ଚାରି ମାସ ସ୍କୁଲ ଫି ସଂପୂର୍ଣ୍ଣ ଛାଡ଼ ପାଇଁ ଦାବି : ଅଭିଭାବକ ମହାସଂଘ ହାଇକୋର୍ଟଙ୍କ ଦ୍ବାରସ୍ଥ

କଟକ : କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସାରା ଦେଶରେ ମାସାଧିକ ସମୟ ହେବ ଲକ୍‌ଡାଉନ କରାଯାଇଥିବା ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଅତି କମ୍‌ରେ ଚାରି ମାସ ପାଇଁ ସ୍କୁଲ ଫି ଛାଡ କରାଯିବା ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଓଡ଼ିଶା ଅଭିଭାବକ ମହାସଂଘ ସ୍କୁଲ ଫି ଛାଡ ପ୍ରସଂଗକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ମହାସଂଘ ପକ୍ଷରୁ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଦାୟର କରିଥିବା ଆବେଦନରେ ଦର୍ଶାଯାଇଛି ଯେ ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କର ରୋଜଗାର ଏକ ପ୍ରକାର ଠପ୍ ହୋଇ ଯାଇଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ଅଭିଭାବକ ଗୁରୁତର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। କେବେ କଟକଣା ଉଠିବ ଓ କେବେ ପରିସ୍ଥିତି ସ୍ବାଭାବିକ ହେବ ତାକୁ ନେଇ ଅନିଶ୍ଚିତତା ଦେଖା ଦେଇଛି।

କିନ୍ତୁ କେତେକ ଘରୋଇ ଶିକ୍ଷାନୁଷ୍ଠାନ ସ୍କୁଲ ଫି ଆଦାୟ ପାଇଁ ଅଭିଭାବକଙ୍କ ନିକଟକୁ ନୋଟିସ୍ ପଠାଇଛନ୍ତି ବୋଲି ଅଭିଯୋଗ ହୋଇଛି। କଟକ ଓ ଭୁବନେଶ୍ବରର କେତେକ ପ୍ରମୁଖ ଘରୋଇ ସ୍କୁଲ ଅଭିଭାବକଙ୍କ ସ୍କୁଲ ଫି’ ପଇଠ ପାଇଁ ଜାରି କରିଥିବା ଏପରି ନୋଟିସର କପି ରିଟ୍ ପିଟିସନ୍ ସହିତ ହାଇକୋର୍ଟରେ ଦାଖଲ କରାଯାଇଛି। କେତେକ ସ୍କୁଲ ଚଳିତ ବର୍ଷ ଫି ମଧ୍ୟ ବୃଦ୍ଧି କରିଛନ୍ତି ବୋଲି ଅଭିଯୋଗ ହେଉଛି। ଟ୍ୟୁସନ୍ ଫି, ରି-ଆଡମିସନ୍ ଫି ଡେଭେଲପମେଣ୍ଟ ଫି, ଡେ ବୋର୍ଡର ଫି ଓ ଅନ୍ୟାନ୍ୟ ଆନୁସଙ୍ଗିକ ଫି ବାବଦରେ ଅଭିଭାବକଙ୍କ ନିକଟରୁ ଟଙ୍କା ଅଦାୟ କରାଯାଉଛି। ସ୍କୁଲ କର୍ତ୍ତୃପକ୍ଷ ଅନ୍ ଲାଇନରେ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ବ୍ୟବସ୍ଥା କରିଥିବା କହୁଥିବା ବେଳେ ଯେଉଁ ଅଭିଭାବକମାନେ ଫି ପଇଠ କରି ନାହାନ୍ତି ସେମାନଙ୍କ ପିଲାଙ୍କୁ ପାସ୍ ୱାର୍ଡ ପ୍ରଦାନ କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ସରକାର ସ୍କୁଲ ଫି ଛାଡ ନେଇ ବିଜ୍ଞପ୍ତି ପ୍ରକାଶ କରନ୍ତୁ। ଫି ଏ ପର୍ଯ୍ୟନ୍ତ ପଇଠ କରି ନଥିବା ଛାତ୍ରଛାତ୍ରୀଙ୍କୁ ଅନ୍ ଲାଇନ ପାଠପଢା ପାଇଁ ଥିବା ବ୍ୟବସ୍ଥାର ପାସ୍ ୱାର୍ଡ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ କେନ୍ଦ୍ର ମାନବସମ୍ବଳ ବିକାଶ ବିଭାଗ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସିବିଏସଇ, କାଉନସିଲ ଫର ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକଜାମିନେସନକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଥିବା ବେଳେ ଯଜ୍ଞ ପ୍ରକାଶ ପରିଡା ଓ ସୁମନ ସଂଗୀତା ଶତପଥୀ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର