ଭୁବନେଶ୍ବର/ସମ୍ବଲପୁର/ବୁର୍ଲା/ବଲାଙ୍ଗୀର: ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁକୁ ୪ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ମୃତ୍ୟୁର କାରଣ ପୁଲିସ୍ ଜାଣିପାରିନାହିଁ। ପ୍ରୀତିମାନ ଓ ଚିନ୍ମୟୀଙ୍କ ପରିବାର, ଚିନ୍ମୟୀ ରହୁଥିବା ଘରମାଲିକ ଏବଂ ଜଣଙ୍କ ପରେ ଜଣେ ସହପାଠୀଙ୍କୁ ପୁଲିସ୍ ଜେରା କରି ଚାଲିଛି। ମୋବାଇଲ୍ କଲ୍ ରେକର୍ଡ ଓ ସୋସିଆଲ୍ ମିଡିଆ ମେସେଜ୍ଗୁଡ଼ିକୁ ବି ଟିକିନିଖି ଯାଞ୍ଚ କରୁଛି। ପ୍ରୀତିମାନଙ୍କ ଉପରେ ପୁଲିସ୍ର ଅଧିକ ସନ୍ଦେହ ଥିବାରୁ ଆଜି ଭୁବନେଶ୍ବରସ୍ଥିତ ଏସ୍ଏଫ୍ଏସ୍ଏଲ୍ଠାରେ ତାଙ୍କର ଓ ମାନସ ଟୁଡୁଙ୍କ ମିଛ ଧରା ପରୀକ୍ଷା କରାଯାଇଛି।
ଶୁକ୍ରବାର ବିଳମ୍ବିତ ରାତିରେ ବୁର୍ଲା ପୁଲିସର ଏକ ଟିମ୍ ଉଭୟଙ୍କୁ ନେଇ ଭୁବନେଶ୍ବରରେ ପହଞ୍ଚିଥିଲା। ଆଜି ଏସ୍ଏଫ୍ଏସ୍ଏଲ୍ଠାରେ ପ୍ରାୟ ୪ଘଣ୍ଟା ଧରି ଉଭୟଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିଲା। ଘଟଣାସ୍ଥଳରେ କିଏ କିଏ ଥିଲେ, ଚିନ୍ମୟୀ ନିଜେ ଡେଇଁଥିଲେ କି ତାଙ୍କୁ କେହି ଧକ୍କା ଦେଇଥିଲା, ଚିନ୍ମୟୀଙ୍କ ସହ କି’ ସମ୍ପର୍କ ଥିଲା ଆଦି ପ୍ରଶ୍ନ ଉଭୟଙ୍କୁ ପଚରାଯାଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ରବିବାର ସଂଧ୍ୟା ସୁଦ୍ଧା ଏହି ମିଛଧରା ପରୀକ୍ଷାର ରିପୋର୍ଟ ଆସିଯିବ ବୋଲି ସମ୍ବଲପୁର ଅତିରିକ୍ତ ଏସ୍ପି ତପନ ମହାନ୍ତି କହିଛନ୍ତି। ସେହିପରି ଡାଏଟମ୍ ଓ ଭିସେରା ରିପୋର୍ଟ ଆଉ ୩-୪ ଦିନରେ ଆସିପାରେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ଅପରପକ୍ଷେ, ଶୁକ୍ରବାର ଚିନ୍ମୟୀଙ୍କ ରୁମ୍ରୁ ପୁଲିସ ଜବତ କରିଥିବା ଲାପ୍ଟପ୍, ହାର୍ଡଡିସ୍କ, ପେନ୍ଡ୍ରାଇଭ୍, ଡାଏରିକୁ ଲ୍ୟାବ୍କୁ ପଠାଇଥିବା ଜଣାପଡ଼ିଛି।
