କେନ୍ଦ୍ରୀୟ ସଂସ୍ଥା ଶ୍ରମିକଙ୍କ ମଜୁରି ବଢ଼ିଲା

ଭୁବନେଶ୍ବର: ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। କେନ୍ଦ୍ରୀୟ ସଂସ୍ଥା ଅଧୀନରେ ଥିବା ଖଣି, ନିର୍ମାଣ, କୃଷି, ମାଲ ପରିବହନ, ସଫେଇ, ସୁରକ୍ଷା ଓ ପଥର କ୍ରସିଂ ସଂସ୍ଥାରେ ନିୟୋଜିତ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଏବଂ ଅତିକୁଶଳୀ ଶ୍ରମିକମାନଙ୍କ ଭେରିୟେବଲ୍‌ ମହଙ୍ଗାଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି। ଏ ନେଇ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ ବର୍ଦ୍ଧିତ ହାର ୨୦୨୦ ଏପ୍ରିଲ୍‌ ପହିଲାରୁ ଲାଗୁ ହେବ।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଭୁବନେଶ୍ବର ସ୍ଥିତ ଉପମୂଖ୍ୟ ଶ୍ରମ କମିସନର (କେନ୍ଦ୍ର) ପ୍ରେସ୍‌ ବିବୃତି ଜାରି କରି ଜଣାଇଛନ୍ତି, ବିଭିନ୍ନ ଖଣିରେ କାର୍ଯ୍ୟରତ ଶ୍ରମିକ ଯେପରି ଜିପ୍‌ସମ୍‌, ବାରାଇଟ୍‌ସ୍‌, ବକ୍‌ସାଇଟ୍‌, ମାଙ୍ଗାନିଜ୍‌, ଚାଇନା ମାଟି, କିନାଇଟ୍‌, କପର୍‌, କ୍ଲେ, ହ୍ବାଇଟ୍‌ କ୍ଲେ, ପଥର, ଷ୍ଟିଟାଇଟ୍‌, ଓକ୍ରି, ଆଜବେଷ୍ଟସ୍‌, ଫାୟାର୍‌ କ୍ଲେ, କ୍ରୋମାଇଟ୍‌, କ୍ବାର୍ଟ୍‌ଜାଇଟ୍‌, କ୍ବାର୍ଟ୍‌ଜ୍‌, ସିଲିକା, ଗ୍ରାଫାଇଟ୍‌, ଫେଲ୍‌ସପାର୍‌, ଲାଟେରାଇଟ୍‌, ଡଲୋମାଇଟ୍‌, ରେଜ୍‌ ଅକ୍‌ସାଇଡ୍‌, ଉଲଫ୍ରାମ୍‌, ଲୁହା ପଥର, ଗ୍ରାନାଇଟ୍‌, ମାଇକା, ହେମାଟାଇଟ୍‌, ମାର୍ବଲ୍‌ ଓ କାଲସାଇଟ୍‌, ୟୁରାନିୟମ୍‌, ମାଇକା, ଲିଗନାଇଟ୍‌, ଗ୍ରାଭେଲ୍‌, ସ୍ଲେଟ୍‌ ଓ ମ୍ୟାଗ୍‌ନେଟିକ୍‌ ଖଣିରେ ନିୟୋଜିତ ଶ୍ରମିକଙ୍କ ମଜୁରି ସମୀକ୍ଷା କରାଯାଇ ଭେରିୟେବଲ୍‌ ମହଙ୍ଗାଭତ୍ତା ବୃଦ୍ଧି କରାଯିବା ସହ ସର୍ବନିମ୍ନ ମଜୁରି ବୃଦ୍ଧି କରାଯାଇଛି।

କେତେ ପାଇବେ କୃଷି ଶ୍ରମିକ
କୃଷି ସଂସ୍ଥାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଭୁବନେଶ୍ବର, କଟକ ଓ ରାଉରକେଲା ଅଞ୍ଚଳରେ କାମ କରୁଥିବା ଶ୍ରମିକମାନେ ‘ବି’ ବର୍ଗର ହୋଇଥିବାବେଳେ ବାକି ସମସ୍ତ ଅଞ୍ଚଳର ଶ୍ରମିକମାନଙ୍କୁ ‘ସି’ ବର୍ଗରେ ସାମିଲ କରାଯାଇଛି। ‘ବି’ ବର୍ଗର ଅଣୁକୁଶଳୀ ଶ୍ରମିକମାନଙ୍କୁ ୩୬୫ଟଙ୍କା, ଅର୍ଦ୍ଧକୁଶଳୀମାନଙ୍କୁ ୪୦୨, କୁଶଳୀମାନଙ୍କୁ ୪୩୮ ଓ ଅତିକୁଶଳୀମାାନଙ୍କୁ ୪୮୯ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ସେହିପରି ‘ସି’ ବର୍ଗ ଅଞ୍ଚଳରେ ଅଣକୁଶଳୀମାନଙ୍କୁ ୩୬୨, ଅର୍ଦ୍ଧକୁଶଳୀମାନଙ୍କୁ ୩୬୯, କୁଶଳୀମାନଙ୍କୁ ୪୦୧ ଓ ଅତିକୁଶଳୀମାନଙ୍କୁ ୪୩୮ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଭୁବନେଶ୍ବର, କଟକ ଓ ରାଉରକେଲାରେ ଯେଉଁ ଶ୍ରମିକମାନେ ଟ୍ରେନ୍‌ ମାଲ ଲୋଡ଼ିଂ ଓ ଅନଲୋଡ଼ିଂ ଓ ଗୋଦାମ ସଂସ୍ଥାରେ ନିୟୋଜିତ ଅଛନ୍ତି ସେମାନଙ୍କୁ ‘ବି’ ଶ୍ରେଣୀଭୁକ୍ତ କରାଯାଇ ମଜୁରୀ ବାବଦରେ ୫୨୫ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଅନ୍ୟ ସବୁ ‘ସି’ ବର୍ଗ ଅଞ୍ଚଳରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ୪୨୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ସେହିପରି ସଫେଇ କାର୍ଯ୍ୟରେ ନିୟୋଜିତ ‘ବି’ ଶ୍ରେଣୀଭୁକ୍ତ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ୫୨୫ ଟଙ୍କା ଓ ‘ସି’ ବର୍ଗ ଅଞ୍ଚଳରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ୪୨୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ସୁରକ୍ଷା ଦାୟିତ୍ବରେ ନିୟୋଜିତ ଶ୍ରମିକମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ‘ବି’ ଅଞ୍ଚଳରେ କାର୍ଯ୍ୟରତ ସଶସ୍ତ୍ର ସୁରକ୍ଷା କର୍ମୀମାନଙ୍କ ସର୍ବନିମ୍ନ ମଜୁରୀ ୭୬୪ ଟଙ୍କା ବୃଦ୍ଧି କରାଯାଇଥିବାବେଳେ’ସି’ ବର୍ଗ ଅଞ୍ଚଳରେ କାର୍ଯ୍ୟରତ ସୁରକ୍ଷା କର୍ମୀମାନଙ୍କୁ ୬୯୫ ଟଙ୍କା ଲେଖାଏଁ ମଜୁରୀ ପ୍ରଦାନ କରାଯିବ। ବିନା ଅସ୍ତ୍ରରେ ଭୁବନେଶ୍ବର, କଟକ ଓ ରାଉରକେଲାରେ ନିୟୋଜିତ ହୋଇଥିବା ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ୬୯୫ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ବାକି ଅଞ୍ଚଳରେ ବିନା ଅସ୍ତ୍ରରେ କାର୍ଯ୍ୟରତ ସୁରକ୍ଷା କର୍ମୀମାନଙ୍କୁ ୫୯୩ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ଖଣି କ୍ଷେତ୍ର: କାହାର ମଜୁରି କେତେ?
