ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)ର କିଛି ଛାତ୍ରାବାସରେ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଚୟନ ନେଇ ଅନିୟମିତତା ହୋଇଥିବା ଜଣାପଡ଼ିଛି। ଟେଣ୍ଡର ମାଧ୍ୟମରେ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଚୟନ କରାଯିବାର ନିୟମକୁ ଏଠାରେ ପାଳନ କରାଯାଇନାହିଁ। ଜିଏସ୍ଟି ନମ୍ବର ଓ ଅନ୍ୟ ଆର୍ଥିକ ସର୍ତ୍ତ ପୂରଣ କରୁ ନ ଥିବା ବେନାମୀ ସଂସ୍ଥାଙ୍କୁ ଖାଦ୍ୟ ଯୋଗାଣ ଦାୟିତ୍ବ ଦିଆଯାଇଛି। ସଂସ୍ଥାର ଖାଦ୍ୟ ସୁରକ୍ଷା ଲାଇସେନ୍ସ ବି ନଥିବା ଜଣାପଡ଼ିଛି। ଏହା ପଛରେ ପ୍ରୀୟାପ୍ରୀତି ତୋଷଣ ହୋଇଥିବା ମଧ୍ୟ ସୂଚନା ମିଳିଛି। ଘଟଣା ପଦାକୁ ଆସିବା ପରେ ସଂସ୍ଥାର ବିଲ୍କୁ ଅଟକା ଯାଇଛି। କିଛି ଅଧିକାରୀ ଓ କର୍ମଚାରୀ ଏଥିପାଇଁ ପ୍ରବଳ ଚାପଗ୍ରସ୍ତ ଅବସ୍ଥାରେ ରହିଛନ୍ତି। ନିରପେକ୍ଷ ତଦନ୍ତ କରାଗଲେ ଏହା ପଛରେ ଥିବା ପ୍ରକୃତ ଗୁମର ଫିଟିପାରିବ ବୋଲି କୁହାଯାଉଛି।
ମିଳିଥିବା ସୂଚନା ମୁତାବକ, ୭୫୦ ଜଣ ଛାତ୍ର ରହୁଥିବା ବିଶ୍ବବିଦ୍ୟାଳୟର ପୁଲହ ଛାତ୍ରାବାସରେ ପୂର୍ବରୁ ଛାତ୍ରଙ୍କ ଦ୍ବାରା ମେସ୍ ପରିଚାଳିତ ହେଉଥିଲା। ତେବେ ଠିକ୍ ସମୟରେ ଖାଦ୍ୟ ନ ମିଳିବା ଓ ଅନ୍ୟ ବିଭ୍ରାଟ କାରଣରୁ ଗତ ଜୁଲାଇ ୧୨ ତାରିଖରୁ ଏକ ସ୍ଥାନୀୟ ଘରୋଇ ସଂସ୍ଥାକୁ ଏହି ଦାୟିତ୍ବ ପ୍ରଦାନ କରାଯାଇଥିଲା। ନିୟମାନୁସାରେ ଟେଣ୍ଡର୍ କରାଯାଇ ନଥିଲା। ଧାର୍ଯ୍ୟ ଦରଠାରୁ କମ୍ ଦରରେ ଖାଦ୍ୟ ଯୋଗାଇବାକୁ କହି ସଂସ୍ଥା ଏହି କାମ ହାତେଇଥିଲା ବୋଲି ସୂଚନା ମିଳିଛି। କିନ୍ତୁ ମାସେ ପୂରିବା ପରେ ଅସଲ ସମସ୍ୟା ପଦାକୁ ଆସିଛି। ଖାଦ୍ୟ ମାନକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଜଣାପଡ଼ିଛି ଯେ ସଂସ୍ଥାର ଖାଦ୍ୟ ସୁରକ୍ଷା ଲାଇସେନ୍ସ ନାହିଁ। ଏଥିସହ ସଂସ୍ଥା ଜିଏସ୍ଟି ଓ ଆର୍ଥିକ ନିୟମ ପାଳନ କରିନି। ଏହାର ନାମ ମଧ୍ୟ ପଞ୍ଜୀକୃତ ନୁହେଁ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏବେ ଏହାର ବିଲ୍ ଅଟକାଇଥିବା ବେଳେ ନିଜ ପାଉଣା ପାଇବାକୁ ସଂସ୍ଥା କିଛି ବରିଷ୍ଠ ଅଧିକାରୀଙ୍କୁ ହାତ କରି ବାରମ୍ବାର ଚାପ ପକାଉଥିବା ଜଣାପଡ଼ିଛି। ଡିନ୍(ଛାତ୍ର କଲ୍ୟାଣ)ଙ୍କ କାର୍ଯ୍ୟାଳୟକୁ ମଧ୍ୟ ଏ ସମ୍ପର୍କିତ ସୂଚନା ଆସିଥିବା ଜଣାପଡ଼ିଛି।
ଅପରପକ୍ଷେ, ଛାତ୍ରଙ୍କ ଜୀବନକୁ ବିପଦରେ ପକାଇ ଖାଦ୍ୟ ସୁରକ୍ଷା ଲାଇସେନ୍ସ ନଥିବା ଏକ ଅଣ ପଞ୍ଜୀକୃତ ସଂସ୍ଥାକୁ କିଭଳି ଦାୟିତ୍ବ ଦିଆଗଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଡିନ୍(ଛାତ୍ର କଲ୍ୟାଣ) ପ୍ରଫେସର ସୁଧାଂଶୁ ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି କାର୍ଯ୍ୟ ଡିନ୍ କାର୍ଯ୍ୟାଳୟ ସହ ସଂଶ୍ଳିଷ୍ଟ ନୁହେଁ। କେବଳ ଏହି ଛାତ୍ରାବାସ ନୁହେଁ ଦୁଇଟି ଗାର୍ଲସ ହଷ୍ଟେଲରେ ବି ଏଭଳି ସ୍ଥିତି ଦେଖିବାକୁ ମିଳିଛି। କିନ୍ତୁ କେଉଁ ସ୍ଥିତିରେ ଓ କାହା ପ୍ରରୋଚନାରେ ଏଭଳି ଅଣପଞ୍ଜୀକୃତ ସଂସ୍ଥାଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଇଛି ତାହାର ତଦନ୍ତ ଆବଶ୍ୟକ ବୋଲି ଦାବି ହେଉଛି।