ସେହିଭଳି ଶନିବାର ବୁର୍ଲା ପୁଲିସ ଭିସୁଟ୍ର ୭ ଛାତ୍ରଙ୍କୁ ଥାନାକୁ ଡକାଇ ପଚରାଉଚରା କରିଛି। ଏକାଧିକ ଛାତ୍ରଙ୍କୁ ନେଇ ସେମାନଙ୍କୁ ଘଟଣାସ୍ଥଳ ପରିଦର୍ଶନ ମଧ୍ୟ କରିଥିଲା। ବୁର୍ଲା ଏସ୍ଆଇ ଅଭିନବ ମିଶ୍ରଙ୍କ ନେତୃତ୍ୱରେ ଦୁଇଜଣିଆ ଟିମ୍ ଶନିବାର ବଲାଙ୍ଗୀର ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଟିମ୍ ବଲାଙ୍ଗୀର ଟାଉନ୍ ଥାନା ପୁଲିସ ସହ ଚିନ୍ମୟୀଙ୍କ ବଲାଙ୍ଗୀର ସହରର ବିକ୍ରମ ଛକରେ ଥିବା ଘରକୁ ଯାଇଥିଲା। ଚିନ୍ମୟୀଙ୍କ ବାପା, ମା’ ଓ ଭଉଣୀଙ୍କୁ ପୁଲିସ ଟିମ୍ ଚିନ୍ମୟୀଙ୍କ ସଂପର୍କରେ ପ୍ରାୟ ଘଣ୍ଟାଏ ଧରି ପଚରାଉଚରା କରିଥିଲା। ଚିନ୍ମୟୀ ତାଙ୍କ ମା’ଙ୍କ ସହ ହ୍ୱାଟସ୍ଆପ୍ରେ କରିଥିବା ଶେଷ ଚାଟ୍ ସ୍କ୍ରିନ୍ସଟ୍ ପୁଲିସ ନେଇଛି। ପ୍ରୀତିମାନଙ୍କୁ ଏ ଯାଏ କାହିଁକି ଗିରଫ କରାଯାଇନାହିଁ ବୋଲି ଚିନ୍ମୟୀଙ୍କ ମା’ ଲବଙ୍ଗ ସାହୁ ପୁଲିସକୁ ପ୍ରଶ୍ନ କରିଥିଲେ। ପ୍ରୀତିମାନ ପୁଲିସ ହେପାଜତରେ ଅଛି, ପ୍ରମାଣ ମିଳିଲେ ଗିରଫ କରାଯିବ ବୋଲି ପୁଲିସ୍ ଟିମ୍ କହିଥିବା ଚିନ୍ମୟୀଙ୍କ ମା’ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମେଳ ଖାଉନି ଏସ୍ଡିପିଓ ଓ ଆଇଆଇସିଙ୍କ କଥା
ବୁର୍ଲା ଏସ୍ଡିପିଓ ସତ୍ୟବ୍ରତ ଦାଶଙ୍କ କହିବା ଅନୁଯାୟୀ, ଚିନ୍ମୟୀଙ୍କ ମୋବାଇଲ୍ଟି ପ୍ରୀତମାନଙ୍କଠାରୁ ଜବତ ହୋଇଥିଲା। ଚିନ୍ମୟୀ ତାଙ୍କ ମୋବାଇଲ୍କୁ ପ୍ରୀତିମାନଙ୍କୁ ଦେଇଥିବା ସେ କହିଥିଲେ। କିନ୍ତୁ ପ୍ରୀତିମାନଙ୍କ ମୋବାଇଲ୍କୁ ତାଙ୍କ ସାଙ୍ଗମାନେ ନେଇଯାଇଥିଲେ। ଘଟଣା ଘଟିବା ରାତିରେ ପୁଲିସ ପ୍ରୀତିମାନଙ୍କ ମୋବାଇଲ୍ ସେମାନଙ୍କ ପାଖରୁ ଜବତ କରିଥିଲା। ବୁର୍ଲା ଥାନାଧିକାରୀ ସୁଶାନ୍ତ କୁମାର ଦାସ କିନ୍ତୁ ଭିନ୍ନ କଥା କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ପ୍ରୀତିମାନଙ୍କ ପାଖରେ କୌଣସି ମୋବାଇଲ୍ ନଥିଲା। ୨ ଜଣଙ୍କ ମୋବାଇଲ୍ ସେମାନଙ୍କ ସାଙ୍ଗମାନଙ୍କ ପାଖରୁ ଜବତ କରାଯାଇଥିବା ସେ କହିଥିଲେ।