ବାଲେଶ୍ୱର: ଅଟୋ-ଟ୍ରକ୍‌ ସାମ୍ନାସାମ୍ନି ଧକ୍କା ଯୋଗୁଁ ଅଜଣା ବାଟୋଇ ମୃତ

ବାଲେଶ୍ୱର: ବୁଧବାର ଭୋର୍‌ ୪ଟା ପରେ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱସ୍ଥ ନିଧି ପଣ୍ଡା ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଗୋଟାଏ ଟ୍ରକ୍‌ ଏବଂ ଅଟୋରିକ୍ସା ମଧ୍ୟରେ ସାମ୍ନାସାମ୍ନି ଧକ୍କା ହେବାରୁ ଜଣେ ବାଟୋଇଙ୍କର ମୃତ୍ୟୁ ଘଟିଛି।

ଏ ପର୍ଯ୍ୟନ୍ତ ସେ ମୃତବ୍ୟକ୍ତିଙ୍କର ପରିଚୟ ମିଳି ପାରିନାହିଁ।

ଦୁର୍ଘଟଣାଗ୍ରସ୍ତ ଅଟୋ ରିକ୍ସାଟି କିଛି କୁକୁଡ଼ାଚିଆଁ ନେଇ ବାଲେଶ୍ୱରରୁ ଚନ୍ଦନେଶ୍ୱର ଯାଉଥିଲା ବେଳେ ବିପରୀତ ପଟୁ ଭୁଲ୍‌ ପାର୍ଶ୍ୱରେ ଆସୁଥିବା ଗୋଟାଏ ଟ୍ରକ୍‌ ସହ ସାମ୍ମାସାମ୍ନି ଧକ୍କା ହୋଇଥିଲା। ଫଳରେ ଅଟୋଟି ସେଠାରେ ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ସେ ପଥଚାରୀଙ୍କର ମୃତ୍ୟୁ ଘଟିଥିଲା।

ଦମକଳବାହିନୀ ଭଙ୍ଗାରୁଜା ଅଂଶ କାଟି ଅଟୋ ମଧ୍ୟରେ ଚାପି ହୋଇ ରହିଥିବା ଚାଳକଙ୍କୁ ଉଦ୍ଧାର କରିଥିଲେ।

ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି।

ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ନେଇ ଡ୍ରଇଭର୍‌ ଘଟଣାସ୍ଥଳରୁ ଖସି ଯାଇଛି। ଅଟୋରିକ୍ସାରେ ଯାଉଥିବା କୁକୁଡ଼ାଚିଆଁମାନେ ନିରାପଦ ଥିବା କଥା ଜଣାପଡ଼ିଛି।

ସମ୍ବନ୍ଧିତ ଖବର