ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନ ଦିନକ ଆଗରୁ ଆଜି ‌ଶେଷ ହୋଇଛି। ୨୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍‌ ୭ଟି କାର୍ଯ୍ୟଦିବସ ଥିଲା। କିନ୍ତୁ ତାହାକୁ ୬ ଦିନରେ ସୀମିତ ରଖାଯାଇଛି। ଏହି ଅଧିବେଶନର ବହୁତ ସମୟ ମୁଲତବୀରେ ଚାଲିଯାଇଥିଲା। ଅଧିକାଂଶ ଦିନକୁ ବିଜେଡି ସଭ୍ୟମାନେ ହୋହଲ୍ଲାରେ ଅଚଳ କରିଦେଇଥିଲେ। ଶେଷ ଦିନରେ କଂଗ୍ରେସ ସଭ୍ୟଙ୍କ ନାରାବାଜିରେ ଗୃହ କାର୍ଯ୍ୟ କିଛିଟା ବାଧାପ୍ରାପ୍ତ ହୋଇଥିଲା। ତେବେ ଆଜି ଅପରାହ୍ନରେ ଗୃହ ସ୍ବାଭାବିକ ଚାଲିଥିଲା। ରାତି ପ୍ରାୟ ୯ଟା ପରେ ଏହି ଅଧିବେଶନକୁ ଆଜି ଶେଷ କରିବା ପାଇଁ ଶାସକ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରସ୍ତାବ ଆଣିଥିଲେ। ନବରାତ୍ର ପୂଜା ଆରମ୍ଭ ହୋଇଗଲାଣି। ସାରା ରାଜ୍ୟ ଉତ୍ସବମୁଖର ହୋଇଛି। ବିଧାୟକମାନଙ୍କୁ ଲୋକଙ୍କ ପାଖକୁ ଯିବାକୁ ପଡ଼ିବ। ସରକାରଙ୍କ ଜରୁରୀ କାର୍ଯ୍ୟ ବି ସମାପନ ହୋଇଛି। ତେଣୁ କୌଣସି ଜରୁରୀ କାମ ନଥିବାରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବାକୁ ସେ ପ୍ରସ୍ତାବ ଦେଇଥିଲେ। ଏହାକୁ ଶାସକ ଦଳ ସଭ୍ୟ ସନାତନ ବିଜୁଳି, ଉପାସନା ମହାପାତ୍ର ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମର୍ଥନ କରିଥିଲେ। ଗୃହର ସହମତି ଥିବାରୁ ବାଚସ୍ପତି ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସମସ୍ତେ ରାଜ୍ୟବାସୀଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଥିଲେ। ତାହା ପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଥିଲେ। 
Advertisment
ଆଜି ପୂର୍ବାହ୍ନରେ ପ୍ରଶ୍ନକାଳରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ନାରାବାଜି କରିଥିଲେ। ନାରୀ ନିର୍ଯାତନା ରୋକିବାକୁ ଦାବି କରିଥିଲେ। ତେବେ ବିଜେଡି ସଭ୍ୟମାନେ ପ୍ରଶ୍ନକାଳରେ ଭାଗ ନେଇଥିଲେ। କଂଗ୍ରେସ ସଭ୍ୟମାନଙ୍କୁ ବାଚସ୍ପତି ବାରମ୍ବାର ନିବେଦନ କରିବା ସତ୍ତ୍ବେ ସେମାନେ ନିଜ ଆସନକୁ ଯାଇ ନଥିଲା। ତାହାରି ଭିତରେ ବାଚସ୍ପତି ଅଧ ଘଣ୍ଟା ପ୍ରଶ୍ନକାଳ ଜାରି ରଖିଲେ। ‌ଶେଷରେ ସ୍ଥିତି ସ୍ବାଭାବିକ ହେଉ ନଥିବାରୁ ୧୧ଟା ବେଳେ ଅଧଘଣ୍ଟା ପାଇଁ ଗୃହକୁ ମୁଲତବୀ ଘୋଷଣା କରାଗଲା। 
୧୧ଟା ୩୦ରେ ଶୂନ୍ୟକାଳ ଆରମ୍ଭ ହେଲା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଲେ, ଗତ ଅଧିବେଶନରେ ମହିଳାମାନଙ୍କ ସୁରକ୍ଷା ପାଇଁ ଆମେ ଦାବି କରି ରାତିରେ ବି ଗୃହ ଭିତରେ ଧାରଣା ଦେଇଥିଲୁ। କିନ୍ତୁ ବାହାର ଗୁଣ୍ଡା ଆମ୍ଭମାନଙ୍କୁ ଉଠାଇ ନେଇ ରାସ୍ତାରେ ଫିଙ୍ଗିଦେଲେ। ବିଧାୟକମାନଙ୍କର ବହୁତ ସାମଗ୍ରୀ ଚୋରି ହେଲା। ତାରାପ୍ରସାଦ ବାହିନୀପତି କହିଲେ, ଆମେ ଗୃହ କମିଟି ଗଠନ ପାଇଁ ଦାବି କରିଥିଲୁ। କିନ୍ତୁ ଆମକୁ ନିଲମ୍ବନ କରାଗଲା। ଗୃହ ଭିତରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଯେଉଁ ଭାଷାରେ ଗାଳି କଲେ, ତାହାକୁ ସାରା ରାଜ୍ୟବାସୀ ଦେଖିଛନ୍ତି। କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଇ ଆମ ବିରୋଧରେ ନିଆଗଲା। ରାତିଅଧରେ ଗୁଣ୍ଡା ଆଣି ଆମକୁ ମାରି ମାରି ଏଠାରୁ ନେଲେ। ଆମ ଚେନ୍, ଘଣ୍ଟା ସବୁ ନେଇଗଲେ। ଏହି ଗୁଣ୍ଡାମାନଙ୍କୁ ଗୃହ ଭିତରକୁ ଆସିବାକୁ କିଏ ଅନୁମତି ଦେଇଥିଲେ? ଇତିହାସ କେବେ କ୍ଷମା ଦେବ ନାହିଁ। ବିଧାୟିକା ସୋଫିଆ ଫିର୍‌ଦୋସ ବି କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ, ଆମେ ୬ ମାସ ତଳେ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ ଗୃହରୁ ନିଲମ୍ବିତ ହୋଇଥିଲୁ। ଏହି ୬ ମାସ ଭିତରେ ରାଜ୍ୟରେ ନାରୀ ନିର୍ଯାତନା ଆହୁରି ବଢ଼ିଯାଇଛି। ସରକାରଙ୍କ ଉଦାସୀନତା ପାଇଁ ବାରମ୍ବାର ଏହି ପ୍ରସଙ୍ଗ ଆମକୁ ଗୃହରେ ଉଠାଇବାକୁ ପଡ଼ୁଛି। ଏହା ପରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। କିଛି ସମୟ ପରେ ସେମାନେ ଗୃହକାର୍ଯ୍ୟ ବର୍ଜନ କରି ବାହାରକୁ ଚାଲିଯାଇଥିଲେ। ଫଳରେ ମୁଲତବୀ ଆଲୋଚନାରେ ସେମାନେ ଭାଗ ନେଇ ନଥିଲେ। ଅପରାହ୍ଣ ୪ଟାରେ ଉଭୟ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ଲମ୍ବା ସମୟ ଧରି ଜିଏସ୍‌ଟି ସଂ‌ଶୋଧନ ବିଲ୍‌ ଉପରେ ହୋଇଥିବା ଆଲୋଚନ‌ାରେ ସବୁ ଦଳ ଭାଗ ନେଇଥିଲେ।