ପୁରୀ: ଜନ୍ମବେଦି କଥା ମନେ ପଡ଼ିଲାଣି। ଭକ୍ତଙ୍କୁ ଦେଖିବାକୁ ଉଚ୍ଛୁର ହେଲାଣି ଚକାଆଖି। ସିଂହଦ୍ବାର ଚକଡ଼ାରେ ଲାଗି ସାରିଲାଣି ରଥ, ସଜା ସରିଲାଣି ପଥ। ରଥ ଉପରେ କାଳିଆ ଧନକୁ ଦେଖିବାକୁ ଚାହିଁ ରହିଲେଣି ଭକ୍ତ। କିଏ ବର୍ଷ ଯାକର ଦୁଃଖକୁ ଗଣ୍ଠିଲି କରି ଆଣିଛି ତ, କାହାକୁ ଚକା ଆଖିର ଆକର୍ଷଣ କାହିଁ କେତେ ଦୂରରୁ ଟାଣି ଆଣିଛି। ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ବଡ଼ଦାଣ୍ଡ ମାର୍ଜନା ସରିଛି। ହରିବୋଲ, ଜୟ ଜଗନ୍ନାଥ ଧ୍ବନିରେ ଶ୍ରୀକ୍ଷେତ୍ର କମ୍ପୁଛି। ବଡ଼ଦାଣ୍ଡରେ ଭକ୍ତମାନେ ଡେରା ପକାଇଲେଣି। ଭକ୍ତମାନେ ବଡ଼ଦାଣ୍ଡ ଓ ଶରଧାବାଲିକୁ ଆଲିଙ୍ଗନ କରି ରାତି ପାହିବାକୁ ଅପେକ୍ଷା କରିଛନ୍ତି। ଆଧ୍ୟାତ୍ମିକ ଆଡ଼ମ୍ବର ଏବଂ ଆବେଗର କୋଳାହଳରେ ଶ୍ରୀକ୍ଷେତ୍ର ପାଲଟିଛି ସ୍ବର୍ଗପୁର। ଏଣେ ଗୁଣ୍ଡିଚା ରାଣୀ ଅଥୟ। ମାଉସୀମା’ ବି ଅଥୟ। ଭକ୍ତ ଅଥୟ, ରଥ ବି ଅଥୟ।
ସିଂହଦ୍ବାର ଚକଡ଼ାରେ ତିନି ରଥ
ଆଇନଶୃଙ୍ଖଳା ଦାୟିତ୍ବରେ ୨୦୫ ପ୍ଲାଟୁନ୍ ଫୋର୍ସ, ୧୩୦୦ ଅଧିକାରୀ
ମଧ୍ୟାହ୍ନ ସାଢ଼େ ୧୨ରୁ ଗୋଟାଏ ଭିତରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ରଥ ବିଜେ
ଅପରାହ୍ଣ ୪ଟାରେ ରଥଟଣା
ଶୁକ୍ରବାର ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ଆଜି ରଥ ଶ୍ରୀମନ୍ଦିର ସମ୍ମୁଖ ଭାଗକୁ ନିଆଯାଇଛି। ଅପରାହ୍ଣ ୪ଟା ୪୦ରେ ଆଜ୍ଞାମାଳ ବିଜେ ପରେ ତିନିରଥ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ ସିଂହଦ୍ବାର ଚକଡ଼ାକୁ ବିଜେ କରିଛନ୍ତି। ମହାପ୍ରଭୁଙ୍କୁ ପହଣ୍ଡି କରି ଆଣିବା ପାଇଁ ସେନାପଟା ଲାଗି ହୋଇଛି। ରଥଯାତ୍ରା ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇସାରିଛି। ସେହି ଅନୁଯାୟୀ ଆଜି ପୂର୍ବାହ୍ନରୁ ନୀତିକାନ୍ତି ବଢ଼ିଛି। ଆସନ୍ତାକାଲି ସକାଳ ସାଢ଼େ ୯ଟାରୁ ଚତୁର୍ଦ୍ଧା ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହେବ। ଗୋଟି ପହଣ୍ଡିରେ ଠାକୁର ରଥକୁ ବିଜେ କରିବେ। ତିନି ରଥରେ ଶ୍ରୀବିଗ୍ରହଙ୍କ ରୁନ୍ଧା ଏବଂ ଗଜପତି ଛେରାପହଁରା କରିବା ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ବହୁ ସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨୦୫ ପ୍ଲାଟୁନ୍ ଫୋର୍ସ, ୧୩୦୦ ପୁଲିସ ଅଧିକାରୀଙ୍କ ଉପରେ ଆଇନଶୃଙ୍ଖଳା ଦାୟିତ୍ବ ନ୍ୟସ୍ତ କରାଯାଇଛି। କେବଳ ରଥ ଟାଣିବା ପାଇଁ ୨୩୬ ପୁଲିସ ଅଧିକାରୀଙ୍କ ସହ ୭୨ ପ୍ଲାଟୁନ୍ ପୁଲିସ୍ ନିୟୋଜିତ ହେବେ। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ମୁତାବକ, ଶୁକ୍ରବାର ସକାଳ ୬ଟାରେ ମଙ୍ଗଳଆଳତି ପରେ ୬ଟା ୧୦ରେ ମଇଲମ, ସାଢ଼େ ୬ଟାରେ ତଡ଼ପଲାଗି, ୭ଟାରେ ଅବକାଶ, ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ, ୮ଟାରୁ ୯ଟା ସକାଳ ଧୂପରେ ଖେଚୁଡ଼ି ଭୋଗ ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢ଼େ ୯ଟାରୁ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ମଧ୍ୟାହ୍ନ ସାଢ଼େ ୧୨ଟାରୁ ୧ଟା ଭିତରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ କରିବେ। ସାଢ଼େ ଗୋଟାଏରୁ ୨ଟା ଭିତରେ ଚିତା ଲାଗି, ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ବେଶ ଶେଷ ପରେ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ଶେଷ ହେବ। ଅପରାହ୍ଣ ୪ଟା ମଧ୍ୟରେ ଚାରମାଳ ଫିଟା, ଘୋଡ଼ା, ସାରଥୀ ଲାଗି ଶେଷ ହୋଇ ରଥଟଣା ଆରମ୍ଭ ହେବ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବା ପରେ ରଥ ଉପରେ ନୀତିକାନ୍ତି ଅନୁଷ୍ଠିତ ହେବ। ଗୁଣ୍ଡିଚା ଯାତ୍ରା ଦିନ ଯଦି ତିନି ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଯାଏ, ତେବେ ଶ୍ରୀବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ପହଣ୍ଡି ବିଜେ ନୀତି ଶନିବାର ଅନୁଷ୍ଠିତ ହେବ।