ବିଜ୍ଞପ୍ତି ଅନୁଯାୟୀ, ଖଣି ବାହାରେ କାମ କରୁଥିବା ଅଣକୁଶଳୀ ଶ୍ରମିକଙ୍କୁ ମୂଳ ମଜୁରୀ ୩୫୦ ଟଙ୍କା ସହ ୭୦ ଟଙ୍କା ମହଙ୍ଗାଭତ୍ତା ମିଶି ୪୨୦ ଟଙ୍କା ମିଳିବ। ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କୁ ୫୨୫ ଟଙ୍କା, କୁଶଳୀ ବର୍ଗର ଶ୍ରମିକମାନଙ୍କୁ ୬୨୯ ଓ ଅତି କୁଶଳୀ ବର୍ଗର ଶ୍ରମିକମାନଙ୍କୁ ୭୩୩ ଟଙ୍କା ପ୍ରଦାନ କରାଯିବ। ସେହିପରି ଖଣି ଭିତରେ ନିୟୋଜିତ ଶ୍ରମିକମାନଙ୍କ କ୍ଷେତ୍ରରେ ଭେରିୟେବଲ୍‌ ମହଙ୍ଗାଭତ୍ତା ଅଧିକ ବୃଦ୍ଧି କରାଯାଇଛି। ଅଣକୁଶଳୀମାନଙ୍କୁ ୫୨୫ ଟଙ୍କା, ଅର୍ଦ୍ଧକୁଶଳୀମାନଙ୍କୁ ୬୨୯, କୁଶଳୀମାନଙ୍କ ପାଇଁ ୭୩୩ ଓ ଅତିକୁଶଳୀ ବର୍ଗର ଶ୍ରମିକମାନଙ୍କ ପାଇଁ ୮୧୯ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି।

ପଥର ଓ ମାଟି ଉତ୍ତୋଳନ
ପ୍ରାଥମିକ ଖନନ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ନରମ ମାଟି ଉଠାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ୪୨୪ ଟଙ୍କା କରାଯାଇଥିବାବେଳେ ମାଟି ସହିତ ପଥର ଖଣ୍ଡ ଖନନ ପାଇଁ ଶ୍ରମିକମାନଙ୍କୁ ୬୩୭ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ସେହିପରି ପଥର ଖନନ କ୍ଷେତ୍ରରେ ଶ୍ରମିକମାନଙ୍କୁ ୮୪୪ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ବର୍ଜ୍ୟ ପଥର ବଛା କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ୩୪୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ପଥର କ୍ରସିଂ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ବିଭିନ୍ନ ମାପ ଦଣ୍ଡ ଅନୁଯାୟୀ ୨,୬୦୦, ୨,୨୨୪, ୧,୩୦୫ ଓ ୧,୦୭୧ ଟଙ୍କା ସର୍ବନିମ୍ନ ମଜୁରୀ ପ୍ରଦାନ କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ନିର୍ମାଣ କାମରେ ମଜୁରି
ରାସ୍ତା ନିର୍ମାଣ, ବିମାନ ରନ୍‌ୱେ, ଇଲେକ୍ଟ୍ରିକ୍‌, ଟେଲିଫୋନ୍‌ ସେବା ଆଦି କେବୁଲ୍‌ ବିଛା କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଭୁବନେଶ୍ବର, କଟକ ଓ ରାଉରକେଲା ଅଞ୍ଚଳରେ ନିୟୋଜିତ ଶ୍ରମିକମାନଙ୍କୁ ‘ବି’ ବର୍ଗରେ ଶ୍ରେଣୀଭୁକ୍ତ କରାଯାଇଛି। ଏସବୁ ଅଞ୍ଚଳରେ କାର୍ଯ୍ୟରତ ଅଣକୁଶଳୀ ଶ୍ରମିକମାନଙ୍କୁ ୫୨୫ ଟଙ୍କା, ଅର୍ଦ୍ଧକୁଶଳୀମାନଙ୍କୁ ୫୯୩, କୁଶଳୀମାନଙ୍କୁ ୬୯୫ ଓ ଅତିକୁଶଳୀମାନଙ୍କୁ ୭୬୪ ଟଙ୍କା ପ୍ରଦାନ କରାଯିବ। ସେହିପରି ବାକି ସମସ୍ତ ଅଞ୍ଚଳରେ ନିୟୋଜିତ ଶ୍ରମିକମାନଙ୍କୁ ‘ସି’ ବର୍ଗରେ ସାମିଲ କରାଯାଇଛି। ‘ସି’ ବର୍ଗ ଅଞ୍ଚଳରେ କାର୍ଯ୍ୟରତ ଶ୍ରମିକମାନଙ୍କ କ୍ଷେତ୍ରରେ ଅଣକୁଶଳୀମାନଙ୍କୁ ୪୨୦ ଟଙ୍କା, ଅର୍ଦ୍ଧକୁଶଳୀମାନଙ୍କୁ ୪୯୨, କୁଶଳୀମାନଙ୍କୁ ୫୯୩ ଓ ଅତିକୁଶଳୀମାନଙ୍କୁ ୬୯୫ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର