ବିବାହ ପାଇଁ ୧୨ କିମି ଚାଲିଲେ

କଲ୍ୟାଣସିଂହପୁର : ଜାକଜକମରେ ବରଯାତ୍ରୀ ସହ ବିବାହ ପାଇଁ ଯାଇଥା’ନ୍ତେ ବର। ଡିଜେଠୁ ଆରମ୍ଭ କରି ବାଜା, ବାଣ, ରଙ୍ଗବେରଙ୍ଗର ଲାଇଟ୍ ସବୁକିଛି ଆୟୋଜନ ହୋଇଥିଲା। ହେଲେ, ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଏସବୁକୁ ବିଗାଡ଼ି ଦେଲା। ବରଯାତ୍ରୀ ଯିବାପାଇଁ ଗାଡ଼ି ନ ମିଳିବାରୁ ଶେଷରେ ପାହାଡ଼ିଆ ରାସ୍ତାରେ ୧୨ କିମି ଚାଲିଚାଲି କନ୍ୟା ଘରେ ପହଞ୍ଚିଥିଲେ ବର। ଏପରି ରୋଚକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସୁନାଖଣ୍ଡି ପଞ୍ଚାୟତର ପାର୍ତ୍ତିବାଡା ଗ୍ରାମରେ।

ପାର୍ତ୍ତିବାଡା ଗ୍ରାମର ନରେଶ ପ୍ରାସ୍କାଙ୍କ ବିବାହ ପୂଜାରୀଗୁଡା ପଞ୍ଚାୟତ ଡିବାଲୁପାଡୁ ଗ୍ରାମର ରମି ହିକକାଙ୍କ ସହ ସ୍ଥିର ହୋଇଥିଲା। ରୀତିନୀତି ଅନୁଯାୟୀ ମାର୍ଚ୍ଚ ୩ ତାରିଖ ଶୁକ୍ରବାର ସଂଧ୍ୟାରେ ବିବାହ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ବରଯାତ୍ରୀରେ ଯିବା ପାଇଁ ସାଙ୍ଗସାଥୀଙ୍କୁ ମଧ୍ୟ ଲୋଡ଼ିଥିଲେ ନରେଶ। ଏଥିଲାଗି ୨ଟି ଭଡ଼ା ଗାଡ଼ିର ଆୟୋଜନ କରି ଅଗ୍ରିମ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ, ବୁଧବାରରୁ ଡ୍ରାଇଭର ମହାସଂଘ ଆନ୍ଦୋଳନ ଡାକରାଦେବା ଯୋଗୁ ଗାଡ଼ି ଚଳାଚଳ ଠପ୍ ହୋଇପଡ଼ିଥିଲା। ଭଡ଼ା ପାଇଁ ଅଗ୍ରିମ ନେଇଥିବା ମାଲିକ ଗାଡ଼ି ଦେବାପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ଡ୍ରାଇଭର ମିଳିନଥିଲେ। ବର ପକ୍ଷ କିଛି ଡ୍ରାଇଭରକୁ ନିବେଦନ କରି ନିରାଶ ହୋଇଥିଲେ। ଫଳରେ, ଭଡ଼ା ଗାଡ଼ି ନରେଶଙ୍କ ଗ୍ରାମରେ ପହଞ୍ଚି ପାରିନଥିଲା।

ଗାଡ଼ି ନ ମିଳିବା ସ୍ପଷ୍ଟ ହେବାପରେ ନରେଶ ନିଜ ପରିବାର ଲୋକଙ୍କ ସହ ଆଲୋଚନା କରି ବିବାହ ପାଇଁ ଚାଲି ଚାଲି ଯିବାକୁ ନିଷ୍ପତ୍ତି ନେଇଥିଲେ। ନରେଶଙ୍କ ନିଷ୍ପତ୍ତିକୁ ସାଙ୍ଗସାଥୀ, ବନ୍ଧୁବାନ୍ଧବ ସମର୍ଥନ କରିଥିଲେ। ପାର୍ତ୍ତିବାଡାରୁ କନ୍ୟାଙ୍କ ଘର ଡିବାଲୁବାଡୁର ଦୂରତା ୧୨ କିମି ହୋଇଥିବାରୁ ଗୁରୁବାର ରାତିରୁ ବରଯାତ୍ରୀ ଘରୁ ବାହାରି ଚାଲି ଚାଲି ଭୋର ୪ଟାରେ ପହଞ୍ଚିଥିଲେ। କନ୍ୟା ପରିବାର ପକ୍ଷରୁ ବରଯାତ୍ରୀଙ୍କୁ ଯଥା ରୀତି ସ୍ବାଗତ କରାଯାଇଥିଲା। ସକାଳେ ବରଯାତ୍ରୀ ନିତ୍ୟକର୍ମ ସାରିବା ପରେ ରୋଷଣି ଆରମ୍ଭ ହୋଇଥିଲା। ବିନା ବାଜା, ବାଣରେ ୪୦ରୁ ଉର୍ଦ୍ଧ୍ବ ସାଙ୍ଗସାଥୀ, ସମ୍ପର୍କୀୟଙ୍କ ସହ ଗାଁ ପରିକ୍ରମା କରି କନ୍ୟାଙ୍କ ଘରେ ପହଞ୍ଚିଥିଲେ ନରେଶ। ରୀତିନୀତି ଅନୁଯାୟୀ ବାଟବରଣ ପରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର