ଝାରସୁଗୁଡ଼ା: ୧୯୬୨ ମସିହାରେ ଭୁବନେଶ୍ବରଠାରେ ଏକ ବିମାନ ବନ୍ଦର ପ୍ରତିଷ୍ଠା ହୋଇଥିଲା। ଏହାର ଦୀର୍ଘ ୫୬ ବର୍ଷ ପରେ ୨୦୧୮ ମସିହା ସେପ୍ଟେମ୍ବର ମାସରେ ଝାରସୁଗୁଡ଼ା ଠାରେ ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ପ୍ରତିଷ୍ଠା ହେଲା। ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ଏହି ବିମାନବନ୍ଦର ଉଡ଼ାନ୍ ଯୋଜନାରେ ଆରମ୍ଭ ହୋଇଥିବା ବେଳେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ଆସି ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ହେବା ପରେ ଏୟାର ଓଡ଼ିଶା ଏଠାରୁ ଭୁବନେଶ୍ବରକୁ ଏକ ଛୋଟ ବିମାନ ଚଳାଇବା ଆରମ୍ଭ କରିଥିଲା। ଏହି ବିମାନ ୨/ ୪ ଦିନ ଚାଲିବା ପରେ ବନ୍ଦ ହୋଇ ଯାଇଥିଲା। ଏହାର ୬ ମାସ ପରେ ଏଠାରୁ ଏଲାୟନ୍ସ ଏୟାର କୋଲକାତା, ଭୁବନେଶ୍ବର ଓ ରାୟପୁର ମଧ୍ୟରେ ଉଡ଼ାଣ ଆରମ୍ଭ କରିଥିଲା।
ପରେ ସ୍ପାଇସଜେଟ୍ ଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତା ମଧ୍ୟରେ ବିମାନ ସେବା ଆରମ୍ଭ କରିଥିଲା। ଏହାର ବହୁଦିନ ପରେ ସ୍ପାଇସଜେଟ୍ ସ୍ବଳ୍ପଦିନ ପାଇଁ ବେଙ୍ଗାଲୁର, ମୁମ୍ବାଇ, ପାଟନା, ଚେନ୍ନାଇକୁ ସେବା ଯୋଗାଇ ବନ୍ଦ କରି ଦେଇଥିଲା। ଗତ କିଛି ମାସ ତଳେ ଡିଜିସିଏ ବୈଷୟିକ କାରଣ ଯୋଗୁଁ ସ୍ପାଇସ୍ ଜେଟ୍ କମ୍ପାନିର ସେବାକୁ ୫୦ ପ୍ରତିଶତ ସଙ୍କୁଚିତ କରିଦେବା ଫଳରେ ଏହାର ପ୍ରଭାବ ଝାରସୁଗୁଡ଼ା ବିମାନବନ୍ଦର ଉପରେ ପଡ଼ିଥିଲା। ଫଳରେ ପ୍ରଥମେ ହାଇଦ୍ରାବାଦ, କୋଲକାତା, ବେଙ୍ଗାଲୁର ପ୍ରଭୃତି ଅଞ୍ଚଳକୁ ଉଡ଼ାଣ ବନ୍ଦ ହୋଇ ଯାଇଥିଲା। ଶତ ପ୍ରତିଶତ ସଫଳତା ପାଇଥିବା ଦିଲ୍ଲୀ ରୁଟ୍ରେ କମ୍ପାନି ଦ୍ବିତୀୟ ବିମାନ ସେବା ଚାଲୁ କରିବାକୁ ଯୋଜନା କରୁଥିବା ବେଳେ ସେବା ସଙ୍କୁଚିତ ହେବା ଯୋଗୁଁ ଏବେ ଏକମାତ୍ର ଦିଲ୍ଲୀ ବିମାନ ମଧ୍ୟ ଅନିୟମିତ ଉଡ଼ାଣ କରୁଥିବା ଜଣାଯାଇଛି। ଏପଟେ ଏଲାୟନ୍ସ ଏୟାର ଚଳିତ ମାସ ପହିଲାରୁ ରାୟପୁର ଉଡ଼ାଣକୁ ଯାତ୍ରୀ ନହେବା କାରଣ ଦର୍ଶାଇ ବାତିଲ କରି ଦେଇଛି। ଫଳରେ ଏବେ ଏହି ବିମାନବନ୍ଦରରୁ କେବଳ ଭୁବନେଶ୍ବର ଓ କୋଲକାତା ମଧ୍ୟରେ ଉଡ଼ାଣ ସୀମିତ ରହିଥିବା ବେଳେ ସ୍ପାଇସଜେଟର ବିମାନ ଅନିୟମିତ ଭାବରେ ଦିଲ୍ଲୀକୁ ଉଡ଼ାଣ କରୁଥିବା ଜଣାଯାଇଛି।
ଉଡ଼ାଣ ଯୋଜନାରେ ଦେଶରେ ପ୍ରତିଷ୍ଠା ହୋଇଥିବା ବିମାନବନ୍ଦର ଗୁଡ଼ିକ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କୋଭିଡ ସମୟରେ ମଧ୍ୟ ଏହି ବିମାନବନ୍ଦରର ଯାତ୍ରୀ ସଂଖ୍ୟା ଜାତୀୟ ଓ ଆନ୍ତର୍ଯ୍ୟାତୀୟ ପରିସଖ୍ୟାନ ତୁଳନାରେ ବହୁ ଆଗରେ ଥିଲା। ଫଳରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଝାରସୁଗୁଡ଼ାଠାରେ ଉଡ଼ାନ ଉତ୍ସବ ଭଳି ଏକ ଜାତୀୟ ସ୍ତରୀୟ ଉତ୍ସବର ଆୟୋଜନ କରିଥିଲେ। ବିମାନ ବନ୍ଦର ଗୋଟିଏ ପରେ ଗୋଟିଏ ସଫଳତା ପାଇ ଚାଲିଥିବା ବେଳେ ଏହାର ସଂପ୍ରସାରଣ ପାଇଁ ଅଧିକ ଜମି ଦେବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଅଧିକ ବିମାନ ରହିବା ପାଇଁ ବିମାନବନ୍ଦର ସଂପ୍ରସାରଣ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା। ମାତ୍ର ଏବେ ଏଠାରୁ ବିମାନ ଉଡ଼ୁନଥିବାରୁ ଯାତ୍ରୀ ରାୟପୁର, ଭୁବନେଶ୍ବର ଓ ରାଞ୍ଚି ବିମାନବନ୍ଦର ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି। ରାଜ୍ୟର ଦ୍ବିତୀୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ ବିମାନ ବନ୍ଦରର ମାନ୍ୟତା ପାଇଥିବା ଏହି ବିମାନବନ୍ଦର ଏବେ ଆଣ୍ଠେଇବାକୁ ଲାଗିଛି।