ନରମିଲେ ଭିସୁଟ୍‌ କର୍ତ୍ତୃପକ୍ଷ : ବହିଷ୍କୃତ ପ୍ରଫେସରଙ୍କୁ ନିଲମ୍ବନ ଆଦେଶ

ସମ୍ବଲପୁର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌) ଶିକ୍ଷକ ସଂଘ ସଭାପତି ତଥା ମେକାନିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ପୁଷ୍ପରାଜ ଦାସଙ୍କୁ ଚାକିରିରୁ ବହିଷ୍କାର ନିର୍ଦେଶ ଦିଆଯିବାର ୨୪ ଘଣ୍ଟା ପରେ ଆଜି କର୍ତ୍ତୃପକ୍ଷ ତାଙ୍କ ପ୍ରତି ଅପେକ୍ଷାକୃତ ନରମ ଅଭିମୁଖ୍ୟ ‌ପ୍ରଦର୍ଶନ କରିଛନ୍ତି। ବହିଷ୍କାର ଆଦେଶକୁ ବଦଳାଯାଇ ତାଙ୍କୁ ନିଲମ୍ବନ ଆଦେଶ ଦିଆଯାଇଛି। ପ୍ରଫେସର ଶ୍ରୀ ଦାସଙ୍କୁ ରବିବାର ଦିନ ଗୋଟାଏରେ ଇ-ମେଲ ଯୋଗେ ଏହି ନୂଆ ନି‌ର୍ଦ୍ଦେଶ ମିଳିଛି।

ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆସିଥିବା ଚିଠି ସଂଖ୍ୟା ଏସ୍‌ଡିଟିଇ-ଏଚ୍‌ଟିଇ-ଏଚ୍‌ଟିଇ-ଆଇଆଇ-୦୦୨୮-୨୦୧୯/ ୩୮୩୭ ଆଧାରରେ ବିଶ୍ବବିଦ୍ୟାଳୟ କୁଳପତି ଏହି ନିଲମ୍ବନ ନିର୍ଦେଶ ଦେଇଛନ୍ତି। ଆସନ୍ତା ୨୨ ତାରିଖ ଯାଏଁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକ ସମ୍ପର୍କରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଉତ୍ତର ରଖିବାକୁ ମଧ୍ୟ ଏହି ଚିଠିରେ ନିର୍ଦେଶ ଦିଆଯାଇଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ପ୍ରଫେସର ଶ୍ରୀ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଏଭଳି ନିର୍ଦେଶନାମା ପରିବର୍ତ୍ତନ ପାଇଁ ଏକ କମିଟି ବୈଠକ ଆବଶ୍ୟକ ହୋଇଥାଏ। କିନ୍ତୁ ‌କେବେ କମିଟି ବସିଲା, କେବେ ଆଲୋଚନା ହେଲା ତାହା କେହି କହିପାରୁନାହାନ୍ତି। ଏନେଇ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅଟଳ ଚୌଧୁରୀ କହିଛନ୍ତି, ‘ବହୁ ଚିନ୍ତନ ପରେ ଉକ୍ତ ଶିକ୍ଷକଙ୍କୁ ନିଜ ପକ୍ଷ ରଖିବାକୁ ଗୋଟିଏ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଆଧାରରେ ସରକାରଙ୍କ ସହ ଆଲୋଚନା କରାଯାଇ ପ୍ରଫେସର ଦାସଙ୍କୁ ନିଲମ୍ବନ ନିର୍ଦେଶ ଦିଆଯାଇଛି’ ବୋଲି କୁଳପତି କହିଛନ୍ତି।

ସୂଚନାଯୋଗ୍ୟ, କୁଳପତିଙ୍କ ବହିଷ୍କାର ଦାବି କରି ଭିସୁଟ୍‌ ଶିକ୍ଷକ ସଂଘର ୨୫୦ରୁ ଊର୍ଦ୍ଧ୍ବ ପ୍ରଫେସର, ସହକାରୀ ପ୍ରଫେସର ଓ ସହଯୋଗୀ ପ୍ରଫେସର ଗତ ୧୭ ତାରିଖରୁ ଆନ୍ଦୋଳନ କରୁଛନ୍ତି। ଶନିବାର ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ଶିକ୍ଷକ ସଂଘ ସଭାପତି ପ୍ରଫେସର ପୁଷ୍ପରାଜ ଦାସଙ୍କୁ ବହିଷ୍କୃତ କରିଥିବା ବେଳେ ଉପ ସଭାପତି ଡ.ପାଣ୍ଡବ ପାତ୍ର ଓ ସମ୍ପାଦକ ଡ.ପ୍ରଦୀପ୍ତ ଦାସଙ୍କୁ ନିଲମ୍ବନ କରିଥିଲେ। ଅନ୍ୟ ୧୫ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ତେବେ ବିନା କୌଣସି ନୋଟିସ୍‌ରେ କିଭଳି ଭାବେ ପ୍ରଫେସର ପୁଷ୍ପରାଜ ଦାସଙ୍କୁ ହଠାତ୍‌ ଚାକିରିରୁ ବହିଷ୍କାର କରାଗଲା ସେନେଇ ଶିକ୍ଷକ ସଂଘ ପ୍ରଶ୍ନ କରିବା ସହ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର