ଚିନ୍ତାରେ ଭିସୁଟ୍‌ ଛାତ୍ର, ଅଭିଭାବକ; ଦ୍ବନ୍ଦ୍ବ ସୃଷ୍ଟି କଲା କୋଭିଡ୍‌ ରିପୋର୍ଟ

ସବୁ ପଜିଟିଭ୍‌ ନେଗେଟିଭ୍‌ ହେଲେ, ଭୁଲ୍‌ ରିପୋର୍ଟକୁ ନେଇ ତୀବ୍ର ପ୍ରତିକ୍ରିୟା, କିଟ୍‌କୁ ଦୋଷ ଦେଲେ ସରକାର

ସମ୍ବଲପୁର/ ଭୁବନେଶ୍ବର: ଭିସୁଟ୍‌ର ଜଣେ ବି ଛାତ୍ର କରୋନା ସଂକ୍ରମିତ ହୋଇ ନାହାନ୍ତି। ଆର୍‌ଟିପିସିଆର୍‌ ପରୀକ୍ଷାରୁ କେହି ବି ପଜିଟିଭ୍‌ ଥିବା ଜଣାପଡ଼ିନାହିଁ। ଆଣ୍ଟିଜେନ୍‌ କିଟ୍‌ରେ ତ୍ରୁଟି ଥିବାରୁ ବୁର୍ଲାସ୍ଥିତ ଭିସୁଟ୍‌ ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ରଙ୍କ ରିପୋର୍ଟ କୋଭିଡ ପଜିଟିଭ୍‌ ଆସିଥିଲା। ଏବେ ସେମାନଙ୍କର ଆର୍‌ଟିପିସିଆର୍‌ ପରୀକ୍ଷା ପରେ ସମ୍ପୃକ୍ତ ଛାତ୍ରମାନେ ନେଗେଟିଭ୍‌ ଥିବା ପ୍ରମାଣ ମିଳିଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସ୍ପଷ୍ଟ କଲା ପରେ ରାଜ୍ୟରେ ହଇଚଇ ସୃ୍ଷ୍ଟି ହୋଇଛି। ଖରାପ କିଟ୍ ଯୋଗାଇଥିବା ଦିଲ୍ଲୀର ସଂସ୍ଥାକୁ କାରଣ ଦର୍ଶାଅ‌ ନୋଟିସ ଜାରି କରାଯାଇଛି।

ତେବେ ସରକାରଙ୍କ ଏହି ସଫେଇ ସମସ୍ୟାର ସମାଧାନ କରିବା ବଦଳରେ ଦ୍ବନ୍ଦ୍ବ ବଢ଼ାଇ ଦେଇଛି। ଛାତ୍ର, ଅଭିଭାବକ ଓ ଜନସାଧାରଣଙ୍କ ମନରେ ଅନେକ ପ୍ରଶ୍ନ, ଯାହାର ଉତ୍ତର ଦେବାକୁ କେହି ନାହିଁ। ରାଜ୍ୟରେ କରୋନାର ଲକ୍ଷାଧିକ ମାମଲା ଭିତରେ ପଜିଟିଭ୍ ଚିହ୍ନଟ ହେବା ଲୋକଙ୍କୁ କିଟ୍ ଖରାପ ହୋଇଥିବା ଦର୍ଶାଇ ପୁଣି ନେଗେଟିଭ୍ ଘୋଷଣା କରାଯିବା ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି। ପିଲାଙ୍କ ଜୀବନ ତଥା କ୍ୟାରିୟର୍‌ ସହ ଖେଳ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ସାଧାରଣତଃ ଆଣ୍ଟିଜେନ୍ ପରୀକ୍ଷାରେ ଯାହାର ପଜିଟିଭ୍ ଆସେ ତାର ଆଉ ଆର୍‌ଟିପିସିଆର୍‌ ପରୀକ୍ଷାର ଆବଶ୍ୟକତା ପଡ଼ି ନଥାଏ। ନେଗେଟିଭ୍ ଆସିଲେ ଆର୍‌ଟିପିସିଆର୍‌ ପରୀକ୍ଷାର ଆବଶ୍ୟକତା ପଡ଼ିଥାଏ। ଯେହେତୁ ଭିସୁଟ୍‌ର ଛାତ୍ର ମାନେ ଆଣ୍ଟିଜେନ୍‌ରେ ପଜିଟିଭ୍ ଚିହ୍ନଟ ହୋଇଥିଲେ ତେଣୁ ତୁରନ୍ତ ସେମାନଙ୍କ ଆର୍‌ଟିପିସିଆର୍‌ ପରୀକ୍ଷା ଦରକାର ପଡ଼ିନଥିବ। ତେବେ ପୁଣି ପରୀକ୍ଷା କାହିଁକି କରାଗଲା ଏବଂ କେବେ କରାଗଲା ତାହାକୁ ନେଇ ପ୍ରଶ୍ନ ଉଠିଲାଣି। କାରଣ ପଜିଟିଭ୍‌ ଜଣାପଡ଼ିଲା ପରେ କିଛି ଛାତ୍ର ହଷ୍ଟେଲ୍‌ରେ ସଂଗରୋଧରେ ଥିବା ବେଳେ କିଛି ସେହି ଦିନ ହିଁ ନିଜନିଜ ଘରକୁ ଚାଲି ଯାଇଥିଲେ। ଯଦି ବି ଭିସୁଟ୍‌କୁ ସ୍ବତନ୍ତ୍ର ମାମଲା ଭାବେ ବିବେଚନା

