ବୁର୍ଲା : ମଙ୍ଗଳବାର ରାତି ୧୦ଟାରେ ଭିସୁଟ୍‌ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶୀନୀ ସାହୁ ପାୱାର ଚାନେଲକୁ ଡେଇଁ ପଡ଼ିଛନ୍ତି। ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ସେ ତାଙ୍କ ଜଣେ ସାଂଗ ଉପସ୍ଥିତିରେ ଅଚାନକ ପାୱାର ଚାନେଲଙ୍କୁ ଡେଇଁଥିବା ବେଳେ ବହୁ ଖୋଜାଖୋଜି ପରେ ତାଙ୍କ ସନ୍ଧାନ ମିଳିପାରି ନାହିଁ।

Advertisment

ପ୍ରାପ୍ତ ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ରାମପୁର ମଦନପୁର ନିବାସୀ ଚିନ୍ମୟୀ ପ୍ରିୟଦର୍ଶନୀ ଆଇଟି ବିଭାଗର ସ୍ନାତକ‌ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ। ଆଜି ସମାବର୍ତ୍ତନ ଉତ୍ସବ ଥିବାରୁ ତାଙ୍କ ସାର୍ଟିଫିକେଟ୍ ନେବା ପାଇଁ ବୁର୍ଲା ଭିସୁଟକୁ ଆସିଥିଲେ। କୌଣସି କାରଣରୁ ମାନସିକ ବିଷାଦରେ ଥିଲେ। ତାଙ୍କ ଜଣେ ସହପାଠୀ ଭୁବନେଶ୍ବର ବିଜେବି ନଗର ନିବାସୀ ପ୍ରୀତିମନ ଦେ’ଙ୍କ ସହିତ ସେ ପିସି ବ୍ରିଜ୍ ନିକଟକୁ ବୁଲିବାକୁ ଯାଇଥିଲେ। ପିସି ବ୍ରିଜ୍‌ ଉପରେ ବାଇକ୍‌ ରଖି କଥାବାର୍ତ୍ତା କରୁଥିବା ବେଳେ ଅଚାନକ ସେ ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ।

publive-image

ପ୍ରୀତିମାନ ଘଟଣା ସଂପର୍କରେ ତୁରନ୍ତ ଭିସୁଟ୍ କର୍ତ୍ତୃପକ୍ଷ ତଥା ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଖବର ମିଳିବା ପରେ ତୁରନ୍ତ ବୁର୍ଲା ପୁଲିସ, ଅଗ୍ନିଶମ ବାହିନୀ ପହଂଚି ଖୋଜାଖୋଜି କରିଥିଲେ। ରାତିର ଅନ୍ଧକାର ମଧ୍ୟରେ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଖୋଜାଖୋଜି କରାଯାଇଥିଲା। ଅନ୍ଧାର ଯୋଗୁ ଏଥିରେ ବାଧା ସୃଷ୍ଟି ହେବାରୁ ଉଦ୍ଧାର ଅଭିଯାନକୁ ସ୍ଥଗିତ ରଖାଯାଇ ଆସନ୍ତାକାଲି ସକାଳେ ପୁଣି ଖୋଜାଖୋଜି କରିବାକୁ ସ୍ଥିର କରାଯାଇଛି। ପୁଲିସ ଚିନ୍ମୟୀଙ୍କ ସାଂଗ ପ୍ରୀତିମାନକୁ ଥାନାକୁ ଡାକି ଆଣି ଘଟଣା ସଂକ୍ରାନ୍ତରେ ପଚରାଉଚରା କରିଥିଲା। ପ୍ରୀତିମାନଙ୍କ କହିବା ଅନୁସାରେ, ପାରିବାରିକ କଳହ ଯୋଗୁ ଚିନ୍ମୟୀ କୁଆଡ଼େ ବିଷାଦରେ ଥିଲେ। ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ସେ ଏଭଳି ପ‌ଦକ୍ଷେପ ନେଇଥିଲେ।