ଭିସୁଟ୍‌ କୁଳପତିଙ୍କୁ ଧମକପୂର୍ଣ୍ଣ ଇ-ମେଲ୍‌, ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କୁ ଧମକପୂର୍ଣ୍ଣ ଇ-ମେଲ୍‌ ପଠାଇବା ଅଭିଯୋଗରେ ବିଶ୍ବବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂ ବିଭାଗର ସହକାରୀ ପ୍ରଫେସର ଡ.ପାଣ୍ଡବ ପାତ୍ରଙ୍କୁ ନିଲମ୍ବିତ କରାଯାଇଛି। ଶୃଙ୍ଖଳାଗତ କାରଣ ଦର୍ଶାଇ ଡ.ପାତ୍ରଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ମାସରେ କୁଳପତି ପ୍ରଫେସର ଚୌଧୁରୀଙ୍କ ନାମରେ ଧମକପୂର୍ଣ୍ଣ ଅଜଣା ଇ-ମେଲ୍‌ ଆସିଥିଲା। ଏ ନେଇ ‌ପ୍ରଫେସର ଚୌଧୁରୀ ବୁର୍ଲା ଥାନାରେ ଲିଖିତ ଏତଲା ମଧ୍ୟ ଦେଇଥିଲେ। ବୁର୍ଲା ପୁଲିସ୍‌ ଏହି ଘଟଣାର ତଦନ୍ତ କରିବା ସହ ସାଇବର ପୁଲିସ୍‌ ସହାୟତାରେ ଉକ୍ତ ଇ-ମେଲ୍‌ ସହ ଡ.ପାତ୍ରଙ୍କ ୩ଟି ନମ୍ବରର ସମ୍ପୃକ୍ତି ଥିବା ନେଇ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି। ଉକ୍ତ ରିପୋର୍ଟ ଆଧାରରେ ହିଁ ଡ.ପାତ୍ରଙ୍କୁ ପୁଣିଥରେ ନିଲମ୍ବନ କରାଯାଇଥିବା କୁଳପତି ପ୍ରଫେସର ଚୌଧୁରୀ ସୂଚନା ଦେଇଛନ୍ତି। ଅପରପକ୍ଷେ କୁଳପତି ପ୍ରଫେସର ଚୌଧୁରୀଙ୍କ ବିରୋଧରେ ଡ.ପାତ୍ରଙ୍କ ପତ୍ନୀ କିଛି ସଙ୍ଗିନ ଅଭିଯୋଗ ଆଣି ପ୍ରାୟ ୨୦୦ ଶିକ୍ଷକଙ୍କୁ ଇ-ମେଲ୍‌ କରିଛନ୍ତି। ଏନେଇ ସେ ପୁଲିସ୍‌ରେ ଅଭିଯୋଗ କରିଥିବା ମଧ୍ୟ ଇ-ମେଲ୍‌ରେ ଦର୍ଶାଇଛନ୍ତି। କିନ୍ତୁ ଘଟଣା ନେଇ ବୁର୍ଲା ଥାନା ଅଧିକାରୀ ବି.ବି.ଭୋଇଙ୍କୁ ପଚାରିବାରେ ଏଭଳି କୌଣସି ଅଭିଯୋଗ ହସ୍ତଗତ ହୋଇନଥିବା କହିଥିଲେ।

ଏହାପୂର୍ବରୁ ଗତବର୍ଷ ଜୁଲାଇ ମାସରୁ ବିଶ୍ବବିଦ୍ୟାଳୟରେ ଚାଲିଥିବା ଶିକ୍ଷକ ଆନ୍ଦୋଳନ ଘଟଣାରେ ଅଗଷ୍ଟ ୧୧ ତାରିଖରେ ଡ.ପାତ୍ରଙ୍କୁ ନିଲମ୍ବନ କରାଯାଇଥିଲା।

ସମ୍ବନ୍ଧିତ ଖବର