ଭିମ୍‌ସାରରେ ଚିକିତ୍ସା ପାଇଁ ୫ ମାସର ଅପେକ୍ଷା, ପଦ୍ମପୁରରୁ ବୁର୍ଲା ‌ଦୌଡ଼ି ଦୌଡ଼ି ରୋଗୀ ନୟାନ୍ତ

ସମ୍ବଲପୁର : ସମଗ୍ର ପଶ୍ଚିମ ଓଡ଼ିଶାର ଲୋକେ ଏବେ ବି ସ୍ବାସ୍ଥ୍ୟସେବା ପାଇଁ ବୁର୍ଲା ଭିମ୍‌ସାର ଉପରେ ନିର୍ଭର କରୁଥିବା ବେଳେ ଏଠାରେ ରୋଗୀମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି। ମାସ ମାସ ପରେ ବି ଅସ୍ତ୍ରୋପଚାର ହୋଇପାରୁ ନାହିଁ। ପରୋକ୍ଷରେ ନର୍ସିଂହୋମକୁ ଯିବା ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି।

ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବାଜେନମୁଣ୍ଡା ଗାଁର ଗରିବ ଚାଷୀ ବେଣୁଧର ସାହୁ ପେଟରେ ଯନ୍ତ୍ରଣା ହେବାରୁ ବୁର୍ଲା ଭିମ୍‌ସାରକୁ ଚିକିତ୍ସା ପାଇଁ ଆସିଥିଲେ। ଗତ ୨୭ ଅକ୍ଟୋବର ୨୦୨୦ରେ ୟୁରୋ‌ଲଜି ବିଭାଗର ବର୍ହି ବିଭାଗରେ ଦେଖାଇଥିଲେ। ଡ୍ୟୁଟିରେ ଥିବା ଡାକ୍ତରଙ୍କ ପରାମର୍ଶକ୍ରମେ ୧୬ ନଭେମ୍ବରରେ ପୁଣି ବୁର୍ଲା ଆସି ସିଟି ସ୍କାନ କରାଇଥିଲେ। ସଂଗେ ସଂଗେ ରିପୋର୍ଟ ଦିଆଯାଇନଥିଲା। ୨୨ ନ‌ଭେମ୍ବରରେ ରିପୋର୍ଟ ଦେଖାଇବା ପରେ ଡାକ୍ତର ‘ କିଡ୍‌ନି ଷ୍ଟୋନ୍‌’ ଅସ୍ତ୍ରୋପଚାର କରାଯିବାର ଆବଶ୍ୟକତା ରହିଥିବା କହିଥିଲେ। ଏଥିପାଇଁ ୯ ମାର୍ଚ୍ଚ ୨୦୨୧ରେ ଆସିବାକୁ ପରାମର୍ଶ ଦିଆଯାଇଥିଲା। ଗରିବ ବେଣୁଧର ଯନ୍ତ୍ରଣା ସତ୍ତ୍ବେ ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ପାଖାପାଖି ୪ ମାସ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ‌ଗତ ୯ ତାରିଖ ଦିନ ମଧ୍ୟ ବୁର୍ଲା ଆସି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ପୁଣି ୧୫ ଦିନ ପରେ ଆସିବାକୁ କୁହାଯାଇଥିବା ବେଣୁଧରଙ୍କ ପୁଅ ଅଭିଯୋଗ କରିଛନ୍ତି। ଏଥି ପାଇଁ ଯେଉଁ କାରଣ ବି ଦର୍ଶାଯାଇଛି, ତାହା ନିଶ୍ଚିତ ଭାବେ ସମସ୍ତଙ୍କୁ ବିସ୍ମିତ କରିବ।

‘ଏବ‌େ କିଛିଦିନ ସରକାରୀ ଛୁଟି ରହିବ। ଛୁଟି ପରେ ଆସିଲେ ଅସ୍ତ୍ରୋପଚାର କରିବା’ ବୋଲି ସଂପୃକ୍ତ ଡାକ୍ତର କହିଥିବା ସେ ଅଭିଯୋଗ କରିଛନ୍ତି। ଅସ୍ତ୍ରୋପଚାର ପାଇଁ ତାଙ୍କୁ ଅକ୍ଟୋବର ୨୦୨୦ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲାଣି। ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଗୋଟିଏ ପଟେ ଯନ୍ତ୍ରଣାଦାୟକ ଜୀବନ ଜିଇଁ ଥିବା ବେଳେ ଅନ୍ୟ ପଟେ ବାରଂବାର ବୁର୍ଲା ଦୌଡ଼ି ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଅର୍ଥଭାବ ଯୋଗୁଁ ସେ ଘରୋଇ ଡାକ୍ତରଖାନାକୁ ନଯାଇ ସରକାରୀ ଡାକ୍ତରଖାନାକୁ ଆସୁଥିବା ବେଳେ ଏହା ତାଙ୍କ ପାଇଁ ‘ଅର୍ଥହାନି ପ୍ରାଣ ପୀଡ଼ା’ ସାବ୍ୟସ୍ତ ହୋଇଛି।

ସମ୍ବନ୍ଧିତ ଖବର