ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଶିଶୁମାନେ କେତେ ଅସୁରକ୍ଷିତ ତାହାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସିବାରେ ଲାଗିଛି। ଗୋଟିଏ ପଟେ ଜିଲ୍ଲାରେ ବାଲ୍ୟବିବାହ ବଢ଼ୁଛି। ଏଥିରେ ଅଙ୍କୁଶ ଲଗାଇବାରେ ପ୍ରଶାସନ ବିଫଳ ହୋଇଛି। ଅନ୍ୟପଟେ ଏହାର ସାଂଘାତିକ ଦଶା ଭୋଗୁଛନ୍ତି ନାବାଳିକା। ଦୁନିଆକୁ ଭଲକରି ଦେଖିବା ଆଗରୁ କୁନି ଝିଅମାନେ ମା’ ହୋଇ ଯାଉଛନ୍ତି। ୧୮ବର୍ଷ ବୟସ ବେଳକୁ ସେମାନଙ୍କୁ ଗର୍ଭଧାରଣ କରିବାକୁ ପଡ଼ୁଛି। ଶିକ୍ଷିତ ଜିଲ୍ଲା ଅନୁଗୁଳରେ ଶିଶୁ ଅସୁରକ୍ଷିତ ପ୍ରସଙ୍ଗରେ ଯୋଡ଼ି ହୋଇଛି ନାବାଳିକା ଗର୍ଭବତୀ ବୃଦ୍ଧି ଭଳି ଅତି ସ୍ପର୍ଶକାତର ଘଟଣା। ସରକାରୀ ତଥ୍ୟ କହୁଛି ଜିଲ୍ଲାରେ କେବଳ ୨୦୨୩ ବର୍ଷରେ ଅଢ଼େଇ ହଜାରରୁ ଅଧିକ ନାବାଳିକା ଗର୍ଭବତୀ ହୋଇଛନ୍ତି।
ଗତବର୍ଷ ନଭେମ୍ବର ୧୩ ତାରିଖରେ ଅନୁଗୁଳ ଜିଲ୍ଲା ଶରଧାପୁର ଅଞ୍ଚଳରେ ରାସ୍ତାକଡ଼ରେ ନବଜାତ ଶିଶୁକନ୍ୟାକୁ କୁକୁର ଝୁଣି ଖାଇବା ଘଟଣା ଯିଏ ଦେଖିଛି ଲାଜରେ ତା’ ମୁଣ୍ଡ ଆପେ ତଳକୁ ନଇଁ ଯାଇଥିବ। ୨୦୨୧ ଜୁଲାଇ ୯ ତାରିଖରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଖ ସହରର ଡେଲି ମାର୍କେଟ୍ ଭିତରୁ ନବଜାତ ଶିଶୁପୁତ୍ରର ମୃତଦେହ ମିଳିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା। କେତେବେଳେ ପୋଖରୀରୁ ତ କେତେବେଳେ ନାଳରୁ ନବଜାତକର ମୃତଦେହ ଉଦ୍ଧାର ହୋଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତ ୩ବର୍ଷରେ ନାବାଳିକା ଗର୍ଭବତୀ ମାମଲା ଜିଲ୍ଲାରେ ସଙ୍ଗିନ ରୂପ ନେଇଛି। ୨୦୨୩ ରେ ଅନୁଗୁଳରେ ୨୫୭୪ ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି। ୧୭ ହଜାର ୪୨୪ ଗର୍ଭବତୀଙ୍କ ମଧ୍ୟରେ ୧୪.୭୭ ପ୍ରତିଶତ ନାବାଳିକା ରହିଛନ୍ତି। ୨୦୨୧ରୁ ୨୦୨୩ ଭିତରେ ମୋଟ୍ ୩୮ହଜାର ୪୦୨ ଗର୍ଭବତୀ ମାମଲା ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୮ହଜାର ୨୪୧ ନାବାଳିକା ଗର୍ଭବତୀ ଥିବା ଜଣାପଡ଼ିଛି। ଏହା ଯେ ବାଲ୍ୟବିବାହ ଓ ଅବୈଧ ସମ୍ବନ୍ଧର ଗୋଟିଏ ଲେଖାଏଁ ପାର୍ଶ୍ବ ପ୍ରତିକ୍ରିୟା ତାହା ସମସ୍ତେ ଜାଣନ୍ତି। ଏନ୍ଏଫ୍ଏଚ୍ଏସ୍ର ତଥ୍ୟ କହୁଛି ଅନୁଗୁଳ ଜିଲ୍ଲାରେ ଏବେ ବାଲ୍ୟବିବାହ ହାର ୨୫ ପ୍ରତିଶତ ରହିଛି। ଯାହାକି ରାଜ୍ୟ ହାରଠାରୁ ବି ୫ ପ୍ରତିଶତ ଅଧିକ।
ଶହେରେ ୧୪ ଜଣ ସାଜୁଛନ୍ତି ମା’
୩ ବର୍ଷରେ ସଂଖ୍ୟା ଟପିଲା ୮ହଜାର
ମା’ ଓ ଛୁଆ ଜୀବନ ପ୍ରତି ବଢ଼ୁଛି ବିପଦ
