ସମ୍ବଲପୁର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ରୢାଗିଂ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶ୍ବବିଦ୍ୟାଳୟ କୁଳପତି ମଧ୍ୟ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଇ ସମ୍ପୃକ୍ତ ସମସ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଛନ୍ତି। ସୋମବାର ସୁଦ୍ଧା ସମ୍ପୃକ୍ତ ସମସ୍ତ ୫୨ ଜଣ ଛାତ୍ରଙ୍କ ଅଭିଭାବକଙ୍କ ଉପସ୍ଥିତିରେ ଜରିମାନା ଆଦାୟ କରାଯିବ। ବିଶ୍ବବିଦ୍ୟାଳୟ ପରିସରରେ ଦ୍ବିତୀୟ ଥର ଏଭଳି କାଣ୍ଡ ଭିଆଇଲେ ସେମାନଙ୍କୁ ବହିଷ୍କାର କରିଦିଆଯିବ ବୋଲି ଉକ୍ତ ନୋଟିସ୍ରେ ଉଲ୍ଲେଖ ରହିବ। ଅପରପକ୍ଷେ, ଛାତ୍ରାବାସରେ ୱାର୍ଡେନ୍ଙ୍କ ଉପସ୍ଥିତିରେ କିଭଳି ରୢାଗିଂ ହେଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରୢାଗିଂ ସମୟରେ ଛାତ୍ରାବାସରେ ଲାଗିଥିବା ସିସିଟିଭିରେ କିଏ ଗାମୁଛା ପକାଇଲା ଓ ଏହା କିଭଳି କାହା ନଜରକୁ ଆସିଲାନି ତାହକୁ ନେଇ ତଦନ୍ତ ଚାଲିଛି। ବିଶ୍ବବିଦ୍ୟାଳୟ କୁଳସଚିବଙ୍କ ନେତୃତ୍ବରେ ଗଠିତ କମିଟି ଏହି ତମାମ୍ ଘଟଣାର ତଦନ୍ତ କରୁଥିବା ବେଳେ ସୋମବାର ସୁଦ୍ଧା କୁଳପତିଙ୍କ ନିକଟରେ ସମସ୍ତ ରିପୋର୍ଟ ଦାଖଲ କରାଯିବ। ଏହି ଘଟଣାରେ ଯେକୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ଏହା ବ୍ୟତୀତ ବିଶ୍ବବିଦ୍ୟାଳୟ ପରିସରରେ ରୢାଗିଂ ପରେ ନିରୀକ୍ଷଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି।
ପ୍ରଥମେ ଶିକ୍ଷକ ଆନ୍ଦୋଳନ, ପରେ ପରୀକ୍ଷା ଖାତା ଦେଖାରେ ବିଭ୍ରାଟ ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଓ ଏବେ ରୢାଗିଂ ଘଟଣା ବିଶ୍ବବିଦ୍ୟାଳୟକୁ ବିବାଦ ଘେରକୁ ଟାଣି ଆଣିଛି। ତେଣୁ କିଭଳି ଭାବ ବିଶ୍ବବିଦ୍ୟାଳୟରେ ଲାଗିରହିଥିବା ଏସବୁ ବିବାଦର ଅବସାନ ଘଟିବ ସେନେଇ ଭୁବନେଶ୍ବରରେ ଗଭର୍ଣ୍ଣିଂବଡି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦେଶାଳୟ ଏବଂ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷ ଉପସ୍ଥିତ ଥିବା ଜଣାପଡ଼ିଛି। ରୢାଗିଂ ଘଟଣାକୁ ନେଇ କୁଳପତି ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେଥିରେ ରାଜ୍ୟ ସରକାର ସହମତି ପ୍ରକାଶ କରିଥିବା ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦେଶାଳୟର ଯୁଗ୍ମ ସଚିବ ଡ.ଅଜୟ ନାୟକ କହିଛନ୍ତି। ରୢାଗିଂ ଘଟଣାରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବାକୁ ଥିବା ବେଳେ କିଛି ଛାତ୍ର ସେମାନଙ୍କର ଦଣ୍ଡ କୋହଳ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ତେବେ ଉକ୍ତ ଛାତ୍ରଙ୍କ ଦଣ୍ଡ କୋହଳ କରାଯିବ ନା ନାହିଁ ସେନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ ବୋଲି ଡ.ନାୟକ କହିଥିଲେ। ଏହାବାଦ୍ ଏହି ଘଟଣା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ନେଇଥିବା ସମସ୍ତ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ସେପଟେ, ୧୦ ଦଫା ଦାବି ନେଇ ପ୍ରାୟ ଏକ ମାସ ଶିକ୍ଷକମାନେ ଯେଉଁ ଆନ୍ଦୋଳନରେ ବସିଥିଲେ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/ragging-1.jpg)