ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ୨୦୧୬ ମେ’। ରାଜ୍ୟ ସରକାର ଘୋଷଣା କଲେ, ଅଗଷ୍ଟ ୧୫ରୁ ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ଚାଲିବ। ସବୁ ବିଭାଗର କାର୍ଯ୍ୟ ଓଡ଼ିଆରେ ହେବ। ସାତ ବର୍ଷ ଆଠ ମାସ ପରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। କେବଳ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ବାଦ୍ ଦେଲେ ଅନ୍ୟ କୌଣସି ବିଭାଗର କାର୍ଯ୍ୟ ଓଡ଼ିଆରେ ହେଉ ନାହିଁ। ୨/୩ ଟି ବିଭାଗରେ କାଁ ଭାଁ ଫାଇଲ୍‌ କାମ ଓଡ଼ିଆରେ ହେଉଛି। ଅଧିକାରୀମାନଙ୍କର ହାତ ଯାଉନି ଓଡ଼ିଆରେ ଦି ପଦ ଲେଖିବା ପାଇଁ। ଏପରିକି ସାଧାରଣ ଲୋକଙ୍କୁ ସେବା ଯୋଗାଉଥିବା ବିଭାଗଗୁଡ଼ିକ ମଧ୍ୟ ଓଡ଼ିଆରେ ନିର୍ଦ୍ଦେଶନାମା ଜାରି କରିବାକୁ କୁଣ୍ଠାବୋଧ କରୁଛନ୍ତି। ୨୦୧୬ ଅଗଷ୍ଟ। ସରକାର ଘୋଷଣା କଲେ ଯେ ସରକାରୀ କାର୍ଯ୍ୟରେ ଯେଉଁ କର୍ମଚାରୀ ଓଡ଼ିଆ ଭାଷାର ଭଲ ବ୍ୟବହାର କରିବେ ସେ ପୁରସ୍କୃତ ହେବେ। ଯିଏ ଓଡ଼ିଆ ଭାଷା ବ୍ୟବହାର କରିବେ ନାହିଁ ସେ ଦଣ୍ଡିତ ହେବେ। ତତ୍‌କାଳୀନ ମୁଖ୍ୟ ଶାସନ ସଚିବ ନିଜେ ଏକ ବୈଠକ କରି ଭାଷା ଆଇନ୍‌ର କଡ଼ାକଡ଼ି କାର୍ଯ୍ୟକାରିତାର ସମୀକ୍ଷା କଲେ। ଓଡ଼ିଆ ଭାଷାରେ ଫାଇଲ୍ କାର୍ଯ୍ୟ କରିବା ପାଇଁ ତାଗିଦ୍ କଲେ। ସାତ ବର୍ଷ ପାଞ୍ଚ ମାସ ପରେ ଚିତ୍ର ହେଲା, କେହି ପୁରସ୍କୃତ ହୋଇନାହାନ୍ତି କି କେହି ଦଣ୍ଡିତ ହୋଇ ନାହାନ୍ତି। ୨୦୧୭ ଡିସେମ୍ବର ୨୬। ପୁରୀରେ ବସିଲା ରାଜ୍ୟ କ୍ୟାବିନେଟ୍ ବୈଠକ। ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ସମର୍ପିତ ଥିଲା ଏହି ବୈଠକ। ଓଡ଼ିଆ ଭାଷା କମିସନ୍ ଗଠନ ପାଇଁ ନିଷ୍ପତ୍ତି ହେଲା।

Advertisment

ଓଡ଼ିଆ ଭାଷାର ବ୍ୟବହାରରେ ଖିଲାପ କରୁଥିବା ବ୍ୟକ୍ତିଙ୍କ ପାଇଁ ଦଣ୍ଡବିଧାନ କଡ଼ାକଡ଼ି ହେବ ବୋଲି କୁହାଗଲା। ୬ ବର୍ଷ ପରେ କମିସନ୍ ଗଠନ ତ ଦୂରର କଥା, ଏ ସମ୍ପର୍କରେ ସମସ୍ତେ ଭୁଲିଗଲେଣି। ସରକାର ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ବ ଦେଉଛନ୍ତି। ୮ ବର୍ଷ ତଳେ ଘୋଷଣା ହୋଇଥିଲା