ବିହାରକୁ ଚାଲି ଚାଲି ଯାଉଥିଲେ, ଜିଲ୍ଲାପାଳଙ୍କ ନିର୍ଦେଶରେ ଉଦ୍ଧାର

ମେଡିକାଲ କଲେଜ କୋଠା ନିର୍ମାଣ କରୁଥିବା ଶ୍ରମିକଙ୍କୁ ମିଳିଲାନି ପାଉଣା

କେସିଙ୍ଗା : କଳାହାଣ୍ଡି ଜିଲ୍ଲା ଭଙ୍ଗାବାରିରେ ମେଡିକାଲ କଲେଜ କୋଠା ନିର୍ମାଣ କାମରେ ନି‌ୟୋଜିତ ବିହାର ରାଜ୍ୟର ୨୧ଶ୍ରମିକ ଲକ୍‌ଡାଉନ୍‌ ଯୋଗୁଁ ଫସି ରହିଥିଲେ। ସେମାନେ ଘରକୁ ଫେରିବାକୁ କଳାହାଣ୍ଡି ଶ୍ରମ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଏଥିପାଇଁ ଶ୍ରମ ବିଭାଗ ସେମାନଙ୍କୁ ଡିଜେଲ୍‌ ଖର୍ଚ୍ଚ ମାଗିଥିଲା। ଏପଟେ ସଂପୃକ୍ତ ଠିକାସଂସ୍ଥା ପାଉଣା ନଦେବାରୁ ଶେଷରେ ଚାଲି ଚାଲି ଘରକୁ ଫେରିବାକୁ ବାହାରିଥିଲେ। ରବିବାର ଚାଲି ଚାଲି ଯାଉଥିବା ବିଷୟରେ ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ ଖବର ପାଇ ଏମାନଙ୍କୁ କେସିଙ୍ଗା ପୁଲିସ ଦ୍ୱାରା ଉଦ୍ଧାର କରାଇଥିଲେ। ପରେ କନ୍ତେଶିରସ୍ଥିତ ଟିଏମ୍‌ସିରେ ରଖାଇଥିଲେ।

ଏହି ୨୧ ଶ୍ରମିକ ରବିବାର ସକାଳୁ ଚାଲି ଚାଲି ବିହାର ଅଭିମୁଖେ ବାହାରିଥିଲେ। କେସିଙ୍ଗାଠାରେ ଏମାନଙ୍କୁ ଆମେ ଭେଟିଥିଲୁ। ଯିବାର କାରଣ ପଚାରିବାରୁ ସେମାନେ ତାଲାବନ୍ଦ ସମୟରେ ତାଙ୍କ ହଇରାଣ କଥା ବର୍ଣ୍ଣନା କରିଥିଲେ। ଏମାନେ ବିହାରରୁ ଆସି ଏହି ମେଡିକାଲ କଲେଜ କୋଠା ନିର୍ମାଣରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତାଲାବନ୍ଦ ସମୟରେ ଜିଡିସିଏଲ୍‌ ଠିକାସଂସ୍ଥା ସେମାନଙ୍କ ପାଉଣା କଥା ହିସାବ କଲା ନାହିଁ କି ଦୁର୍ଦଶା କଥା ବୁଝିଲା ନାହିଁ। ସରକାରଙ୍କ ଘରବାହୁଡ଼ା ନିର୍ଦେଶନାମା ଜାଣିପାରି ସେମାନେ ଜିଲ୍ଲା ଶ୍ରମ ବିଭାଗ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଶ୍ରମ ବିଭାଗ ଜଣପିଛା ୪ ହଜାର ଟଙ୍କା ଲେଖାଏଁ ମାଗିଥିଲା। ଏମାନେ ଦେବାକୁ ଅକ୍ଷମ ଥିବାରୁ ଶେଷରେ ଚାଲି ଚାଲି ଯିବାର ନିଷ୍ପତ୍ତି ନେଇଥିଲେ। ଏମାନେ ସକାଳୁ ୪୦ କିମି ରାସ୍ତା ଭୋକ ଉପାସରେ ଅତିକ୍ରମ କରି ସାରିଥିଲେ ମଧ୍ୟ ବାଟରେ କେହି ତାଙ୍କୁ ଅଟକାଇ ନଥିଲେ। କିଛି ଶ୍ରମିକଙ୍କ ପାଖରେ ଆଦୌ ଟଙ୍କା ନଥିବାରୁ ସେମାନେ ବିସ୍କୁଟ ଖାଇ ଯାଉଥିବା କହିଥିଲେ। ଏ ସଂପର୍କରେ ଜିଲ୍ଲାପାଳଙ୍କୁ ସୂଚନା ଦେବା ପରେ କେସିଙ୍ଗା ଥାନା ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ଏ ସଂପର୍କରେ ପ୍ରବାସୀ ଶ୍ରମିକଙ୍କୁ ପଠାଇବା ଦାୟିତ୍ବରେ ଥିବା ନୋଡାଲ ଅଫିସର ଶୈଳେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ଉକ୍ତ ଶ୍ରମିକମାନଙ୍କ ପାସ୍‌ ବ୍ୟବସ୍ଥା ହୋଇଥିଲା ଓ ଜଣକୁ ୩ହଜାର ୪ଶହ ଟଙ୍କା ଲେଖାଏଁ ଦେବାକୁ କୁହାଯାଇଥିଲା। ହେଲେ ସେମାନଙ୍କ ପାଖରେ ଟଙ୍କା ନଥିବା କହିଥିଲେ। ଆଜି ସେମାନେ କନ୍ତେଶିରରେ ଧରାପଡ଼ିବା ପରେ ସଂପୃକ୍ତ ଠିକାସଂସ୍ଥାକୁ ଯୋଗାଯୋଗ କରାଯାଇଥିଲା। ଶେଷରେ ଶ୍ରମିକମାନେ ଅଧା ଓ ଠିକାସଂସ୍ଥା ଅଧା ଖର୍ଚ୍ଚ ବହନ କରିବାକୁ ରାଜି ହେବାରୁ ସେମାନଙ୍କୁ ପଠାଇବା ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର