ଘରକୁ ଯିବା ପାଇଁ ଭିସୁଟ୍‌ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍ ପରୀକ୍ଷା ପାଇଁ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟ ପରେ ଅନ୍‌ଲାଇନ୍ ପରୀକ୍ଷା ଦାବିରେ ଏବେ ଆନ୍ଦୋଳନକୁ ଓହ୍ଲାଇଥିଲେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌)ର ଛାତ୍ରଛାତ୍ରୀ। ଶନିବାର ସଂଧ୍ୟାରେ ଶତାଧିକ ଛାତ୍ରଛାତ୍ରୀ କ୍ୟାମ୍ପସ୍‌ ପରିସରରେ ଧାରଣାରେ ବସି ସେମାନଙ୍କୁ ଘରକୁ ‌ଯିବା ପାଇଁ ଅନୁମତି ଦାବି କରିଥିଲେ।

ଭିସୁଟ୍‌ କୁଳପତିଙ୍କୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଥ‌ିଲେ, ଭିସୁଟ୍‌ର ବିଭିନ୍ନ ଛାତ୍ରାବାସରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ି ଚାଲିଛି। କ୍ୟାମ୍ପସ୍‌ରେ ପଜିଟିଭ୍ ସଂଖ୍ୟା ବଢ଼ୁଥିବା ପରିଲକ୍ଷିତ ହେଉଛି। ତେଣୁ ଆମ ସୁରକ୍ଷା ନେଇ ପିତାମାତା ମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ତେଣୁ ଆମକୁ ହଷ୍ଟେଲ୍‌ ଛାଡ଼ି ଘରକୁ ଯିବାକୁ ଅନୁମତି ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ୫୦୦ରୁ ଅଧିକ ଛାତ୍ରଛାତ୍ରୀ ମୁଖ୍ୟ କ୍ୟାମ୍ପସ୍‌ରେ ସାମାଜିକ ଦୂରତା ରଖି ଧାଡ଼ିରେ ବସି ରହି ନିଜ ଦାବି ଉପସ୍ଥାପନ କରିଥିଲେ।

କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଅତିରିକ୍ତ ଏସ୍‌ପି ଅମରେଶ ପଣ୍ଡା ଓ ଅନ୍ୟ ପୁଲିସ୍‌ ଅଧିକାରୀ ମାନେ ବହୁ ସଂଖ୍ୟକ ପୁଲିସ୍ ବଳ ସହ କ୍ୟାମ୍ପସ୍‌ରେ ଉପସ୍ଥିତ ଥିଲେ। କୌଣସି ଗଣ୍ଡଗୋଳ ନକରି ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାର କରିବାକୁ ପୁଲିସ୍‌ ପକ୍ଷରୁ ପିଲା ମାନଙ୍କୁ ପରାମର୍ଶ ଦିଆ ଯାଇଥିଲା। ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ରାତିରେ ଭିସୁଟ୍‌ ଭାରପ୍ରାପ୍ତ କୁଳପତିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ପିଲାଙ୍କ ଦାବିକୁ ଏକପ୍ରକାର ଗ୍ରହଣ କରି ନିଆ ଯାଇଥିଲା। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା ହେବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ତେଣୁ ଯେଉଁ ଛାତ୍ରଛାତ୍ରୀ ମାନେ ଘରକୁ ଯିବାକୁ ଚାହିଁବେ ଯାଇ ସେଠାରୁ ଅନ୍‌ଲାଇନ୍‌ରେ ପରୀକ୍ଷା ଦେଇ ପାରିବେ ବୋଲି ସ୍ଥିର ହୋଇଥିଲା। ଏହାପରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନରୁ ଓହରି ରାତିରେ ନିଜ ନିଜ ଛାତ୍ରାବାସକୁ ଫେରି ଯାଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର