୁଟି ଯୋଗୁଁ ଅନଗୁଳ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଉପାନ୍ତ ଅଞ୍ଚଳ ନଗିରା ପଞ୍ଚାୟତର ୫ ନମ୍ବର ବୁଥ୍‌, ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋର ନଗର ବ୍ଲକ୍‌ର ଘୋଷର ଗ୍ରାମରେ ଭୋଟ୍‌ ଦିଆ ଯାଇ ପାରୁ ନାହିଁ। ଅନଗୁଳର ୨୬ ନମ୍ବର ବୁଥ୍‌ରେ ଇଭିଏମ୍‌ ତ୍ରୁଟି ଯୋଗୁଁ ୩୫ ମିନିଟ୍‌ ବିଳମ୍ବରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୨୪ରେ ଇଭିଏମ୍‌ ଲଗାଇବାରେ ବିଳମ୍ବ ଯୋଗୁଁ ନିର୍ଦ୍ଧାରିତ ସମୟ ଠାରୁ ୩୦ ମିନିଟ୍‌ ବିଳମ୍ବରେ ମତଦାନ। ହେମସୁରପଡ଼ା ୨୯ ନମ୍ବର ବୁଥ୍‌ରେ ମଧ୍ୟ ଇଭିଏମ୍‌ ଅଚଳ ହୋଇ ପଡ଼ିଛି।

ଢେଙ୍କାନାଳର ହିନ୍ଦୋଳର ବୁଥ୍‌ ନମ୍ବର ୨୩୨, ମ୍ୟୁନିସିପାଲିଟିର ବୁଥ୍‌ ନମ୍ବର ୧୯୩, ୧୯୪ ଇଭିଏମ୍‌ ଅଚଳ ଯୋଗୁଁ ଭୋଟ୍‌ ଗ୍ରହଣ କରି ହେଉନାହିଁ।

ଦେବଗଡ଼ର ୩ଟି ବୁଥ୍‌ରେ ଇଭିଏମ୍‌ ଅକାମି ହୋଇଥିବାରୁ ଭୋଟ୍‌ ଗ୍ରହଣ ହୋଇ ପାରୁନାହିଁ। ଦେବଗଡ଼ର ବୁଥ୍‌ ନମ୍ବର ୮୯, ୧୧୦, ୨୭୫ ଓ ୩୧୦ରେ ବି ଇଭିଏମ୍‌ ଚାଲୁ ନ ଥିବାରୁ ଭୋଟ୍‌ ଗ୍ରହଣରେ ବିଳମ୍ବ ଦେଖାଦେଇଛି।

ପୁରୀର ଗଦାଧର ସ୍କୁଲ୍‌ରେ ଖୋଲିଥିବା ବୁଥ୍‌ ନମ୍ବର ୧୪୬, ବ୍ରହ୍ମଗିରିର ବାଲିପାଟପୁରରେ ୫ ନମ୍ବର ବୁଥ୍‌ରେ ବି ଇଭିଏମ୍‌ ଅଚଳ ହୋଇ ଯାଇଛି।

ଖଣ୍ଡପଡ଼ାର ବଳଭଦ୍ରପ୍ରସାଦର ୨ ନମ୍ବର ବୁଥ୍‌ରେ ଇଭିଏମ୍‌ ତ୍ରୁଟି।

ସମ୍ବନ୍ଧିତ ଖବର