ଭିସୁଟ୍‌ରେ ପୁଣି କାର୍ଯ୍ୟାନୁଷ୍ଠାନ: ୬୧ ଶିକ୍ଷକଙ୍କ ୩ ଦିନର ଦରମା ବନ୍ଦ

ସମ୍ବଲପୁର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌)ରେ କୁଳପତିଙ୍କ ବିରୋଧରେ ଆନ୍ଦୋଳନ ଶିକ୍ଷକମାନଙ୍କୁ ବେଶ୍‌ ମହଙ୍ଗା ପଡ଼ିଛି। ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ଚାଲିଛି। ଆନ୍ଦୋଳନ ନେତୃତ୍ବ ନେଇଥିବା ଓ ଏଥିରେ ସାମିଲ ହୋଇଥିବା ୭ ଜଣ ଶିକ୍ଷକଙ୍କୁ ପୂର୍ବରୁ ନିଲମ୍ବିତ କରା ଯାଇଥିବା ବେଳେ ଆଜି ଭିସୁଟ୍‌ କର୍ତ୍ତୃପକ୍ଷ ଆଉ ୬୧ ଜଣ ଶିକ୍ଷକଙ୍କ ୩ ଦିନର ଦରମା ବନ୍ଦ କରିଛନ୍ତି। ବୁଧବାର ସନ୍ଧ୍ୟାରେ ଭିସୁଟ କୁଳସଚିବଙ୍କ କାର୍ଯ୍ୟାଳୟରୁ ଏନେଇ ନିର୍ଦେଶ ଜାରି କରାଯାଇଥିବା ଜଣାପଡ଼ିଛି। ଭିସୁଟ ଷ୍ଟାଚ୍ୟୁଟ ୭୦(୨) ଅନୁଯାୟୀ ଜୁଲାଇ ୨୫ରୁ ୨୭ ତାରିଖ ଯାଏଁ ଶିକ୍ଷକମାନେ କାର୍ଯ୍ୟବନ୍ଦ କରିଥିବାରୁ ‘ନୋ ୱାର୍କ ନୋ ପେ’ ନିୟମ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଦରମା ବନ୍ଦ ହୋଇଥିବା ଶିକ୍ଷକଙ୍କ ମଧ୍ୟରେ ୮ ଜଣ ପ୍ରଫେସର, ୨୧ ଜଣ ସହାୟକ ପ୍ରଫେସର ଓ ୩୨ ଜଣ ସହଯୋଗୀ ପ୍ରଫେସର ରହିଛନ୍ତି।

କୁଳପତିଙ୍କ ବହିଷ୍କାର ସମେତ ୧୦ ଦଫା ଦାବି ନେଇ ବିଶ୍ବବିଦ୍ୟାଳୟର ଶିକ୍ଷକ ସଂଘ ଜୁଲାଇ ୧୭ ତାରିଖରୁ ଆନ୍ଦୋଳନରେ ବସିଥିଲେ। ୩ ଦିନ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପରେ ଶିକ୍ଷକମାନେ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିଲେ। ଏହି ସମୟରେ ଅନ୍ୟ ଶିକ୍ଷକଙ୍କୁ ପ୍ରବର୍ତ୍ତାଇ ଧାରଣାରେ ବସିବା, ବିଶ୍ବବିଦ୍ୟାଳୟ ପରିସରରେ ଶୈକ୍ଷିକ ବାତାବରଣକୁ ନଷ୍ଟ କରିବା, ଶ୍ରେଣୀ ବର୍ଜନ କରିବା, ଗତ ସପ୍ଲିମେଣ୍ଟାରି ପରୀକ୍ଷା ଖାତା ନ ଫେରାଇବା, ଆଡ୍‌ମିସନ ସମୟରେ ବିଶ୍ବବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସମ୍ମୁଖରେ ଅନୁଷ୍ଠାନର ଛବି ମଳିନ କରିବାକୁ ଚେଷ୍ଟା କରିବା ଆଦି ଅଭିଯୋଗରେ ୭ ଜଣ ଶିକ୍ଷକଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଥିଲା।

ସମ୍ବନ୍ଧିତ ଖବର