ଭିସୁଟ୍‌ ଛାତ୍ରଛାତ୍ରୀଙ୍କ ଆଉ ଏକ ସଫଳତା : ଅତି ବାଇଗଣୀ ରଶ୍ମିରେ ବିଶୋଧନ କରିବ ରୋବୋଟ୍‌

ବିନା ସ୍ପର୍ଶରେ ସମଗ୍ର ଶରୀର ସାନିଟାଇଜ୍‌ ହେବ

ସମ୍ବଲପୁର : ପୂର୍ବରୁ ସ୍ବଳ୍ପ ଦୂରଗାମୀ ରକେଟ୍‌ ତିଆରି କରି ସମଗ୍ର ଦେଶରେ ପ୍ରଶଂସା ସାଉଁଟିଥିବା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସା‌ଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍‌)ର ଛାତ୍ରଛାତ୍ରୀ ବର୍ତ୍ତମାନର କୋଭିଡ୍‌ ସ୍ଥିତିକୁ ଆଖି ଆଗରେ ରଖି ରୋବୋଟ୍‌ ପରିଚାଳିତ ଅତି ବାଇଗଣୀ ରଶ୍ମି ବିଶୋଧନ ମେସିନ୍‌ ତିଆରି କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ଏହି ମେସିନ୍‌ର ନାଁ ରହିଛି ୟୁଭିରାସ୍‌ (ଅଲଟ୍ରା ଭାଓଲେଟ୍‌ ରୋବେଟ୍‌ ଆସିଷ୍ଟେଡ୍‌ ସାନିଟାଇଜେସନ୍‌)। ସାଧାରଣତଃ ଅତି ବାଇଗଣୀ ରଶ୍ମି ଶରୀର ପକ୍ଷେ କ୍ଷତିକାରକ ହୋଇଥିବାବେଳେ ଏହି ମେସିନ୍‌ର ଏମିଟରରୁ ନିର୍ଗତ ହେଉଥିବା ରଶ୍ମି ମଣିଷ ଶରୀର ପାଇଁ କ୍ଷତିକାରକ ହେବନାହିଁ ବୋଲି ଭିସୁଟ୍‌ ରୋବୋଟିକ୍ସ ସୋସାଇଟି ପକ୍ଷରୁ ଦାବି କରାଯାଇଛି। ଏହି ମେସିନ୍‌ ଏକ ଦିଗଗାମୀ(ଓମ୍‌ନି ଡିରେକ୍ସନାଲ) ଭାବେ ଗତି କରି ସମଗ୍ର ଅଞ୍ଚଳକୁ ବିଶୋଧିତ କରିବ। ଏଥିରେ ଏକ ଅତ୍ୟାଧୁନିକ କ୍ୟାମେରା ମଧ୍ୟ ଖଞ୍ଜା ଯାଇଛି ଯାହା ଉକ୍ତ ମେସିନ୍‌ ଦ୍ବାରା ବିଶୋଧିତ ହେଉଥିବା ଅଞ୍ଚଳର ଫଟୋ ଓ ରିଅଲ ଟାଇମ୍‌ ଭିଡିଓ ଉତ୍ତୋଳନ କରିବ। ଏହି କ୍ୟାମେରାଟି ରିମୋଟ୍‌ ଦ୍ବାରା ପରିଚାଳିତ ହେବ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏହି ମେସିନ୍‌ ସମ୍ପୂର୍ଣ୍ଣ ଭାବେ କଣ୍ଟାକ୍ଟ ଲେସ୍‌ ଅର୍ଥାତ୍‌ କୌଣସି ପଦାର୍ଥ, ପାଣି ବିନା ସ୍ପର୍ଶରେ ଏହି ମେସିନ୍‌ ସାହାଯ୍ୟରେ ଲୋକେ ଏକାବେଳକେ ଏକ ବିରାଟ ଅଞ୍ଚଳକୁ ବିଶୋଧିତ କରିପାରିବେ ବୋଲି ରୋବୋଟିକ୍ସ ସୋସାଇଟି ସମ୍ପାଦକ ଅଭିଷେକ ଅଗ୍ରୱାଲ, ପ୍ରଥମ ବର୍ଷର ଛାତ୍ର ଅଭ୍ୟୁଦୟ ଦାଶ, ଆୟୁଷ ସିଂ, ତ୍ରିଲୋଚନ ବସନ୍ତିଆ ଓ ଅଭିପ୍ସ ରାଜ୍‌ଙ୍କ ଟିମ୍‌ ଏହି ଅତ୍ୟାଧୁନିକ ‌ମେସିନ୍‌ ତିଆରି କରିପାରିଛନ୍ତି। ଭିସୁଟ୍‌ର ପୁଲହ ଛାତ୍ରାବାସକୁ ଜିଲ୍ଲା ପ୍ରଶାସନ ୧ ହଜାର ଶଯ୍ୟା ବିଶିଷ୍ଠ କୋଭିଡ୍‌ ସଙ୍ଗରୋଧ କେନ୍ଦ୍ରରେ ପରିଣତ କରିଛି। ଏଭଳି ସ୍ଥିତିରେ ଏହି ଛାତ୍ରାବାସର ବିଶୋଧନ ପାଇଁ ‘ୟୁଭିରାସ୍‌’ ମେସିନ୍‌ ବ୍ୟବହାର କରିବାକୁ ରୋବୋଟିକ୍ସ ସୋସାଇଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯିବ ବୋଲି ଜଣାପଡ଼ିଛି। ଏହି ମେସିନ୍‌ ତିଆରି କରିବାକୁ ‌୧ ସପ୍ତାହ ଲାଗିଥିବା ସମୟରେ ୧୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ମେସିନ୍‌ରେ ମାଇକ୍ରୋ କଣ୍ଟ୍ରୋଲର, କ୍ୟାମେରା(ରନ୍‌ କ୍ୟାମ୍‌), ୩ଟି ଡିସି ମୋଟର(୨୦୦ ଆର୍‌ପିଏମ୍‌), ପିଏସ୍୪ କଣ୍ଟ୍ରୋଲର ଲାଗିଛି। ଆଗକୁ ମୋବାଇଲ୍‌ ଦ୍ବା‌ରା କିଭଳି ଏହି ରୋବୋଟ୍‌କୁ ପରିଚାଳନା କରାଯାଇପାରିବ ସେନେଇ ମଧ୍ୟ ପରୀକ୍ଷା ଚାଲିଥିବା ସୂଚନା ‌ଦିଆଯାଇଛି।