କରି ଉକ୍ତ ଛାତ୍ର ମାନଙ୍କ ପୁନଃ ପରୀକ୍ଷା କରାଗଲା ତେବେ ପିଲାଙ୍କ ନମୁନା କେବେ ସଂଗ୍ରହ କରାଗଲା। କିଛି ପିଲା ନିଜ ଘରକୁ ଚାଲି ଯାଇଥିବା ବେଳେ ସେମାନଙ୍କ ନମୁନା କିଏ ସଂଗ୍ରହ କଲା ବୋଲି ଅଭିଭାବକ ମାନେ ପ୍ରଶ୍ନ ଉଠାଇଛନ୍ତି। ଏପରିକି କିଛି ଛାତ୍ର ନିଜ ଘରକୁ ଯିବା ପରେ ପୁନଃନିଶ୍ଚିତ ହେବାକୁ ସେଠାରେ ପୁଣି ପରୀକ୍ଷା କରାଇ ପଜିଟିଭ୍ ଚିହ୍ନଟ ହୋଇଥିବା କହିଛନ୍ତି। ସମଗ୍ର ଘଟଣା ଏବେ ବିବାଦୀୟ ହୋଇପଡ଼ିଛି। ଦ୍ବନ୍ଦ୍ବ ସୃଷ୍ଟି କରିଛି। ସତ କଣ? ଏହାର ଉତ୍ତର ମାଗିଛନ୍ତି ଛାତ୍ର ଓ ଅଭିଭାବକ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ଯେ ୨୫ଟି ନମୁନା ପଜିଟିଭ୍ ହେବା ପରେ ପୁଣି ନେଗେଟିଭ୍ ଜଣା ପଡ଼ିବାରୁ ସରକାର ଆଣ୍ଟିଜେନ୍‌ କିଟ୍‌କୁ ଦୋଷ ଦେଲେ। ଏହା ଖରାପ ବୋଲି କିଏ ସାର୍ଟିଫିକେଟ୍ ଦେଲା? ଏ ସଂପର୍କରେ ସରକାର କିଛି ସ୍ପଷ୍ଟ କରି ନାହାନ୍ତି। ଆଇସିଏମ୍‌ଆର୍‌ ଏକଥା ପ୍ରମାଣିତ କରିଛି କି ନାହିଁ ସେ ସଂପର୍କରେ ଅଭିଭାବକ ମାନେ ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ କି ଦୁଇଟି କିଟ୍ ଭୁଲ୍‌ ହେଲା ଭିନ୍ନ କଥା। ୨୫ଟି କିଟ୍ ଭୁଲ୍‌ କେମିତି ହେଲା? ଯଦି ୨୫ କିଟ୍‌ ଭୁଲ ହେଲା ତାହେଲେ ସମ୍ବଲପୁର ଜିଲ୍ଲା ବା ଓଡ଼ିଶାରେ ବ୍ୟବହାର ହୋଇଥିବା ଶହଶହ କିଟ୍‌ରେ ବି ତ୍ରୁଟି ଥିବ। ଏଥିପାଇଁ ଦାୟୀ କିଏ? ଏହାର ଦାୟିତ୍ବ କିଏ ନେବ? ଭିସୁଟ୍‌ର ଛାତ୍ରଙ୍କ ନମୁନା ପରୀକ୍ଷା ଭୁଲ ଜଣା ପଡ଼ିବା ପରେ ଉକ୍ତ ସମୟରେ ବା ବିଭିନ୍ନ ସମୟରେ କରା ଯାଇଥିବା ଶହଶହ ଲୋକଙ୍କ ଆଣ୍ଟିଜେନ୍‌ ପରୀକ୍ଷାର ଫଳକୁ ନେଇ ଏବେ ସଂଦେହ ସୃଷ୍ଟି ହୋଇଛି। ସେହି ସମୟରେ ଆଣ୍ଟିଜେନ୍‌ରୁ ‌ପଜିଟିଭ୍ ଚିହ୍ନଟ ହୋଇ ଅନେକ କୋଭିଡ୍ ହସ୍‌ପିଟାଲ୍‌ରେ ବି ଭର୍ତ୍ତି ହୋଇଛନ୍ତି। ଏହାଦ୍ବାରା ସେମାନଙ୍କୁ ବିନା କାରଣରେ ସଂକ୍ରମଣ ମୁହଁକୁ ଠେଲି ଦିଆଯାଇଛି ବୋଲି କୁହାଯାଉଛି।

