ଭୁବନେଶ୍ୱର: ଦେଶରେ ରୋଷେଇ ଗ୍ୟାସର ଚାହିଦାକୁ ପୂରଣ କରିବା ପାଇଁ ଭାରତ ଅନ୍ୟ ଦେଶ ଉପରେ ନିର୍ଭରଶୀଳ। ଅନ୍ତର୍ଜାତୀୟ ସ୍ତରରେ ନିର୍ଦ୍ଧାରିତ ହେଉଥିବା ଦରକୁ ନେଇ ରୋଷେଇ ଗ୍ୟାସର ମୂଲ୍ୟ ଧାର୍ଯ୍ୟ କରାଯାଏ। ଯେଉଁଥିପାଇଁ ଗ୍ୟାସ ଦର ତଳଉପର ହୋଇଥାଏ। ଗ୍ୟାସ୍‌ ଦର ବଢ଼ିବା କମିବା ନେଇ ସରକାରଙ୍କର କୌଣସି ନିୟନ୍ତ୍ରଣ ନଥାଏ। ଏବେ ଗ୍ୟାସ୍ ଦର ବଢ଼ିଛି, ଆଗାମୀ ଦିନରେ କମିବ। ଦରଦାମ ବୃଦ୍ଧି ନେଇ ବିଜେଡିର ଅଭିଯୋଗର କୌଣସି ଭିତ୍ତିଭୂମି ନାହିଁ ବୋଲି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି।

Advertisment

ଶ୍ରୀ ମାଝୀ କହିଛନ୍ତି ଯେ, ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି ଯେ, ଓଡ଼ିଶା କ୍ରମାଗତ ୧୮ବର୍ଷ ଧରି ବିତ୍ତୀୟ ବଳକା ରାଜ୍ୟ ହୋଇଛି। ଗ୍ୟାସ୍ ଉପରେ ଲାଗୁ ହେଉଥିବା ଟିକସରେ ରାଜ୍ୟ ସରକାରଙ୍କ ବଡ଼ ଅଂଶ ଅଛି। ତେଣୁ ଏଭଳି ପରିସ୍ଥିତିରେ ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଗ୍ୟାସ ଉପରୁ ଟିକସ ଛାଡ଼ କରନ୍ତୁ। ସେହିପରି ରାଜ୍ୟ ସରକାର ଦୀର୍ଘ ୨୩ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ରହିବା ପରେ ବି ଆଳୁ, ପିଆଜ ଭଳି ନିତିଦିନିଆ ଅତ୍ୟାବଶ୍ୟକୀୟ ଘରୋଇ ସାମଗ୍ରୀର ଦରଦାମ୍ ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି। ଏଣୁ ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ସେମାନଙ୍କ କୁମ୍ଭୀର କାନ୍ଦଣା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଶ୍ରୀ ମାଝୀ କହିଛନ୍ତି।