ଭୁବନେଶ୍ବର: ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଯେଉଁସବୁ ସ୍ଥାନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା, ସେଠାରେ ମେ ୨୭ତାରିଖରେ ଉକ୍ତ ପଦବିଗୁଡ଼ିକ ପାଇଁ ମତଦାନ ହେବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ କମିସନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ପ୍ରାର୍ଥିପତ୍ର ଦାଖଲ କରିବା ପରେ ୨୭ଜଣ ପ୍ରାର୍ଥୀଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ହୋଇଥିଲା। ଏଥିରେ ଜଣେ ଜିଲ୍ଲା ପରିଷଦ ସଭ୍ୟ, ୬ଜଣ ସରପଞ୍ଚ, ୩ଜଣ ସମିତି ସଭ୍ୟ, ୧୭ଜଣ ୱାର୍ଡମେମ୍ବର ପ୍ରାର୍ଥୀଙ୍କର ମୃତ୍ୟୁ ହୋଇଥିଲା। ତେଣୁ ‌ଉକ୍ତ ପଦବିଗୁଡ଼ିକ ପାଇଁ ନିର୍ବାଚନ ହୋଇପାରିନଥିଲା। ଏବେ ଉକ୍ତ ପଦବିଗୁଡ଼ିକ ପାଇଁ ନିର୍ବାଚନ କରିବାକୁ ସ୍ଥିର ହୋଇଛି।

Advertisment

ନିର୍ବାଚନ କମିସନଙ୍କ ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ୍ ୨୬ରେ ନିର୍ବାଚନ ଅଧିକାରୀ ନୋଟିସ୍ ଜାରି କରିବେ। ଏପ୍ରିଲ ୨୯ରୁ ମେ ୨ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ହେବ। ମେ ୪ରେ ସେଗୁଡ଼ିକର ଯାଞ୍ଚ କରାଯିବ। ମେ ୫ରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ମେ ୭ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ହୋଇପାରିବ। ସେହିଦିନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ମେ ୨୭ରେ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏ ଭୋଟ୍ ଗ୍ରହଣ ହେବ। ୨୮ରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। ମେ ୩୧ରେ ତାରିଖରେ ବିଜୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି,ପୂର୍ବରୁ ନିର୍ବାଚନ ସମୟରେ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ଏବେ ପୁଣି ନାମାଙ୍କନ ପତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ। କିନ୍ତୁ ସେମାନଙ୍କୁ ନିର୍ବାଚନ ସୂଚୀ ନେଇ ଅବଗତ କରାଯିବ। ନୂଆ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିପାରିବେ। ଏପରିକି ଏବେ ପ୍ରାର୍ଥିପତ୍ର ଦାଖଲ କରୁଥିବା ପ୍ରାର୍ଥୀଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସୁଯୋଗ ମିଳିବ। କିନ୍ତୁ ଯେଉଁମାନେ ପୂର୍ବରୁ ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି ସେମାନଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ସୁଯୋଗ ମିଳିବନି।