ନକଲି ଔଷଧ କାରବାର ମାମଲା: ୧୫ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ଭିଆର ଡ୍ରଗ୍ସ ମାଲିକ

କଟକ: ନକଲି ଔଷଧ କାରବାର ମାମଲା। କଟକ ଏସଡିଜେଏମ କୋର୍ଟରେ ହାଜର ହେଲେ ଭିଆର ଡ୍ରଗ୍ସ ମାଲିକ ରାହୁଲ କ୍ୟାଲ ଓ ପୂଜା ଏଣ୍ଟରପ୍ରାଇଜେସ୍ ମାଲିକ ସଞ୍ଜୟ ଜଲାନ। ଉଭୟଙ୍କୁ କୋର୍ଟରେ ହାଜର କଲା ପୁରୀଘାଟ ଥାନା ପୁଲିସ। ଉଭୟ ଜାମିନ ପାଇଁ କରିଥିବା ଆବେଦନ ହେଲା ଖାରଜ। ଉଭୟଙ୍କୁ ୧୫ ଦିନ ବିଚାର ବିଭାଗୀୟ ହେପାଜତକୁ ପଠେଇଲେ କୋର୍ଟ। ତେବେ ଜାମିନ ଆବେଦନ ଖାରଜ ପରେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ରାହୁଲ କ୍ୟାଲ ଓ ସଞ୍ଜୟ ଜଲାନଙ୍କ ଓକିଲ ପାର୍ଥ ସାରଥି ନାୟକ କହିଛନ୍ତି।

ନକଲି ଔଷଧ କାରବାର ଘଟଣାରେ କଟକ ପୁରୀଘାଟ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର। ସେ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି, ‘ଅଭିଯୁକ୍ତଙ୍କୁ ଜେରା ପରେ ଆମେ ଗିରଫ କଲୁ। ଜେରା ବେଳେ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିଛି। ଏମାନେ ବିହାର ଓ ବେଙ୍ଗାଲୁରରୁ ଏହି ନକଲି ଔଷଧ ଆଣୁଥିଲେ। ଏହି ତଥ୍ୟକୁ ନେଇ ଆମେ ଆଗକୁ ତଦନ୍ତ କରିବୁ। ଉଭୟ ଗିରଫ ଅଭିଯୁକ୍ତଙ୍କୁ ଆମେ ରିମାଣ୍ଡରେ ଆଣିବୁ।ରାଜ୍ୟ ବାହାରକୁ ମଧ୍ୟ ପୁଲିସ ଟିମ ଯାଇ ତଦନ୍ତ କରିବ। ଏମାନଙ୍କଠାରୁ ଯେଉଁମାନେ ଔଷଧ ନେଉଥିଲେ ସେମାନେ ବି ତଦନ୍ତ ପରିସରଭୁକ୍ତ ହେବେ।’

 

ସମ୍ବନ୍ଧିତ ଖବର