ଯେ ସରକାରୀ ପୋର୍ଟାଲ୍‌ର ସବୁ ତଥ୍ୟ ଉଭୟ ଓଡ଼ିଆ ଓ ଇଂରାଜୀରେ ରହିବ। ମନ୍ତ୍ରୀସ୍ତରୀୟ ବୈଠକରେ ଏମିତି ଘୋଷଣା ହୋଇଥିଲା। କିନ୍ତୁ ଏବେ ଯାଏ ସବୁ ବିଭାଗର ତଥ୍ୟ ଓଡ଼ିଆରେ ରହିପାରିଲାନି। ପୁଣି କିଛି ବିଭାଗର ଓଡ଼ିଆ ଅନୁବାଦରେ ଏମିତି ଗୁରୁଚଣ୍ଡାଳ ତ୍ରୁଟି ରହିଛି ଯେ ତାହା ଭାଷା ପ୍ରତି ସାନି ବିପଦ ସୃଷ୍ଟି କରୁଛି। ଓଡ଼ିଆ ଭାଷାକୁ ନେଇ ବିଭିନ୍ନ ସମୟରେ ହୋଇଥିବା ବହୁ ଯୋଜନା ଓ‌ ଘୋଷଣା ଏମିତି କାର୍ଯ୍ୟକାରୀ ହୋଇପାରିନି। କେବଳ ଏଇ କିଛି ବର୍ଷର କଥା ନୁହେଁ। ବର୍ଷ ବର୍ଷ ଧରି ଓଡ଼ିଆ ଭାଷା ପ୍ରଶାସନର ଭାଷା ହୋଇପାରୁ ନଥିବାରୁ ଭାଷାର ବିକାଶ ଯେତିକି ହେବା କଥା ହୋଇପାରୁନି। ଅନ୍ୟ ରାଜ୍ୟରେ ସରକାରୀ କଳରେ ମାତୃଭାଷାର ବ୍ୟାପକ ବ୍ୟବହାର ଯୋଗୁ ତାହା ବିଭିନ୍ନ କ୍ଷେତ୍ରରେ ବିକାଶର ରାସ୍ତାକୁ ଅଧିକ ପ୍ରଶସ୍ତ କରିପାରୁଛି। କିନ୍ତୁ ଓଡ଼ିଶାରେ ଭାଷାକୁ ନେଇ ପ୍ରତିଟି ସ୍ତରରେ ଏତେ ଉଦାସୀନତା କାହିଁକି ବୋଲି ସଚେତନ ଓଡ଼ିଆମାନେ ପ୍ରଶ୍ନ କରୁଛନ୍ତି।

ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନତ୍ୟ ମିଳିବାକୁ ୧୦ ବର୍ଷ ପୂରିବ। ଏକ ଦଶନ୍ଧି କିଛି କମ୍ ସମୟ ନୁହେଁ। କିନ୍ତୁ ତାହା ଭିତରେ ଓଡ଼ିଆ ଭାଷାର କ’ଣ ବିକାଶ ହେଲା, ତାହା ସାଧାରଣ ଜନତା ଜାଣିପାରୁନାହାନ୍ତି। ବରଂ ଭାଷା ଅବେହଳାର ଶୀକାର ହେଉଥିବା ସମସ୍ତେ ଦେଖୁଛନ୍ତି। ଏପରିକି ଗବେଷଣା ପାଇଁ ମଧ୍ୟ ପର୍ଯ୍ୟାପ୍ତ ଭିତ୍ତିଭୂମି ହୋଇନାହିଁ। କେନ୍ଦ୍ର ସରକାରଙ୍କର ଏକ ଭାଷା ଉତ୍କର୍ଷ କେନ୍ଦ୍ର ଖୋଲିଛି ସତ। କିନ୍ତୁ ତାହା ବି ଏ ଯାଏ ସ୍ବୟଂସମ୍ପୂର୍ଣ୍ଣ ହୋଇପାରିନି। ଯୁବ ପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷାର ଆଦର କମୁଥିବାର ଏକ ବଡ଼ କାରଣ ହେଲା ଏହାର ରୋଜଗାରର ଭାଷା ହୋଇପାରୁନି। ଯଦି ରାଜ୍ୟ ସରକାର ଓଡ଼ିଶାର ସବୁ ନିଯୁକ୍ତି ପରୀକ୍ଷା ଓଡ଼ିଆରେ କରନ୍ତେ, ତେବେ ଭାଷାର ଭବିଷ୍ୟତ ନିଶ୍ଚିତ ସୁଦୃଢ଼ ହୁଅନ୍ତା। ସିଧାଳଖ କହିଲେ, ଯଦି ଶାସନର ଭାଷା ଓ ରୋଜଗାରର ଭାଷା ଓଡ଼ିଆ ନହେବ, ତେବେ ଭାଷାର ଭବିଷ୍ୟତ କିପରି ସୁରକ୍ଷିତ ରହିପାରିବ?