ଏହାବ୍ୟତୀତ ସୋସାଇଟି ପକ୍ଷରୁ ଏକ ସ୍ବୟଂଚାଳିତ ହସ୍ତ ‌ପ୍ରକ୍ଷାଳନ ଯନ୍ତ୍ର(ହ୍ୟାଣ୍ଡ ସାନିଟାଇଜର ମେସିନ୍‌) ମଧ୍ୟ ଉଦ୍ଭାବନ କରାଯାଇଛି। ଏଥିରେ ଏକ ସେନ୍‌ସର ଖଞ୍ଜାଯାଇଛି ଯାହା ବିନା ସ୍ପର୍ଶରେ ହସ୍ତ ପ୍ରକ୍ଷାଳନ କରିପାରିବ। ସେପଟେ, ସାନିଟାଇଜେସନ୍‌ ପାଇଁ ଏଥିରେ ବ୍ୟବହୃତ ରସାୟନିକ ପଦାର୍ଥ ମଧ୍ୟ ବିଶ୍ବବିଦ୍ୟାଳୟର ଲ୍ୟାବ୍‌ରେ ହିଁ ପ୍ରସ୍ତୁତ କରାଯାଇଛି। ଏହି ମେସିନ୍‌କୁ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ଲଗାଇବା ଦ୍ବାରା ଭିତରକୁ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ହାତ ବିଶୋଧନ ହୋଇପାରିବ। ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟରେ ସହାୟତା ପାଇଁ ଭିସୁଟ୍‌ ରୋବୋଟିକ୍ସ ‌ସୋସାଇଟି ପକ୍ଷରୁ ଏହା ଛୋଟିଆ ଉଦ୍ୟମ ବୋଲି ଏକ ଭିଡିଓ ମଧ୍ୟ ରିଲିଜ୍‌ କରାଯାଇଛି।

ସମ୍ବନ୍ଧିତ ଖବର