ପୁରୀ: ସ୍ନାନବେଦିକୁ ଆସିବେ ସାଆନ୍ତେ। ଦୁର୍ଲଭ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ବଡ଼ଦାଣ୍ଡରୁ ମହାମାନବୀୟ ସ୍ନାନଲୀଳା ଦର୍ଶନ କରିବେ ଭକ୍ତ। ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାବାହୁ। ଏନେଇ ଅପରାହ୍ଣ ୩ଟା ୪୫ ସୁଦ୍ଧା ସେନାପଟା ଲାଗି ଶେଷ ହୋଇସାରିଛି। ସ୍ନାନବେଦିକୁ ମହାପ୍ରଭୁଙ୍କୁ ବିଜେ କରାଇବାକୁ ସେବକ କୁଳ ପ୍ରସ୍ତୁତି କରିସାରିଛନ୍ତି। ୨ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଦିବ୍ୟସ୍ନାନ ଦର୍ଶନ ପାଇଁ ଆଜିଠୁ ଭକ୍ତଙ୍କ ସୁଅ ଛୁଟିଲାଣି। ଶ୍ରୀକ୍ଷେତ୍ରରେ ଗହଳି ଚହଳି ଲାଗିଲାଣି।
ବୁଧବାର ଭୋର ୫ଟାରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେବ। ସକାଳ ୭ଟା ମଧ୍ୟରେ ପହଣ୍ଡି ଶେଷ ହେବ। ମହାପ୍ରଭୁ ଧାଡ଼ି ପହଣ୍ଡିରେ ଆସି ଗୋଟି ପହଣ୍ଡିରେ ବାହୁଡ଼ିବେ। ଦିନ ୧୨ଟା ୨୦ରୁ ୧ଟା ୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ବିଧି ଅନୁଷ୍ଠିତ ହେବ। ସ୍ନାନ ମଣ୍ଡପରେ ଜଳ ବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରା ବାନ୍ଧି ଶୋଧ କରିବେ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ ସାରି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ପରେ ଗଜପତି ମହାରାଜ ପାରମ୍ପରିକ ରୀତିରେ ଶ୍ରୀନଅରରୁ ଛେରାପହଁରା ପାଇଁ ବିଜେ କରିବେ। ସାଢ଼େ ୩ଟାରେ ଗଜପତି ସ୍ନାନମଣ୍ଡପ ଛେରାପହଁରା କରିବେ। ଅପରାହ୍ଣ ସାଢ଼େ ୪ଟାରେ ହାତୀ ବେଶ ଦର୍ଶନର ସୁଯୋଗ ମିଳିବ। ପାଳିଆ ପୁଷ୍ପାଳକ ସେବକ ଦଇତାପତିମାନଙ୍କ ସହ ତିନି ବାଡ଼ରେ ହାତୀ ବେଶ କରିବେ। ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନର ସୁଯୋଗ ମିଳିବ। ଭକ୍ତମାନେ ଦିନ ତମାମ ସ୍ନାନମଣ୍ଡପ ତଳେ ସମ୍ମୁଖ ଭାଗରେ ଦର୍ଶନ କରିବା ପାଇଁ ଆନନ୍ଦ ବଜାରରେ ବାରିକେଡିଂ କରାଯିବ। ରାତି ୧୧ଟା ବେଳକୁ ହାତୀବେଶ ଓଲାଗି ହୋଇ ରାତି ସାଢ଼େ ୧୧ଟାରୁ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ।
ବିପୁଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପୁଲିସ୍ ବ୍ୟବସ୍ଥା ବୃଦ୍ଧି କରାଯାଇଛି। ୪ ଜଣ ଏସ୍ପି, ୪୬୦ ଅଧିକାରୀଙ୍କ ସମେତ ୭୦ ପ୍ଲାଟୁନ୍ ପୁଲିସ ନିୟୋଜିତ ହେବେ। ମହାପ୍ରଭୁଙ୍କ ବେଶ ଅକ୍ଷତ ରହିବା ପାଇଁ ୬ ଦକ୍ଷ ପୁଲିସ ଅଧିକାରୀ ନିୟୋଜିତ ହେବେ। ପୂଜା ବିଧିରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଭକ୍ତ ଓ ମହାପ୍ରଭୁଙ୍କ ମଧ୍ୟରେ କେହି ବାଧକ ହେବେ ନାହିଁ। ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ କୌଣସି ସେବକ ଛିଡ଼ା ହୋଇ ରହିବେ ନାହିଁ। ସ୍ନାନଯାତ୍ରା ଦର୍ଶନ ପାଇଁ ଭୁବନେଶ୍ବର, ବ୍ରହ୍ମଗିରି ଓ କୋଣାର୍କ ପଟୁ ଆସୁଥିବା ଭକ୍ତମାନେ ଚାରି ଚକିଆ ଯାନ ରହଣି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଦୁଇଚକିଆ, ଅଟୋ ଓ ଟାଉନ ବସ୍ ଚଳାଚଳ କରିବାକୁ ଥିବା ମାର୍ଗ ସ୍ଥିରୀକୃତ ହୋଇଛି। ଭକ୍ତମାନେ ପାର୍କିଂ କରିବା ପରେ ବଡ଼ଦାଣ୍ଡରେ ଚାଲିଚାଲି ଦର୍ଶନ ପାଇଁ ଯିବେ। ବଡ଼ଦାଣ୍ଡରୁ ଦର୍ଶନ ପାଇଁ ଚାହୁଥିବା ଭକ୍ତ ବ୍ୟାରିକେଡ୍ରେ ନଯାଇ ସିଧାସଳଖ ସିଂହଦ୍ବାର ସମ୍ମୁଖ ଭାଗକୁ ଯାଇପାରିବେ। ସାହାଣମେଲା ତଥା ମହାପ୍ରଭୁଙ୍କୁ ସ୍ନାନବେଦି ନିକଟରୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବାକୁ ଚାହୁଥିବା ଭକ୍ତମାନେ ମାର୍କେଟ ଛକଠାରୁ ବ୍ୟାରିକେଡ୍ରେ ଯିବେ।
ସ୍ନାନପୂର୍ଣ୍ଣିମାରେ ନିୟମିତ ପୁରୀକୁ ଯାତାୟାତ କରୁଥିବା ୧୪୦ ବସ୍ ହିଁ ଆତଯାତ ହେବେ। ଏଥିପାଇଁ ଅଧିକ ବସ୍କୁ ସ୍ବତନ୍ତ୍ର ପରମିଟ୍ ମିଳିନାହିଁ। ସୀମିତ ବସ୍ର ବ୍ୟବସ୍ଥା ଥିବାରୁ ଓଭରଲୋଡ୍ ସମସ୍ୟା ଉପୁଜିବ। ଏହାକୁ ଦୃଷ୍ଟିରେ ରଖି ଆର୍ଟିଓ ପକ୍ଷରୁ ୩ଟି ସ୍କ୍ବାଡ୍ ଗଠନ ହୋଇଛି। ଭୁବନେଶ୍ବର, ବ୍ରହ୍ମଗିରି ଓ କୋଣାର୍କ ଦିଗରେ ୩ଟି ସ୍କ୍ବାଡ୍ ନିୟୋଜିତ ହେବେ। ଶାନ୍ତିଶୃଙ୍ଖଳାର ସହ ସ୍ନାନଯାତ୍ରା ସମାପନ କରିବା ପାଇଁ ସମସ୍ତ ସେବକ ଓ ଭକ୍ତ ସହଯୋଗ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିବେଦନ କରିଛନ୍ତି।