ସମ୍ବଲପୁର/ବୁର୍ଲା/ବଲାଙ୍ଗୀର : ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ମାମଲାର ରହସ୍ୟ ବଢ଼ି ଚାଲିଥିବା ବେଳେ ତଦନ୍ତ ନ ସରୁଣୁ ନିଷ୍କର୍ଷ ଶୁଣାଇବା ଆରମ୍ଭ କରିଦେଲାଣି ସମ୍ବଲପୁର ପୁଲିସ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚିନ୍ମୟୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଅବା ତାହା ଏକ ଦୁର୍ଘଟଣା ଥିଲା, ତାହା ଉପରେ ସମ୍ବଲପୁର ପୁଲିସ ତଦନ୍ତ ଜାରି ରଖିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ, କିଛି ସିସିଟିଭି ଫୁଟେଜ୍ ଓ ସାଙ୍ଗସାଥୀଙ୍କ ବୟାନ୍ ଆଧାରରେ ଚିନ୍ମୟୀଙ୍କୁ ହତ୍ୟା କରାଯାଇ ନାହିଁ ବୋଲି ସମ୍ବଲପୁର ଏସ୍ପି ବି. ଗଙ୍ଗାଧର ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି। ଗୁରୁବାର ସୁଦ୍ଧା ଡାଏଟମ୍ ରିପୋର୍ଟ ପୁଲିସର ହସ୍ତଗତ ହୋଇ ନାହିଁ। କିନ୍ତୁ ରିପୋର୍ଟ ଆସିବା ପୂର୍ବରୁ ଚିନ୍ମୟୀଙ୍କ ମୃତ୍ୟୁ ହତ୍ୟା ନୁହେଁ ବୋଲି ସମ୍ବଲପୁର ଏସ୍ପି ଏକପ୍ରକାର ସ୍ପଷ୍ଟ କରିଛନ୍ତି।
ଚିନ୍ମୟୀଙ୍କ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ମିଛ ଧରା ପରୀକ୍ଷା ରିପୋର୍ଟ ଆସିସାରିଛି। ମିଛଧରା ପରୀକ୍ଷା ରିପୋର୍ଟ ଅନୁଯାୟୀ, ଉଭୟେ କୌଣସି ବିଭ୍ରାନ୍ତିକର ତଥ୍ୟ ଦେଇନାହାନ୍ତି, ଯାହା କହିଛନ୍ତି ତାହା ସତ। ଏହାପରେ ସମ୍ବଲପୁର ଏସ୍ପି ଏଭଳି ବୟାନ ଦେଇଛନ୍ତି। ଯଦିଓ ତଦନ୍ତ ଜାରି ରହିବ ବୋଲି ଏସ୍ପି ତାଙ୍କ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି, ହେଲେ ହତ୍ୟା ନୁହେଁ ବୋଲି କହି ଏକପ୍ରକାର ନିଷ୍କର୍ସ ବାହାର କରିଦେଇଛନ୍ତି। ଚିନ୍ମୟୀଙ୍କ ମୃତ୍ୟୁ ହତ୍ୟା ନୁହେଁ। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଛି। ଆତ୍ମହତ୍ୟା, ଅଘଟଣ ନା ଆତ୍ମହତ୍ୟା ପାଇଁ କେହି ପ୍ରବର୍ତ୍ତାଇଛି, ସେ ଦିଗରେ ତଦନ୍ତ ଜାରି ରହିବ ବୋଲି ସମ୍ବଲପୁର ଏସ୍ପି ବି. ଗଙ୍ଗାଧର କହିଛନ୍ତି। ଏସପିଙ୍କ ଏହି ମନ୍ତବ୍ୟ ଆସିବା ପରେ ତଦନ୍ତର ଦିଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚିନ୍ମୟୀଙ୍କ ପରିବାର। ପୂର୍ବରୁ ତଦନ୍ତ ଏକପାଖିଆ ଚାଲିଥିବା ଚିନ୍ମୟୀଙ୍କ ବାପା ଅଭିଯୋଗ ଆଣିସାରିଥିବା ବେଳେ ମା’ ଲବଙ୍ଗ ସାହୁ ବି ପୁଲିସ ଠାରୁ ଆଶା ଛାଡ଼ିଦେଇଥିବା କହିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେଉଛି। କିନ୍ତୁ ହତ୍ୟା କରାଯାଇ ନଥିବା ନେଇ ପୁଲିସ୍ କେମିତି ନିଶ୍ଚିନ୍ତ ହେଲା ବୋଲି ପ୍ରଶ୍ନ ଉଠିଛି। ଯାହା ପୁଲିସର ତଦନ୍ତ ବାଟବଣା ଅଭିଯୋଗକୁ ଅଧିକ ଖୋରାକ ଯୋଗାଇଛି। ଅନ୍ୟ ପକ୍ଷରେ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ପୁରୁଷ ବନ୍ଧୁ ପ୍ରତୀମାନ ଦେ ଏବଂ ମାନସ ଟୁଡୁଙ୍କୁ ପୁଲିସ୍ ମଙ୍ଗଳବାର ଦିନଠୁ ନୋଟିସ୍ ଦେଇ ଛାଡ଼ି ଦେଇଛି। ଆବଶ୍ୟକ ପଡ଼ିଲେ ଉଭୟଙ୍କୁ ପୁଣି ଥାନାକୁ ଡକାଯିବ। ଏଥିପାଇଁ ଉଭୟଙ୍କୁ ୭ ଦିନ ବୁର୍ଲାରେ ରହିବାକୁ କୁହାଯାଇଛି।
ପ୍ରୀତିମାନ ଓ ମାନସ ସିନ୍ ରିକ୍ରିଏସନ୍ କରିଛନ୍ତି। ବୁର୍ଲା ପୁଲିସ ରାତିଅଧିଆ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି। ଘଟଣା କିଭଳି ଘଟିଥିଲା, ଚିନ୍ମୟୀ ପିସି ବ୍ରିଜ୍କୁ କେମିତି ଆସିଲେ, ତା’ ପୂର୍ବରୁ କେଉଁଠି ଖାଇଲେ, ମାନସ ଟୁଡୁ ରୁମ୍ରେ କଣ କରିଥିଲେ ସେ ନେଇ ସିନ୍ ରିକ୍ରିଏସନ୍ କରାଯାଇଥିଲା। ରାତି ଅଧରେ କାହିଁକି ଏହି ରିକ୍ରିଏସନ୍ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅନ୍ୟପଟେ ଗୁରୁବାର ବୁର୍ଲା ପୁଲିସ୍ର ଏକ ୩ ଜଣିଆ ଟିମ୍ ପୁଣିଥରେ ବଲାଙ୍ଗୀର ଯାଇ ଚିନ୍ମୟୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି। ଚିନ୍ମୟୀଙ୍କର କୌଣସି ଏକ କଲେଜ ପ୍ରମାଣପତ୍ର ନେବା ପାଇଁ ଆସିଥିବା ଚର୍ଚ୍ଚା ହେଉଛି। ଶୁକ୍ରବାର ଚିନ୍ମୟୀଙ୍କ ଡାଏଟମ୍ ରିପୋର୍ଟ ଆସିବ ବୋଲି ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଥିବା ବେଳେ ଗୁରୁବାର ଚିନ୍ମୟୀଙ୍କ ଭିସେରା ନମୁନା ଲ୍ୟାବ୍କୁ ପଠାଯାଇଛି ବୋଲି ପୁଲିସ କହିଛି।