ଅଶ୍ବିନୀ ପାଣିଗ୍ରାହୀ

Advertisment

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ସୁନାବେଡ଼ା ଅଭୟାରଣ୍ୟକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକ ବ୍ୟାଘ୍ର ପ୍ରକଳ୍ପ କରିବା ପାଇଁ ଯୋଜନା କରୁଛନ୍ତି। ମାତ୍ର ଏହି ଅଭୟାରଣ୍ୟରେ ବାଘ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଗତ ସେପ୍ଟେମ୍ବର ୧୩ ତାରିଖରେ କୋମନା ରେଞ୍ଜ ଦେଓଦରା ଗ୍ରାମରେ ଏକ ବାଘକୁ ଶିକାର କରି ପୋଡ଼ି ଖାଇବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ବାଘକୁ ମାରି ମାଂସ ଖାଇବା ଘଟଣାକୁ ତତ୍କାଳୀନ ପିସିସିଏଫ୍‌ ସୁଶାନ୍ତ ନନ୍ଦ କଡ଼ା ନିନ୍ଦା କରିଥିଲେ। ତେବେ ଏହା କେବଳ ଗୋଟିଏ ଘଟଣା ନୁ‌ହେଁ, ଉଭୟ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ଥିବା ଉଦନ୍ତୀ ଓ ସୁନାବେଡ଼ା ଅଭୟାରଣ୍ୟରେ ପ୍ରାଣୀ ଶିକାର ଏକ ନିୟମିତ ଘଟଣା। ଏହି ୨ଟି ଅଭୟାରଣ୍ୟରେ ବାଘମାନଙ୍କର ଚଳପ୍ରଚଳ ହେଉଛି। ଉଭୟ ଅଭୟାରଣ୍ୟରେ କଲରାପତରିଆ ବାଘ ବହୁ ସଂଖ୍ୟାରେ ରହିଛନ୍ତି। ହେଲେ ଏହି ଅଭୟାରଣ୍ୟ ପ୍ରତିବର୍ଷ ପଦା ହେବାରେ ଲାଗିଥିବା ବେଳେ ଶିକାରୀମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। 

ଏଠାରେ ବିଗତ ୧୦ ବର୍ଷରେ ୨ଟି ମହାବଳ ଓ ୫ରୁ ଅଧିକ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ସେହିପରି ପ୍ରତିବର୍ଷ ବିଭିନ୍ନ ସମୟରେ ବାଘ ଛାଲ ସହ ବିଭିନ୍ନ ସାମଗ୍ରୀ ଚୋରାଚାଲାଣ ବେଳେ ଶିକାରୀମାନେ ଧରାପଡ଼ିଛନ୍ତି। ୨୦୧୫ ମସିହାରେ ନୂଅାପଡ଼ା ଓ ବଲାଙ୍ଗୀର ସୀମାନ୍ତ ଡେଡ଼େଙ୍ଗା ଜଙ୍ଗଲରେ ଏକ ମହାବଳ ବାଘର ମୃତ୍ୟୁ ଘଟିଥିଲା। ନୂଆପଡ଼ା ରେଞ୍ଜ ଟିପାଝର ଗ୍ରାମରେ ୧୧ ଜଣ ଲୋକ ଏକ କଲରାପତରିଆ ବାଘକୁ ଶିକାର କରିଥିବା ବେଳେ ନୂଆପଡ଼ା ବନ ବିଭାଗ ଚଢ଼ଉ କରି ବାଘଛାଲ, ନଖ ସହ ବିଭିନ୍ନ ସାମଗ୍ରୀ ଜବତ କରିଥିଲେ। ବିଗତ କିଛି ବର୍ଷ ହେଲା ସୁନାବେଡ଼ା ଅଭୟାରଣ୍ୟ ମାଓପ୍ରବଣ ଅଞ୍ଚଳ ଦର୍ଶାଇ ବନବିଭାଗ ଚୁପ୍‌ ହୋଇ ବସିଯିବା ଫଳରେ ଅନ୍ତଃରାଜ୍ୟ ଶିକାରୀମାନଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। ଫଳରେ ଅଭୟାରଣ୍ୟରେ ବନ୍ୟପ୍ରାଣୀ ସଂଖ୍ୟା ଦିନକୁଦିନ ହ୍ରାସ ପାଇବାରେ ଲାଗିଛି। କେନ୍ଦ୍ର ସରକାର ଛତିଶଗଡ଼ ଉଦନ୍ତୀ ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା ଦେଇଥିବା ବେଳେ ଓଡ଼ିଶାର ସୁନାବେଡ଼ାକୁ ବ୍ୟାଘ୍ର ପ୍ରକଳ୍ପ କରାଯିବାର ପ୍ରସ୍ତାବ ରହିଛି। ତେବେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଅଭୟାରଣ୍ୟ ବାଘ ସଂଖ୍ୟା ଯେ ଶୂନ୍ୟ ହୋଇଯିବ ତାହା ଜଳଜଳ ଦେଖାଯାଉଛି।