ଭିସୁଟ୍‌ ଅଶାନ୍ତି : ୧୩ ଛାତ୍ର ଦଣ୍ଡିତ

ଜରିମାନା, ପରୀକ୍ଷାରୁ ବାଦ୍‌, ହଷ୍ଟେଲ ଛାଡ଼

ବୁର୍ଲା : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ ଗତ ଶନିବାର ରାତିରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ୧୩ ଜଣ ଛାତ୍ରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବୁଧବାର ଭିସୁଟ୍‍ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଛାତ୍ର ଗଣଗୋଳ ଘଟଣାର ତଦନ୍ତ କରୁଥିବା ଭିସୁଟ୍‍ ଶୃଙ୍ଖଳା କମିଟିର ରିପୋର୍ଟ ସଂପର୍କରେ ରୁଦ୍ଧଦ୍ଵାର ଆଲୋଚନା ହୋଇଥିଲା। ଆଲୋଚନାରେ କୁଳସଚିବ ଅଶ୍ୱିନୀ ଚୌଧୁରୀଙ୍କ ସମେତ ୬ ଜଣ ଡିନ୍‍ ଏବଂ ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ। ବୈଠକରେ ଆଲୋଚନା ପରେ ଗଣ୍ଡଗୋଳ ଘଟଣାରେ ସଂପୃକ୍ତ କ୍ରତୁ ହଲ ଅଫ ରେସିଡେନସ ଓ ମରିଚି ହଲ ଅଫ୍‍ ରେସିଡେନସ୍‌ର ମୋଟ ୧୩ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା। ସଂଧ୍ୟା ୫ଟାରେ ଏନେଇ ଏକ ନୋଟିସ ଜାରି କରାଯାଇଥିଲା।

ଦୋଷୀ ସାବ୍ୟସ୍ତ ୧୩ ଜଣ ଛାତ୍ରଙ୍କ ମଧ୍ୟରୁ ଇଲେକ୍‌ଟ୍ରିକାଲ ଇଂଜିନିୟରିଂ ୮ମ ସେମିଷ୍ଟାର ଛାତ୍ର ରୁତୁରାଜ ନାୟକଙ୍କୁ ଶେଷ ବର୍ଷର ସେମିଷ୍ଟାର ଥିଓରି ପରୀକ୍ଷା ଓ ସପ୍ଲିମେଣ୍ଟାରି ପରୀକ୍ଷା ଦେବାରୁ ବଂଚିତ କରାଯିବା ସହ କ୍ରତୁ ହଲ୍‍ ଅଫ୍‍ ରେସିଡେନସ୍‌ରୁ ବିତାଡ଼ିତ କରାଯାଇଛି। ସେହି ବ୍ୟାଚ୍‌ର ଆଉ ଜଣେ ଛାତ୍ର ଋଷଭ ଆଦିତ୍ୟଙ୍କୁ କ୍ରତୁ ହଲ୍‌ ଅଫ୍‌ ରେସିଡେନସ୍‍ରୁ ବହିଷ୍କାର ସହ ଅଭିଭାବକଙ୍କଠାରୁ ଷ୍ଟାମ୍ପ ପେପରରେ ଅଣ୍ଡରଟେକିଂ ଲେଖାଇ ଛାତ୍ର କଲ୍ୟାଣ ଡିନ୍‍ଙ୍କ ଠାରେ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ସେହିପରି ଦୋଷୀ ସାବ୍ୟସ୍ତ ମେଟାଲର୍ଜିକାଲ୍‍ ଆଣ୍ଡ୍‍ ମେଟେରିଆଲ ଇଂଜିନିୟରିଂ ୮ମ ସେମିଷ୍ଟାରର ଛାତ୍ର ସୁରେନ୍ଦ୍ର ସାହୁ ଏବଂ ମେକାନିକାଲ୍‍ ଇଂଜିନିୟରିଂ ୮ମ ସେମିଷ୍ଟାର ଛାତ୍ର ପାର୍ଥ ସାରଥୀ ପଣ୍ଡାଙ୍କୁ ମଧ୍ୟ ଶେଷ ସେମିଷ୍ଟାର ଓ ସପ୍ଲିମେଣ୍ଟାରି ପରୀକ୍ଷାରୁ ବଂଚିତ କରାଯାଇଥିବା ବେଳେ ମରିଚି ହଲ୍‍ ଅଫ୍‍ ରେସିଡେନସ୍‍ରୁ ବାହାର କରି ଦିଆଯାଇଛି।

ଇଟିସି ଶେଷ ବର୍ଷ ଛାତ୍ର ଦୀକ୍ଷିତ ଦେହୁରୀ ଏବଂ କେମିକାଲ୍‍ ଇଂଜିନିୟରିଂ ଶେଷ ବର୍ଷ ଛାତ୍ର ଅଭିଜିତ ବି ବଲଙ୍କୁ ଶେଷ ମେସିଷ୍ଟାରର ଥିଓରି ପରୀକ୍ଷା ଦେବାରୁ ବଂଚିତ କରାଯାଇଛି। ମେଟାଲର୍ଜି ଶେଷ ବର୍ଷ ଛାତ୍ର ସୌମ୍ୟରଂଜନ ପ୍ରଧାନଙ୍କୁ ମରିଚି ହଷ୍ଟେଲରୁ ବାହାର କରି ଦିଆଯାଇଛି। ଏମାନଙ୍କୁ ବାଦ ଦେଲେ ମେକାନିକାଲ୍‍ ଇଂଜିନିୟରିଂର ମୋଟ ୬ ଜଣ ଛାତ୍ର ମୃଣାଳ ଦାସ, ଦେବୀ ପ୍ରସାଦ ପୃଷ୍ଟି, ଜିତେନ୍ଦ୍ର ପ୍ରଧାନ, ସମୀର ଅଗ୍ରଓ୍ଵାଲ, ଭୁବନେଶ୍ୱର ବାରିକ ଏବଂ ଆୟୁଷ ଦାସଙ୍କୁ ଅବିଭାବକଙ୍କ ଠାରୁ ନନ୍‍-ଜୁଡିସିଆଲ ଷ୍ଟାମ୍ପ ପେପର୍‍ରେ ଅଣ୍ଡରଟେକିଂ ଲେଖାଇ ଦାଖଲ କରିବାକୁ ନୋଟିସରେ ଉଲ୍ଲେଖ ରହିଛି। ସମସ୍ତ ଛାତ୍ରଙ୍କୁ ହଷ୍ଟେଲରେ ଭଙ୍ଗାରୁଜା ବାବଦକୁ ୨ ହଜାର ଟଙ୍କା ଲେଖାଏଁ ଜରିମାନା ପଇଠ କରିବାକୁ ନିର୍ଦ୍ଦେଶ ହୋଇଛି।

ସମ୍ବନ୍ଧିତ ଖବର