କମ୍ ବୟସରେ ଝିଅଟିଏ ଗର୍ଭବତୀ ହେବାଦ୍ବାରା ଶାରୀରିକ ସମସ୍ୟା ଦେଖାଦେବା ସହ ଜୀବନ ପ୍ରତି ବିପଦ ରହୁଛି। ଏପରିକି ଅନେକ କିଶୋରୀ ମା’ଙ୍କର ଜୀବନ ମଧ୍ୟ ଚାଲି ଯାଉଛି। ଏନେଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସକ ଡା. ଶିବାନନ୍ଦ ମହାନ୍ତି କୁହନ୍ତି, ଗର୍ଭଧାରଣ କରିବା ପାଇଁ ବୟସ ଦେଖାଯିବା ନିହାତି ଜରୁରୀ। ଯେଉଁ ସମୟରେ ଗର୍ଭଧାରଣ କ୍ଷମତା ସୃଷ୍ଟି ହୁଏ ସେହି ବୟସରେ ହିଁ ଜଣେ ମା’ ହେବା ଚିକିତ୍ସା ବିଜ୍ଞାନ କହୁଛି। କିନ୍ତୁ ନାବାଳିକାଟିଏ ମା’ ହେବା ଦ୍ବାରା ସେ ଶାରୀରିକ ଓ ମାନସିକଭାବେ ଆଘାତପ୍ରାପ୍ତ ହୋଇଥା’ନ୍ତି। ସରକାରୀ ଭାବେ ବିବାହ ପାଇଁ ୧୮ବର୍ଷ ବୟସ ଧାର୍ଯ୍ୟ ହୋଇଥିଲା ବେଳେ ଝିଅଟିଏ ଅତି କମ୍ରେ ୨୧ ବର୍ଷ ବୟସ ବେଳକୁ ଶାରୀରିକ ଓ ମାନସିକ ଭାବେ ଗର୍ଭଧାରଣ କରିବା ସୁରକ୍ଷିତ ହୋଇଥାଏ। ନଚେତ୍ ଉଭୟ ମା’ ଓ ଛୁଆଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ ବୋଲି ସେ କହିଛନ୍ତି। ସେହିପରି ଅପ୍ରାପ୍ତ ବୟସରେ ଗର୍ଭଧାରଣ ଯୋଗୁଁ ଜନ୍ମିତ ଶିଶୁ ଆଇୟୁଜିଆର୍ (ଇନ୍ଟ୍ରାୟୁଟେରିନ୍ ଗ୍ରୋଥ୍ ରେଷ୍ଟ୍ରିକ୍ସନ୍) ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯାହାଦ୍ବାରା
ଶିଶୁଟି ଗର୍ଭାଶୟରେ ଭଲଭାବେ ବଢ଼ି ନଥିବାରୁ ସମୟ ପୂର୍ବରୁ ପ୍ରସବ, କମ୍ ଓଜନର ଶିଶୁ କିମ୍ବା ଗର୍ଭପାତର ଆଶଙ୍କା ରହିଛି ବୋଲି ଡା. ମହାନ୍ତି କହିଛନ୍ତି।
ଅନ୍ୟପଟେ ଜିଲ୍ଲାରେ ନାବାଳିକା ଗର୍ଭବତୀ ମାମଲା ଚିନ୍ତାଜନକ ସ୍ଥିତିରେ ଥିବାବେଳେ ଜିଲ୍ଲା ପ୍ରଶାସନର ଆକ୍ସନ୍ପ୍ଲାନ୍ ବିଷୟରେ ଆଜି ବି ଲୋକେ ଅଜଣା। ନାବାଳିକା ଗର୍ଭବତୀ ହେବା ପଛରେ ନିରକ୍ଷରତା, ବାଲ୍ୟବିବାହ ଏକ ବଡ଼ କାରଣ ବୋଲି କୁହାଯାଉଛି। ତେଣୁ ବାଲ୍ୟବିବାହକୁ ରୋକାଯାଇପାରିଲେ ନାବାଳିକା ଗର୍ଭବତୀ ମାମଲା ବହୁ ପରିମାଣରେ କମି ଯାଇପାରନ୍ତା ବୋଲି ମତପ୍ରକାଶ ପାଇଛି। ଆଶ୍ରମ ବିଦ୍ୟାଳୟ ଓ ଲେଡିଜ୍ ହଷ୍ଟେଲ୍ ଆଦିରୁ ନାବାଳିକା ଗର୍ଭବତୀ ମାମଲା ଅନେକ ସମୟରେ ଆସୁଥିବାରୁ ସେଗୁଡ଼ିକୁ ଗୁରୁତ୍ବ ଦେବା ଜରୁରୀ ହୋଇଛି। ଗୋଟିଏ ପଟେ ବାଲ୍ୟବିବାହ ସଂଖ୍ୟା ଏହି ଜିଲ୍ଲାରେ ବର୍ଷକୁ ୬୦/୭୦ ରହୁଥିଲା ବେଳେ ନାବାଳିକା ଗର୍ଭବତୀ ମାମଲା ହଜାର ହଜାର ସଂଖ୍ୟାରେ ଆସିବା ପ୍ରାଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରାଙ୍କୁ ପଚାରିବାରେ ଜିଲ୍ଲା ଟାସ୍କଫୋର୍ସ ବୈଠକରେ ଏ ସମ୍ପର୍କରେ ବାରମ୍ବାର ଆଲୋଚନା ହେଉଛି। ବାଲ୍ୟବିବାହ ମାମଲା କମ୍ ପଞ୍ଜୀକୃତ ହେଉଥିବାସ୍ଥଳେ ନାବାଳିକା ଗର୍ଭବତୀ ହେବା ସଂଖ୍ୟା ବହୁଗୁଣରେ ବଢ଼ିବା ନେଇ ସିଡିପିଓମାନଙ୍କୁ ରିପୋର୍ଟ ମଗାଯାଇଛି। ତୃଣମୂଳସ୍ତରରେ ଏହାକୁ ରୋକିବା ପାଇଁ ଉଦ୍ୟମ କରାଯାଉଥିବା ଶ୍ରୀ ବେହେରା କହିଛନ୍ତି।