ଓଡ଼ିଆ ଭାଷାକୁ ନେଇ ଏମିତି ମାଳ ମାଳ ସମସ୍ୟା ଥିଲା ବେଳେ ଆସନ୍ତା ଫେବ୍ରୁଆରି ମାସରେ ରାଜ୍ୟ ସରକାର ଭୁବନେଶ୍ବରରେ ଆୟୋଜନ କରୁଛନ୍ତି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ୨୦୧୭ ଡିସେମ୍ବରରେ ଘୋଷଣା କରିବାର ବହୁ ବିଳମ୍ବରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି ସତ। କିନ୍ତୁ ଭାଷାର ଭବିଷ୍ୟତ ନେଇ କିଛିଟା ଆଶା ସଞ୍ଚାର ହୋଇଛି। ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀ ଏହାର ତାରିଖ ଓ ରୂପରେଖ ଘୋଷଣା କରିବେ। ସରକାର ଏହି ସମ୍ମିଳନୀକୁ ବଡ଼ ଧରଣର କରିବା ପାଇଁ ଯୋଜନା କରିଛନ୍ତି। ଏହାକୁ ଏକ ଉତ୍ସବର ପରିବେଶ ଦିଆଯିବ। ଓଡ଼ିଆ ଭାଷାର ଭବିଷ୍ୟତକୁ ସୁଦୃଢ଼ କରିବା ସହ ଓଡ଼ିଶା ଓ ଓଡ଼ିଆ ସଂସ୍କୃତିର ବିକାଶ ପାଇଁ ମଧ୍ୟ ମାନସ ମନ୍ଥନ ହେବ। କେବଳ ଏହାକୁ ଏକ ଉତ୍ସବ କରିଦେଲେ ହେବ ନାହିଁ, ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ସହ ଏହାକୁ କିପରି ରୋଜଗାରର ଭାଷା କରିହେବ, ସେ ଦିଗରେ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ଭାଷାପ୍ରେମୀମାନେ ମତ ଦେଇଛନ୍ତି। ଓଡ଼ିଆ ଭାଷାର ଭବିଷ୍ୟତକୁ ନେଇ କିଛି ଠୋସ୍ ପଦକ୍ଷେପ ସରକାର ନେବେ ବୋଲି ସମସ୍ତେ ଆଶାବାଦୀ।
ସେହିପରି ଆଉ କିଛି ଦିନ ପରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଉଦ୍‌ଘାଟିତ ହେବ। ଓଡ଼ିଆ ଭାଷା, ସାହିତ୍ୟ କ୍ଷେତ୍ରରେ ଏହା ସରକାରଙ୍କର ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପରି ଏହାର ଅବସ୍ଥା ନହୋଇ ବାସ୍ତବରେ ଓଡ଼ିଆ ଭାଷା ପ୍ରତି ଏହା ଦିଗବାରେଣୀ ହେଉ ବୋଲି ଭାଷାପ୍ରେମୀ ଓ ସଚେତନ ନାଗରିକମାନେ ଆଶା ରଖିଛନ୍ତି।