ବାଲିଗୁଡା/ତୁମୁଡ଼ିବନ୍ଧ: ‘ସଂପ୍ରତି ଭାରତରେ ହିନ୍ଦୁସମାଜ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ହେଲେ ସାମୂହିକ ସହଯୋଗ ସାଙ୍ଗକୁ ସମଗ୍ର ହିନ୍ଦୁସମାଜ ଜାଗ୍ରତ ହେବା ଦରକାର’। କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଆଜି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓଡ଼ିଶା ଆନୁକୂଲ୍ୟରେ ଅନୁଷ୍ଠିତ ଗୋମହାଯଜ୍ଞ ଓ ବିଶାଳ ହିନ୍ଦୁ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନ୍ତଃରାଷ୍ଟ୍ରୀୟ ବିଶ୍ବହିନ୍ଦୁ ପରିଷଦର ପୂର୍ବତନ ଅନ୍ତଃରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଡା.ପ୍ରବୀଣ ତୋଗାଡ଼ିଆ ଏହା କହିଛନ୍ତି। ଭାରତରେ ହିନ୍ଦୁମାନଙ୍କ ସଂଖ୍ୟାଗରିଷ୍ଠ ରହିଥିଲେ ହେଁ, ସେମାନେ ସୁରକ୍ଷିତ ନୁହନ୍ତି। ବିଭିନ୍ନ ସମୟରେ ସେମାନଙ୍କ ଉପରେ ଆକ୍ରମଣ କରାଯାଉଛି। ତେଣୁ ସମସ୍ତ ହିନ୍ଦୁ ଏକଜୁଟ୍ ଭାବେ ଗଣତାନ୍ତ୍ରିକ ଉପାୟରେ ଏହା ବିରୋଧରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ ବୋଲି ଶ୍ରୀ ତୋଗାଡ଼ିଆ ନିଜ ବକ୍ତବ୍ୟରେ କହିଛନ୍ତି।
ଅନ୍ୟପକ୍ଷରେ ସ୍ଵାମୀ ଲକ୍ଷ୍ମାଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ୧୫ ବର୍ଷ ବିତିସାରିଛି। ହତ୍ୟାକାରୀଙ୍କୁ ଉପଯୁକ୍ତ ଦଣ୍ଡ ଦେବାର ଆବଶ୍ୟକତା ରହିଛି। ଏହାସହ ଦେଶବ୍ୟାପୀ ଚାଲିଥିବା ଧର୍ମାନ୍ତୀକରଣକୁ ନେଇ ଶ୍ରୀ ତୋଗାଡ଼ିଆ କ୍ଷୋଭ ପ୍ରକାଶ କରିଥିଲେ। ଦେଶ ସବୁ ପ୍ରାନ୍ତରେ ହନୁମାନ ଚାଳିଶା କେନ୍ଦ୍ର ପ୍ରତିଷ୍ଠା କରିବା ସହ ସପ୍ତାହକୁ ଦୁଇଥର ହନୁମାନ ଚାଳିଶା ପାଠ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ଅଧିବାସୀଙ୍କୁ ଉତ୍ତମ ଖାଦ୍ୟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ସମୃଦ୍ଧି ଓ ସଂସ୍କାର ଆଦି ସହାୟତା ଦିଆଯିବା ଉପରେ ମଧ୍ୟ ଶ୍ରୀ ତୋଗାଡ଼ିଆ ଗୁରୁତ୍ବାରୋପ କରିଥିଲେ।
ବାଲିଗୁଡ଼ାରେ ଗୋ ମହାଯଜ୍ଞ, ହିନ୍ଦୁ ସମ୍ମିଳନୀ
ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀକୁ ଉପଯୁକ୍ତ ଦଣ୍ଡ ମିଳୁ
ଜଲେଶପଟ୍ଟା ଆଶ୍ରମ ବି ବୁଲିଲେ
ଗାୟତ୍ରୀ ମନ୍ଦିର ଓ ରାମେଶ୍ବର ମନ୍ଦିର ନିକଟରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ଅବସରରେ ବରାଳଦେବୀ ମନ୍ଦିରରୁ ଏକ ବିରାଟ କଳସ ଶୋଭାଯାତ୍ରା ବାହାରି ସମଗ୍ର ସହର ପରିକ୍ରମା କରି ଗାୟତ୍ରୀ ମନ୍ଦିର ନିକଟରେ ପହଞ୍ଚିଥିଲା। ସେଠାରେ ସୂର୍ଯ୍ୟପୂଜା, ଗୋମାତାଙ୍କ ପୂଜା, ଗୀତାପାଠ ଯଜ୍ଞ, ଅନ୍ନଯଜ୍ଞ ଅନୁଷ୍ଠିତ ହେବା ସହ ଏବଂ ଯଜ୍ଞ ମଣ୍ଡପରେ ପୂର୍ଣ୍ଣାହୁତି ଦିଆଯାଇଥିଲା।
ଶ୍ରୀ ତୋଗାଡ଼ିଆଙ୍କ କନ୍ଧମାଳ ଗସ୍ତକୁ ନେଇ ସାରା ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କରାଯାଇଥିଲା। ବାଲିଗୁଡ଼ାରେ ୬ ପ୍ଲାଟୁନ୍ ପୁଲିସ ଫୋର୍ସ ସମେତ ୫ଜଣ ଡିଏସ୍ପି ଓ ୬ଜଣ ଇନ୍ସପେକ୍ଟର ନିୟୋଜିତ ଥିଲେ। ବାଲିଗୁଡ଼ା ଏସ୍ଡିପିଓ ରୋହିତ ବର୍ମା ଓ ବିଡିଓ ଶଶାଙ୍କଶେଖର ପାତ୍ର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ।
ସେହିପରି ଶ୍ରୀ ତୋଗାଡ଼ିଆ ଏହାପୂର୍ବରୁ ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା ଆଶ୍ରମ ପରିଦର୍ଶନ କରିଥିଲେ। ସକାଳେ ସେ ଆଶ୍ରମରେ ପହଞ୍ଚିବା ପରେ ଭଜନକୀର୍ତ୍ତନ କରି ସ୍ଵାଗତ କରାଯାଇଥିଲା। ଏହାପରେ ସେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସଂସ୍କୃତ କନ୍ୟାଶ୍ରମକୁ ଯାଇଥିଲେ। ସେଠାରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ‘ଦୀର୍ଘ ୧୪ ବର୍ଷ ପରେ ପୁଣିଥରେ ସେ ଏଠାକୁ ଆସିଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି ସେ କହିଥିଲେ। ଶ୍ରୀ ତୋଗାଡ଼ିଆଙ୍କ ଗସ୍ତକୁ ନେଇ ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଫିରିଙ୍ଗିଆ ତହସିଲଦାର ଏମ୍.ଅନୁରାଧା, ଥାନାଧିକାରୀ ଜୟନ୍ତୀ ସେଠୀ ଓ ବାଲିଗୁଡ଼ା ଏସ୍ଡିପିଓ ରୋହିତ ବର୍ମା ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ।