‘ମନ କୀ ବାତ୍‌’ରେ ସ୍ଥାନ ପାଇଲା ଭିସୁଟର ସା‌ଉଣ୍ଡିଂ ରକେଟ : ଯୁବ ବୈଜ୍ଞାନିକଙ୍କ ପାଇଁ ଭାରତ ଗର୍ବିତ

ସମ୍ବଲପୁର : ପ୍ରତିମାସ ଶେଷ ରବିବାରରେ ପ୍ରସାରିତ ହେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କୀ ବାତ୍‌’ରେ ସ୍ଥାନ ପାଇଛି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ)ର ରକେଟ ସାଇନ୍ସ। ଏହି ଅବସରରେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଭିସୁଟ ଛାତ୍ରଛାତ୍ରୀଙ୍କ ସଫଳତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁରି ଭୁରି ପ୍ରଶଂସା କରିଛନ୍ତି। ରବିବାରର ଏହି ମନକୀ ବାତ୍‌ରେ ସ୍ଥାନ ପାଇଥିବା ଚତୁର୍ଥ ବିଷୟରେ ରହିଥିଲା ମହାକାଶ ବିଜ୍ଞାନ ସମ୍ବନ୍ଧୀୟ କିଛି ତଥ୍ୟ। ଯେଉଁଠି ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ବିଶିଷ୍ଠ ମହାକାଶ ବିଜ୍ଞାନୀ ଡା.ବିକ୍ରମ ସାରାଭାଇଙ୍କ ପ୍ରତିମୂର୍ତ୍ତି ଅନାବରଣରୁ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ। ସେ କହିଥିଲେ, ଏହା ଆମ ପାଇଁ ଗର୍ବର ବିଷୟ ଯେ ଆମ ଦେଶର ଅଧିକରୁ ଅଧିକ ଛାତ୍ରଛାତ୍ରୀ ମହାକାଶ ବିଜ୍ଞାନ ପ୍ରତି ମନୋନିବେଶ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଦ୍ବାରା ନିର୍ମାଣ କରାଯାଉଥିବା ଉପଗ୍ରହ ଓ ସାଉଣ୍ଡିଂ ରକେଟ ମହାକାଶ ଯାଏଁ ଯାଉଛି। ଛାତ୍ରଛାତ୍ରୀଙ୍କ ଦ୍ବାରା ନିର୍ମିତ ଉପଗ୍ରହ କଲାମସେଟ ଗତ ୨୪ ତାରିଖରେ ମହାକାଶକୁ ପ୍ରେରଣ ହୋଇଥିବା ବେଳେ ଓଡିଶାର ଏକ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ସାଉଣ୍ଡିଂ ରକେଟ ଅନେକ କୀର୍ତ୍ତିମାନ ସ୍ଥାପନ କରିପାରିଛି। ଏହୀ ଯୁବ ବୈଜ୍ଞାନିକଙ୍କ ପାଇଁ ଭାରତ ଆଜି ଗର୍ବିତ।

ଏନେଇ ଭିସୁଟ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କୁ ପଚାରିବାରେ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ। ‌ସେ କହିଥିଲେ ଯେ, ଏହି ପ୍ରକଳ୍ପ ପିଲାମାନେ ସେମାନଙ୍କର ପକେଟ ଖର୍ଚ୍ଚରୁ କାଢ଼ି ହିଁ ତିଆରି କରିଥିଲେ। ତେବେ ଭିସୁଟକୁ ମହାକାଶ ଗବେଷଣା କ୍ଷେତ୍ରରେ ଏଭଳି ଗୋଟିଏ ପରେ ଗୋଟିଏ ସଫଳତା ମିଳିବା ପରେ ଇସ୍ରୋର ବୈଜ୍ଞାନିକ ଡ.ବିଜୟନ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆହୁରି ଅଧିକ ଏଭଳି ରକେଟ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଉଲ୍ଳେଖଯୋଗ୍ୟ, ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଭୁବନେଶ୍ବରର ଜନପଥରେ ଭିସୁଟ ପ୍ରଥମ ଥର ପାଇଁ ରକେଟ ସମ୍ପର୍କୀୟ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରିଛି।

ସମ୍ବନ୍ଧିତ ଖବର