ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଭିସୁଟ ରାଂଗି ମାମଲାରେ ବୁଧବାର କାର୍ଯ୍ୟାନୁଷ୍ଠାନ ହୋଇଛି। ଶୃଙ୍ଖଳା କମିଟିର ତଦନ୍ତ ରିପୋର୍ଟ ମିଳିବା ପରେ ବୁଧବାର ତୁରନ୍ତ ଭିସୁଟ୍ ନିର୍ଦ୍ଦେଶକ ପ୍ରଫେସର ବି.କେ ମହାନ୍ତି ସମ୍ପୃକ୍ତ ୯ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏଥିରେ ଦ୍ୱିତୀୟ ବର୍ଷର ୮ ଜଣ ଛାତ୍ର ଏବଂ ଶେଷ ବର୍ଷର ଜଣେ ଛାତ୍ର ରହିଛନ୍ତି। ଘଟଣାରେ ସିଧାସଳଖ ସମ୍ପୃକ୍ତି ଥିବା ୪ ଜଣ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଛାତ୍ରବାସରୁ ଏକ ବର୍ଷ ପାଇଁ ବହିଷ୍କାର କରାଯାଇଛି। ଦ୍ୱିତୀୟ ବର୍ଷର ଅନ୍ୟ ୪ ଜଣ ଛାତ୍ରଙ୍କୁ ୬ ମାସ ପାଇଁ ଛାତ୍ରାବାସରୁ ବହିଷ୍କାର କରାଯାଇଥିବା ଭିସୁଟ୍ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଏଥି ସହିତ ଦୋଷୀ ୮ ଛାତ୍ରଙ୍କୁ ଶେଷ ବର୍ଷର କିଛି ଛାତ୍ର ନିଜ ମନ ମୁତାବକ ରାତିଅଧିଆ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ଶେଷ ବର୍ଷର ଜଣେ ଛାତ୍ରଙ୍କୁ ମଧ୍ୟ ୬ ମାସ ପାଇଁ ଛାତ୍ରାବାସରୁ ବହିଷ୍କୃତ କରାଯାଇଥିବା ବେଳେ ଅନ୍ୟ କିଛି ଛାତ୍ରଙ୍କୁ ତାଗିଦ କରି ଛଡ଼ାଯାଇଥିବା ନିର୍ଦ୍ଦେଶକ ପ୍ରଫେସର ମହାନ୍ତି ସୂଚନା ଦେଇଛନ୍ତି। ତେବେ, ଭିସୁଟ୍ରେ ହୋଇଥିବା ରାଗିଂ ଘଟଣାରେ କର୍ତ୍ତୃପକ୍ଷ ଯେଉଁ ଭଳି ଭାବରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ସୁଇଟ୍ରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ହୋଇଥିବା ଦେଖିବାକୁ ମିଳିଛି। ଯଦିଓ ଭିସୁଟ୍ର ଇତିହାସରେ ଏଭଳି କାର୍ଯ୍ୟାନୁଷ୍ଠାନ ପ୍ରଥମ ବୋଲି କୁହାଯାଉଛି, ତଥାପି ଏହାକୁ ଦେଖି ମହାବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ ଯେ, ବୁର୍ଲା ଭିିସୁଟ ମହାବିଦ୍ୟାଳୟରେ ଏକ ମାସ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦ୍ୱିତୀୟ ବର୍ଷର ଜଣେ ଛାତ୍ରଙ୍କୁ ତାଙ୍କ ୮ ଜଣ ସହପାଠୀ ରାତିରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହା ପରେ ସମ୍ପୃକ୍ତ ଛାତ୍ର ଜଣକ ଘଟଣା ସମ୍ପର୍କରେ ଶେଷବର୍ଷରେ ପଢୁଥିବା ତାଙ୍କ ଜଣେ ସମ୍ପର୍କୀୟ ବଡ଼ଭାଇଙ୍କୁ ଜଣାଇଥିଲେ। ଏହା ପରେ ବଡ଼ଭାଇ ଜଣକ ତାଙ୍କ କିଛି ସାଙ୍ଗମାନଙ୍କ ସହ ମିଶି ଦୁର୍ବ୍ୟବହାର କରିଥିବା ସେହି ୮ ଜଣ ଛାତ୍ରଙ୍କୁ ଅଧରାତିରେ ଛାତ୍ରବାସ ମଧ୍ୟରେ ଆଣ୍ଠେଇଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ସେହି ଛାତ୍ରବାସରେ ରାତିରେ ତଦାରଖ କରୁଥିବା କିଛି ଅଧ୍ୟାପକଙ୍କ ନିକଟକୁ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ସେମାନେ ତୁରନ୍ତ ନିର୍ଦେଶକଙ୍କୁ ଜଣାଇଥିଲେ। ଏହା ପରେ ସୁଇଟ୍ ନିର୍ଦ୍ଦେଶକ ପ୍ରଫେସର ମହାନ୍ତି ତୁରନ୍ତ ଶୃଙ୍ଖଳା କମିଟି ଗଠନ କରି ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ।