ଭିସୁଟ୍‌ର ସମାବର୍ତ୍ତନ ଉତ୍ସବ: ସୁବ୍ରତ ବାଗ୍‌ଚି, ଜି.ସତୀଶ ରେଡ୍ଡିଙ୍କୁ ଡକ୍ଟରେଟ୍‌ ସମ୍ମାନ

ଇଂ ନଳିନୀକାନ୍ତ ପ୍ରଧାନଙ୍କୁ ସ୍ୱତନ୍ତ୍ର ଆଲୁମିନି ଆଓ୍ଵାର୍ଡ

ବୁର୍ଲା: ଦେଶର ଅର୍ଥନୈତିକ ଅଭିବୃଦ୍ଧି ବର୍ତ୍ତମାନ ୯ ରୁ ୬.୭ ପ୍ରତିଶତକୁ ହ୍ରାସ ପାଇଛି। ବିଶ୍ୱ ସ୍ତରରେ ମାନ୍ଦାବସ୍ଥା ଏହାର ଅନ୍ୟତମ କାରଣ ହୋଇଥିଲେ ବି ବିମୁଦ୍ରାୟନ ଓ ଜିଏସ୍‍ଟିର ପ୍ରଭାବ ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। କଳା ଟଙ୍କାକୁ ଫେରାଇ ଆଣିବା, ଆର୍ଥିକ ଦୁର୍ନୀତିକୁ ରୋକାଯିବା, ଡିଜିଟାଲ ଅର୍ଥ ବିନିମୟ ଓ ଖଜଣା ଆଦାୟ ବ୍ୟବସ୍ଥାକୁ ମୁଖ୍ୟଧାରାକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରାରମ୍ଭିକ ପଦକ୍ଷେପ ନେଇଥିଲେ। ଏହା ଉପରେ ସମାଲୋଚନା ହୋଇଥିଲେ ମଧ୍ୟ ଏହାର ଉପାଦେୟତା ଜାଣିବା ଜରୁରୀ ବୋଲି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‍)ର ନବମ ସମାବର୍ତ୍ତନ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଓଡ଼ିଶାର ପୂର୍ବ ରାଜ୍ୟପାଳ ଏମ୍‍ଏମ୍‍ ରାଜେନ୍ଦ୍ରନ କହିଛନ୍ତି। ସେ ଆହୁରି କହିଥିଲେ ଯେ ଦୁର୍ନୀତିକୁ ରୋକିବା ଓ ଦେଶର ଭବିଷ୍ୟତ ଅଭିବୃଦ୍ଧିକୁ ବଜାୟ ରଖିବା ପାଇଁ ଏଭଳି ପଦକ୍ଷେପ ଜରୁରୀ ଥିଲା।

କୁଳପତି ପ୍ରଫେସର ଇଂ ସାଇବାବା ରେଡ୍ଡିଙ୍କ ଅଧ୍ୟକ୍ଷତାରେ ସାର୍‍ ବିସେଶ୍ୱରାୟ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ଉତ୍ସବରେ ଭିସୁଟ୍‍ ପକ୍ଷରୁ ଡିଆରଡିଓ ଡାଇରେକ୍ଟର୍‍ ଜେନେରାଲ ଜି ସତୀଶ ରେଡ୍ଡି ଏବଂ ଓଡ଼ିଶା ସ୍କିଲ୍‍ ଆଣ୍ଡ୍‍ ଡେଭଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚିଙ୍କୁ ବିଜ୍ଞାନ କ୍ଷେତ୍ରରେ ସମ୍ମାନ ସୂଚକ ଡକ୍ଟରେଟ୍‍ ଉପାଧି ପ୍ରଦାନ କରାଯାଇଥିଲା। ପ୍ରତିଷ୍ଠାନର ଆଲୁମିନି ରାଜ୍ୟ ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ତଥା ସଚିବ ଇଂ. ନଳିନୀକାନ୍ତ ପ୍ରଧାନଙ୍କୁ ସ୍ୱତନ୍ତ୍ର ଆଲୁମିନି ଆଓ୍ଵାର୍ଡ ପ୍ରଦାନ କରାଯାଇଥିଲା। ଏହା ସହିତ ୯ଜଣ ଗବେଷକ ସୌମେନ୍ଦ୍ର ମହାନ୍ତି (ସିଭିଲ ଇଂଜିନିୟରିଂ), ବିଘ୍ନରାଜ ନାଏକ, ଜନ୍ମଜୟ ନାଏକ, ପ୍ରଭୁଦତ୍ତ ମହାନ୍ତି (କମ୍ପ୍ୟୁଟର ସାଇନ୍ସ ଏଣ୍ଡ ଇଂଜିନିୟରିଂ), ସସ୍ମିତା ବେହେରା, ତଳସୀ ଚନ୍ଦ୍ରଶେଖର ଗୋରିଗୋଟୁ, ସବିତା ଚଇନି (ଇଲେକ୍ଟି୍ରକାଲ ଇଂଜିନିୟରିଂ), ମନୋଜ ନାଏକ (ଇଲେକ୍ଟୋନିକ୍ସ ଏଣ୍ଡ ଟେଲି କମ୍ୟୁନିକେସନ ଇଂଜିନିୟରିଂ) ଏବଂ ବିଶ୍ୱଜିତ ଆଚାର୍ଯ୍ୟ (କେମେଷ୍ଟ୍ରି) ଙ୍କୁ ପିଏଚଡି ଡିଗ୍ରି, ୨୨୯ ଜଣଙ୍କୁ ଏମ୍‍ଟେକ୍‍, ୩୪ ଜଣଙ୍କୁ ଏମ୍‍ସିଏ, ୩୩ ଜଣଙ୍କୁ ଏମ୍‍ଏସ୍‍ସି, ୫ ଜଣ ଏମ୍‍ଫିଲ୍‍ ଏବଂ ୮୦୪ ଜଣ ବିଟେକ୍‍ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ମୋଟ ୧୧୧୬ ଜଣ ଗବେଷକ ତଥା ଛାତ୍ରଛାତ୍ରୀ ଡିଗ୍ରି ପାଇଥିବା ବେଳେ ମୋଟ ୨୫ ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ଭିସୁଟ୍‍ କୁଳପତି ପ୍ରଫେସର ରେଡ୍ଡି ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଭାରପ୍ରାପ୍ତ କୁଳସଚିବ ପ୍ରଫେସର ପିକେ ପ୍ରଧାନ ମଞ୍ଚାସୀନ ରହିଥିଲେ। ଏହା ପୂର୍ବରୁ ପୂର୍ତ୍ତ ବିଭାଗ ସଚିବ ଇଂ.ପ୍ରଧାନ ସେଣ୍ଟ୍ରାଲ ଲାଇବ୍ରେରି, ହାଇଡ୍ରଲିକ୍ସ୍‍ ଫ୍ଲୋ ଲାବ୍ରୋଟରି ଏବଂ ପ୍ର.ରେଡ୍ଡି ସିଭିଲ ଇଂଜିନିୟରିଂ ବିଭାଗ ଓ ଇଲେକ୍ଟ୍ରିକାଲ୍‍ ଇଂଜିନିୟରି ବିଭାଗର କୋଠା ସଂପ୍ରସାରଣର ଶିଳାପ୍ରସ୍ତର ସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର