ବ୍ରହ୍ମପୁରରେ ଭି.ଭି.ଗିରିଙ୍କ ସ୍ମୃତିଚିହ୍ନ

ତାଙ୍କ ନାମରେ ଏକ ସ୍କୁଲ୍‌ ବି ରହିଛି, ଏକ ରାସ୍ତା ‘ଗିରି ରୋଡ’ ଭାବେ ନାମିତ

ବ୍ରହ୍ମପୁର : ରାଷ୍ଟ୍ରପତି ପଦ ନିମନ୍ତେ ଦ୍ରୌପଦୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରିବାପରେ ବ୍ରହ୍ମପୁରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛନ୍ତି ଭି.ଭି. ଗିରି। ଭି.ଭି. ଗିରି ନିଜର ବଳିଷ୍ଠ ବ୍ୟକ୍ତିତ୍ବ ପାଇଁ, ୧୯୬୯ ମସିହାରେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ନିର୍ବାଚନ ଜିଣି ସେ ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଯାଇଛନ୍ତି। ନିଜ ବିବେକ ଅନୁମୋଦିତ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇ ପରୋକ୍ଷରେ ଭିଭି.ଗିରିଙ୍କୁ ସମର୍ଥନ ଜଣାଇଥିଲେ, ଏବଂ ଏହା ହିଁ ତାଙ୍କୁ ରାଷ୍ଟ୍ରପତି ନିର୍ବାଚନ ଜିଣିବାରେ ସହାୟକ ହୋଇଥିଲା ବୋଲି ଐତିହାସିକଙ୍କ ମତ। ୧୯୬୭ରେ ତତ୍କାଳୀନ ରାଷ୍ଟ୍ରପତି ଜାକିର୍‌ ହୁସେନ୍‌ଙ୍କ ଦେହାନ୍ତ ପରେ ଉପରାଷ୍ଟ୍ରପତି ଥିବା ଭି.ଭି.ଗିରି ରାଷ୍ଟ୍ରପତି ଭାବେ ମଧ୍ୟ ପ୍ରାୟ ୨ବର୍ଷ ଦାୟିତ୍ବ ନିର୍ବାହ କରିଥିଲେ। ୧୯୭୫ରେ ଭାରତ ସରାକାରଙ୍କ ପକ୍ଷରୁ ତାଙ୍କୁ ‘ଭାରତ ରତ୍ନ’ ଉପାଧି ପ୍ରଦାନ କରାଯାଇଥିଲା।

ଭି.ଭି. ଗିରି ବ୍ରହ୍ମପୁରରେ ଜନ୍ମଲାଭ କରିଥିଲେ। ତାଙ୍କର ପୂରା ନାମ ଥିଲା ବରାହଗିରି ଭେଙ୍କଟ ଗିରି। ଆଜିବି ଏଇ ସହର ତାଙ୍କର ଅନେକ ସ୍ମୃତିବହନ କରିଛି। ସେ ରାଷ୍ଟ୍ରପତି ଥିବାବେଳେ ୧୯୭୪ ମସିହା ମେ ୨୪ରେ ବ୍ରହ୍ମପୁର ମୁନିସିପାଲ୍‌ଟି ପକ୍ଷରୁ ସ୍ଥାପନ ହୋଇଥିବା ଗିରି ମାର୍କେଟକୁ ଉଦ୍‌ଘାଟନ କରିଥିଲେ। ପୂର୍ବରୁ ଥିବା ତାଙ୍କ ଆବାସ ଏବେ ଭିଭି.ଗିରି ବାଳିକା ଉଚ୍ଚବିଦ୍ୟାଳୟ ନାମରେ ପରିଚିତ। ସହର ମଧ୍ୟଦେଇ ଯାଇଥିବା ଜାତୀୟ ରାଜପଥର ଟାଟାବେଞ୍ଜ ଛକଠାରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତାକୁ ମଧ୍ୟ ତାଙ୍କ ନାମରେ ନାମିତ (ଗିରି ରୋଡ଼) କରାଯାଇଛି।

ସୂଚନା ମୁତାବକ, ୧୮୯୪ ମସିହା ଅଗଷ୍ଟ୧୦ରେ ବ୍ରହ୍ମପୁରରେ ଏକ ଜମିଦାର ପରିବାରରେ ଭି.ଭି.ଗିରି ଜନ୍ମଲାଭ କରିଥିଲେ। ତାଙ୍କ ବାପା ଜୋଗେୟା ପାନ୍ତୁଲୁ ଜଣେ ଆଇନଜୀବୀ ମଧ୍ୟ ଥିଲେ। ଭି.ଭି.ଗିରି ବିଜିପୁର ଛକ ନିକଟ ବି.ସି. ଏମ୍‌ଇସ୍କୁଲରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ। ଖଲ୍ଲିକୋଟ କଲେଜିଏଟ୍ ସ୍କୁଲ୍‌ରୁ ମାଟ୍ରିକ୍ ଏବଂ ଖଲ୍ଲିକୋଟ କଲେଜରୁ ଏଫ୍‌ଏ (ବର୍ତ୍ତମାନର +୨) ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ମାଡ୍ରାସ୍‌ (ବର୍ତ୍ତମାନର ଚେନ୍ନାଇ)ରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ୧୯୨୧ରେ ଗାନ୍ଧୀଙ୍କ ପ୍ରଥମ ବ୍ରହ୍ମପୁର ଗସ୍ତରେ ମଧ୍ୟ ‌ଭି.ଭି.ଗିରି ସାକ୍ଷାତ କରିବା ସହ ସ୍ବାଧୀନତା ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ୧୯୩୦ରେ ଗାନ୍ଧୀଙ୍କ ଡାକରାରେ ପୁଣ୍ଡି (ବର୍ତ୍ତମାନର ଶ୍ରୀକାକୁଲ୍ଲମ୍ ଜିଲ୍ଲାରେ ଅବସ୍ଥିତ) ଠାରେ ଲବଣ ସତ୍ୟାଗ୍ରହରେ ସାମିଲ୍ ହୋଇଥିଲେ। ୧୯୩୬ରେ ଜବାହର୍‌ଲାଲ୍‌ ନେହରୁ ଏବଂ ୧୯୩୭ରେ ସୁଭାଷ ଚନ୍ଦ୍ର ବୋଷଙ୍କ ବ୍ରହ୍ମପୁର ଗସ୍ତ ଏବଂ ଖଲ୍ଲିକୋଟ କଲେଜ ପଡ଼ିଆରେ ଅନୁଷ୍ଠିତ ସଭାକାର୍ଯ୍ୟର ସମସ୍ତ ଆୟୋଜନ ଭି.ଭି.ଗିରିଙ୍କ ନେତୃତ୍ବରେ ହୋଇଥିଲା।

ସମ୍ବନ୍ଧିତ ଖବର