ବୁର୍ଲା ଭିମସାର ମେଡିକାଲ କଲେଜ୍‌କୁ ଆଣ୍ଟିଜେନ୍‌ କିଟ୍‌ ଯୋଗାଇଥିବା ନୂଆଦିଲ୍ଲୀ ସ୍ଥିତ ମେସର୍ସ୍‌ ଓସ୍କାର୍‌ ମେଡିକେୟାର ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାକୁ ଇତିମଧ୍ୟରେ ଓଡ଼ିଶା ରାଜ୍ୟ ମେଡିକାଲ ନିଗମ ଲିମିଟେଡ୍‌ କାରଣ ଦର୍ଶାଅ ନୋଟିସ ଜାରି କରିଛି। ସମ୍ପୃକ୍ତ କମ୍ପାନି ନୋଟିସ ପାଇବାର ୩ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ମେଡିକାଲ ନିଗମ ମହାପ୍ରବନ୍ଧକ ନୋଟିସରେ ଉଲ୍ଲେଖ କରିଛନ୍ତି, ବୁର୍ଲା ଭିମ୍‌ସାରକୁ କମ୍ପାନି ପକ୍ଷରୁ ଯୋଗାଇ ଦିଆଯାଇଥିବା ସାର୍ସ୍‌ କୋଭ-୨ (କୋଭିଡ-୧୯) ଆଣ୍ଟିଜେନ୍‌ କିଟ୍‌ ବ୍ୟାଚ୍‌ ସଂଖ୍ୟା ସିଏଜି-ଡି୦୦୮ରେ ତ୍ରୁଟି ରହିଛି। ଫଳରେ ଏହିସବୁ କିଟ୍‌ରେ ପରୀକ୍ଷା କରାଯାଇଥିବା ଛାତ୍ରଙ୍କ ନମୁନା ପଜିଟିଭ ଥିବା ନେଇ ଭୁଲ ରିପୋର୍ଟ ମିଳିଛି। ଏଭଳି ତ୍ରୁଟିପୂର୍ଣ୍ଣ କିଟ୍‌ ଯୋଗୁ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି। କ’ଣ ପାଇଁ ଏଭଳି ତ୍ରୁଟି ଘଟିଛି ସେ ନେଇ କମ୍ପାନି ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବନି ବୋଲି ମହାପ୍ରବନ୍ଧକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର